ନୂଆ ବସନ୍ତର ଅପେକ୍ଷାରେ Poem by Smrutiranjan Parida

ନୂଆ ବସନ୍ତର ଅପେକ୍ଷାରେ

Rating: 4.0

ଆଜି ଥରେ ବର୍ଷା ହଉ
ବୈଶାଖରେ ତାତିଥିବା ପ୍ରତି କ୍ଷତ, ଜଳିଥିବା ପ୍ରତି କୋହ
ଅଦିନିଆ ସେଇ କାଳ ବୈଶାଖୀ ଗୁଡାକରେ,
ଚମକି ପଡ଼ିଥିବା ତୁମରି ସେ ଚେହେରାରେ
ଛିଟା ପାଣି ଟୋପା ପଡିଯାଉ
ଆଦ୍ରତାର ପ୍ରତି ସ୍ପର୍ଶରେ ଜିଇଁ ଉଠୁ ଆଶା ର ଶ୍ୟାମ ଶାଖା ତୁମ
ସ୍ବପ୍ନର ଆକାଶରେ ଇନ୍ଦ୍ରଧନୁ ରଙ୍ଗ ଲାଗିଯାଉ,
ମିଟିଯାଉ ମିଳନର ପିପାସା,
କାଇଁ କେତେ ଦିନର ତୁମର ସେ ଚାତକ ମନର ଆଶା
ଆଉ ଦିନପରେ ରାତି ଆଉ ରାତି ପରେ ଦିନ ଯେତେ
ସ୍ବପ୍ନ ଯେତେ ଆଖିରେ ତୁମର
ସବୁ ଥରେ ଶୀତଳ ବତାସ ପରେ ଶାନ୍ତ ପଡି ଯାଉ

ନୂଆ ଗୋଟେ ଆଶା ନେଇ ଫେରି ଆସ, ନୂଆ ପ୍ରତିଶୃତି
ଆଉ ଲକ୍ଷେ ଝାଂଜି ସହିବାର ନୂଆ ଗୋଟେ ସଂକଳ୍ପ
ତୁମେ ଚାଲୁଥିବ ସାଥେ, ସାଥେ ଥିବ ବାଟ ଯେତେ
ସେତେ ଥିବ ପୁଣି ହଜିଯିବାର ଆଉ ଗୋଟେ ଭୟ
ଥରି ଥରି ଡରି ଡରି ହାତେ ତୁମ ହାତ ଧରି
ଚାଲିଯିବା ଆଉ କିଛି ବାଟ -- କିଛି ଦୂର ଆଉ ଗୋଟେ ଦେଶ
କିଛି ଦିନ ବିତିଗଲେ ଗଲେ କିଛି ରାତି,
ସେ ଦେଶର ସୁଦୂର ଦିଗନ୍ତରେ ଦେଖିନବା;
ପ୍ରେମର ଆଉ ଏକ ରଙ୍ଗ, ଆଉ ଏକ ଚିରନ୍ତନ ସତ୍ୟତାର ପ୍ରତିଛବି
ସମୟର ସୁଅ ସାଥେ ତୁମେ ଯିବ ଭାସି,
ମୁଁ ଯିବି ତୁମରି ପଛରେ ଧାଇଁ -- ହେଲେ ପଛେ ହେଇ ଧଇଁ ସଇଁ

ହେଲେ ତୁମେ ଫେରି ଆସ
ଆସୁ ତୁମ ସାଥେ ଫେରି ସମୟର ଅଙ୍କା ବଙ୍କା ନଇ
ଫେରି ଆସୁ ଯୌବନର ପ୍ରଥମ ବିଚଳିତା -- ପ୍ରଥମ ସେ ଦ୍ଵନ୍ଦ
ହଁ ଆଉ ନାଁ ଭିତରର ଯେତେ ଯେ ପ୍ରଶ୍ନ,
ଯେତେ ଯେ ହଜିବାର ଦୁର୍ବାର ପ୍ରୟାସ ଗୁଡା
ଫେରି ଆସୁ ପରସ୍ପରକୁ କ୍ଷଣଟିଏ ଦେଖିବାର ଚଞ୍ଚଳତା
ମୁଁ ବୋଧେ ପାରିବି ଲଙ୍ଘି ସମୟର ଏଇ ନଇ ପରେ
ଭୀମ ସମ ଜୁଆରକୁ ଟପି ପୁଣି ଆଉ ଗୋଟେ ନିର୍ଜନ ପ୍ରାନ୍ତରେ
ଆଉ ଗୋଟେ ପ୍ରାନ୍ତରେ ଥିବ ଜୀବନର ଆଉ ଏକ ଆଶା
ମୃତ୍ୟୁର ଭୟବି ଥିବ, ହେଲେ ଥିବା ତୁମରି ସାନ୍ତ୍ୱନା
ଅକସ୍ମାତ ଯଦି ଏକ ଦିନ ରଚେ ଧ୍ବଂସର ଘୋର ପ୍ରହେଳିକା
ମିଶି ଯିବା, ମିଶି ଯିବା ମଝିରେ ତାହାର ଛାଡି ଶେଷ ଆଶା

କାଲି ଯଦି ମିଶିଗଲେ ବିଲୀନର ଗୋଟିଏ ସୁଅରେ
ଆଜି କଣ ଶାନ୍ତି ନାହିଁ ସୁନାମିର ସମାପ୍ତିର ପରେ?
ଆଜି କଣ ଆଶା ନାହିଁ ଜୀବନର ଆଉ ଗୋଟେ ଫର୍ଦ?
ଲେଖିବାକୁ ଆଜି କଣ ନାହିଁ ପ୍ରୟୋଜନ?
ମୁଁ ଚାହେଁନି ତୁମରି ଉତ୍ତର
ମୁଁ ଚାହେଁନା ତୁମରି ଉତ୍ତର ଓ ଉତ୍ତରର ଶତାଧିକ ପ୍ରଶ୍ନ
ମୋର ନିର୍ଯାତନା ଆଜି ତୁମରି ଆଭାରେ,
ମହୁମାଛି ଛାଡି ବସା ପ୍ରଫୁଲ ଫୁଲରେ
ଧ୍ବଂସ ଯେତେ କରିଦେଲେ, ଲୁଟି ଯେତେ ନେଇଗଲେ,
ତାର ନାହିଁ ପ୍ରଶ୍ନ କିବା ନାହିଁ ଅଭିଯୋଗ
ଖାଲି ତୁମ ଫେରିବା ବାଟରେ ଆଜି ବିତିଯାଉ ଯୁଗ

କେତେ ସତେ କଷ୍ଟ ଥିଲା ବିଦାୟ ସେଇଯେ ରଜନୀ
ତନ୍ଦ୍ରା ବାହି ଭାଷୁଥିଲା ସମୟର ଆଉ ଗୋଟେ ନଈ
କୂଳେ ଯାର ଥିଲା ସତ ସମୁଦ୍ରର ଢେଉ
ଅସ୍ତିତ୍ବର ପଟୁ ଚିହ୍ନ ଲିଭିଗଲା କାହୁଁ
ମାଡି ଗଲା ବାଲିଚାର ଭାଙ୍ଗି ବନ୍ଧ ଢେଉ
ନିଶିଥର କାଳିମା ଭିତରେ ଦୁହେଁ ହଜିଗଲେ କାହିଁ
ଥଳ କୁଳ ବାଟ ଘାଟ କିଛି ଦିଶେ ନାହିଁ
ତୁମେ ଦେଲ ଫେରିବାର ଶିଥିଳ ପ୍ରତିଶୃତି
ଦିନ ପରେ ଦିନ ଗଲା କେତେ ବର୍ଷା ଶ୍ରାବଣ ବି ଗଲା
କେତେ ଗ୍ରୀଷ୍ମ ତାତି ସହି କେତେ ଶୀତରାତିର କାକର
ଆଜିର ଏ ଅପେକ୍ଷାର ଦିଗନ୍ତରେ ବସିରହେ
ବସନ୍ତ ବି ଫେରିଗଲା ହେମନ୍ତ ବି ଗଲା

COMMENTS OF THE POEM
READ THIS POEM IN OTHER LANGUAGES
Close
Error Success