ମୁଁ ହସିଲି କାହିଁକି? {why I Laughed? } Poem by Abhaya Kumar Pradhan

ମୁଁ ହସିଲି କାହିଁକି? {why I Laughed? }

ନିସ୍ତେଜ ହୋଇ ଆସୁଥିବା ମୋ ଦେହନେଇ
ନିଦଗ୍ରସ୍ତ ଆଖି ଦୁଇ ସାମ୍ନା କରିବାକୁ ପ୍ରସ୍ତୁତ
ମୃତ୍ୟୁ କୁ - ଥୁରୁ ଥୁରୁ ହାତରେ ବାଡି ଖଣ୍ଡେ ଧରି
ସେତା ପଡିଥିବା ଫଟା ଓଠ ଧାରେ
ହସ ବାହାରିଗଲା ମୋର ହଠାତ୍ -
ସତେ, ଭାବନା ଢେଉରେ ମୁକ୍ତା-ସାମୁକା ହାତରେ ଲାଗିଛି!
ଯେମିତି ବୋଉ ତା' ବିଭାବେଳେ ଆଣିଥିବା
କଂସା ବାସନ ସବୁ ଚିକ୍ ଚିକ୍ କରୁଛି କଂସାରି ଡାକି
ରୋଷେଇ ଘରୁ କ୍ଷୀରୀ ଫୁଟିବାର ବାସ୍ନାର ମହକ,
ତୁମେ ଚଉରା ଲିପିଲା ବେଳେ ଗୋବରର ଗନ୍ଧ,
ଘର ଅଗଣାରେ ଲକ୍ଷ୍ମୀପାଦ ଝୋଟି,
ଗୋଲାପ ଗଛକୁ ଛାଇ ହେଉଛିବୋଲି
ବହୁ ବର୍ଷ ଧରି ଫୁଲ ଆସୁନଥିବା ସଜନା ଗଛକୁ
କାଟିବାର ବାପାଙ୍କ ନିଷ୍ପତ୍ତି
ହେଲେ ମୁଁ ହସିଲି କାହିଁକି?

କୋହଲା ପାଗ, ଘଡଘଡି ର ଫାଙ୍କା ଆବାଜ୍
ଡର - ଘର ସାମ୍ନା ଅଁଳା ଗଛକୁ ଚଡକ ମାରିବନି ତ?
ଟିଭିରେ ଫୋନି ତାଣ୍ଡବର ଖବର
ସରକାରଙ୍କ ପ୍ରସ୍ତୁତି - ବଡବଡ ଅକ୍ଷରରେ
ଜିରୋ କାଜୁଆଲ୍ଟି - ଆହୁରି କେତେ କ'ଣ,
ଏସବୁ ଭିତରେ ମୋତେ ମୋଟୁରୁ ଭୟ ଲାଗୁନି
ଯଦି ଚୂର୍ଣ-ବିଚୂର୍ଣ ମୋ କ୍ଷୁଦ୍ର ସତ୍ତାର ମହାତର୍ପଣ ହେବ
ଝଡରେ ଭାସି ଯାଇ ଲୀନହେବ ମହୋଦଧିରେ
ମୋର ଶବ୍ଦ ହୀନ ଚିତ୍କାର ମିଳେଇ ଯିବେ
କେଉଁ ଅଜଣା ଡାଏରୀରେ ସୁପ୍ତ ଥିବା
ଅପ୍ରକାଶିତ କବିତା ମାନଙ୍କ ଶବ୍ଦ ସମୁଦ୍ରରେ..
ଟେଲିଫୋନ୍ ଆରପଟୁ କାହା ସ୍ୱର ଶୁଣାବିକୁ ଅପେକ୍ଷା
କାହାର ମନେ ପଡିବି ମୁଁ - ମରିବା ଆଗରୁ
ପବନରେ ଝଡୁଥିବା ଅଁଳା ପତ୍ର ସବୁ
ଖରକିବାକୁ ହେବ କାଲି ସକାଳୁ ।

ବର୍ଷା ବୁନ୍ଦା ଓଜନରେ ଝରିପଡୁ ଥିବା ତରାଟ ଫୁଲ
ହସିଦେଇ କ'ଣ କୁହେ କେଜାଣି?
ତା' ମାତୄତ୍ୱ ଲାଭର ଖୁସି - ବିଦ୍ରୁପ କରେ
ଟାଙ୍କୁରି ଉଠେ, ଧୁଡୁ ଧୁଡୁ ଚମଡା ରପର ଲୋମକୂପ
ଓଃ! ଅସହ୍ୟ ଏ ଯନ୍ତ୍ରଣା - ବଢ଼ି ଗଲାକି ଅସ୍ଥି ମଜ୍ଜାରେ
ଆୟୋଡିନ୍ ର ମାତ୍ରା, ଯାହା ଇଙ୍ଗୀତରେ
ବଢି ଯାଇ ପାରେ ବି.ପି. ମେସିନ୍ ର ପାରଦ
ଆଖି ମାମ୍ନାରେ ନାଚି ଉଠିଲାଣି
ମୋ ଜୀବନର ଖୁବ୍ ସୁନ୍ଦର ମୁହୂର୍ତ୍ତମାନ
ହାତରେ ଧରି ତୋଡାଏ ଗୋଲାପ,
ଆଦ୍ର ଆଖିରେ ତୁମକୁ ଭୁଲ୍ ମାଗିବା
ଆମ ସ୍ୱାମୀ-ସ୍ତ୍ରୀ ଙ୍କ ଝଗଡାର ସୁଖଦ ଅନ୍ତ
ଛିଣ୍ଡା ଗୋଲାପ ସବୁ ଯଦି ଖଞ୍ଜି ହୁଅନ୍ତା ପୁଣି ଗୋଲାପ ଗଛରେ
ସତେଜ ହୋଇ ଉଠନ୍ତେ ଏଇ ବର୍ଷରେ-
ମୋ ନିରସ ହସ ମିଶି ଯାଆନ୍ତା ଗୋଲାପ ହସରେ

Thursday, June 20, 2019
Topic(s) of this poem: laughter,loneliness,love and life,nostalgia,old age ,old memory
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success