ମନ ଭିତରର ଚିଠି
ତୁମେ କ’ଣ ଆଜିକାଲି
ହିରୋ ହୋଣ୍ଡା ପଛରେ ବସି
ଭାରି ବୁଲା ବୁଲି କରୁଛ!
କାଲି ଦେଖିଥିଲି ତମକୁ
ମାଷ୍ଟରକ୍ୟାଣ୍ଟିନ୍ ଛକରେ
ଚାଟ୍ ଖାଉଥିଲ ।
କାଳିଆ ଡେଙ୍ଗା ଲୋକଟେ
ଛିଡା ହୋଇଥିଲା ତମ ପାଖେ ।
କାଳେ କ’ଣ ଭାବିବ ବୋଲି
ମୁଁ ଆଉ ପାଖକୁ ଗଲିନି ।
ହଁ, ସେଦିନ ଡାକିଥିଲି ତମକୁ
ରେଜଲ୍ଟ ବାହାରିଲା ଦିନ, ଆଇସକ୍ରିମ୍ ଖାଇବାକୁ
ଆସିଲନି କାହିଁକି?
ମନେ ପଡୁଛି ନା ।
ନା, ବାଣୀବିହାର କଥା ସବୁ ଭୁଲି ଗଲଣି ବୋଧେ।
ତିନି ତିନିଟା ଚିଠି ଲେଖିଲିଣି ୟା’ ଭିତରେ
ଉତ୍ତର ତ ଆଉ ଦଉନ ।
ପଚିଶି ପଇସିଆ ପୋଷ୍ଟକାର୍ଡ ପଠଉଥିଲି
ଯେତେବେଳେ ଉତ୍ତର ତ ଦଉଥିଲ ।
ଏବେ ଦାମିକା ଗୋଲାପୀ ରଙ୍ଗର ଲଫାପା
ସେଣ୍ଟ୍ ମାରି ପଠେଇଲେ ବି ଉତ୍ତର ଦଉନ!
ସତରେ ତୁମକୁ ବୁଝି ହୁଏନି ବେଳେ ବେଳେ!
ସୁମିତା ଦେଖା ହୋଇଥିଲା, କହୁଥିଲା
ତୁମେ ଆଜିକାଲି କୁଆଡେ
ଖୁବ୍ ଚିଠି ଲେଖୁଛ!
କାଇଁ, ମୁଁ ତ ଗୋଟାଏ ବି ପାଇନି ।
ମନେ ଅଛି ଥରେ ଷ୍ଟେଟ ଲାଇବ୍ରେରୀ ସାମ୍ନାରେ
ଦେଖା ହୋଇଥିଲା
ତମେ ସେ ଡେଙ୍ଗା ଲୋକଟା ସାଙ୍ଗରେ
କ’ଣ ଗପୁ ଥିଲ ।
ମୋତେ ଦେଖି ହସିଦେଲ
ହେଲେ ଆଉ କିଛି କହିଲନି;
ଭାବୁଥିଲି କେଶରୀ ସିନେମା ଆଡେ
ତୁମକୁ ଡାକିବି, ହେଲେ କ’ଣ ଭାବି....
ସେ ଦାଢିଆ ଲୋକଟା ବି ଥିଲା ସେଇଠି
ତୁମେ ତ ଜାଣ
ଦାଢିଆ ଗୁଢା ମୋ’ତେ କେମିତି କେମିତି ଲାଗନ୍ତି ।
ଏବେ ବି ଲାଇବ୍ରେରୀରେ ମୁଁ ତୁମକୁ
ପ୍ରାୟ ଦେଖେ ।
ଆରେ ହଁ, ମୁଁ ଭୁଲି ଗଲି କହିବାକୁ,
ୟା’ ଭିତରେ ମୁଁ ଚାକିରିଟାଏ ଜଏନ୍ କରିଗଲିଣି
ସେକ୍ରେଟେରିଏଟରେ –
ଜୁନିଅର ଆସିଷ୍ଟାଣ୍ଟ ।
ବୟସ ତ ଗଡି ଗଲାଣି,
ଆଉ ବି କୁଆଡେ କିଛି ହବାର ନାହିଁ, ତେଣୁ
ଜଏନ୍ କରିଗଲି ।
(ତୁମେ ପଚାରୁଥିଲ ନା ଦିନେ
ମୁଁ ଚାକିରି ଖଣ୍ଡେ କେବେ କରିବି ବୋଲି?)
ଯା’ ହେଉ, ପିଲାଙ୍କୁ ତ ଏତିକି ବି ମିଳୁନି ।
ଏବେ ସେମିତି ପଇସାପତ୍ର ଅସୁବିଧା ନାହିଁ,
ସେଭିଁ କିଛି କଲିଣି, ନୂଆ
ରେସିଂ ସାଇକେଲ୍ ଟେ ବି କିଣିଛି ।
(ସେ ପୁରୁଣା ଧତଡା ସାଇକେଲ୍ ଟା ଚଢି ଚଢି ସତରେ
ମୋ’ ଅଣ୍ଟାଟା ଦରଜ ବାହାରି ପଡିଲା ।)
ଅବଶ୍ୟ ଜଣକିଆ ଲୋକଟାକୁ ସାଇକେଲ୍ ଟା କାଫି!)
ଭୁବନେଶ୍ୱର ପୁସ୍ତକମେଳା ପଡିଛି, ଯିବ?
ତୁମର ତ ହିନ୍ଦୀ ଉପନ୍ୟାସରେ ସଉକ,
ଯିବ ଯଦି ଚାଲୁନ, ରିକ୍ସାରେ ନହେଲେ
ଟାଉନ୍ ବସ୍ ରେ ଚାଲି ଯାଆନ୍ତେ ।
(ସାଇକେଲରେ ନୁହେଁ ମ!)
ଏଇ ଶନିବାର ଦିନ ଯାଇଥିଲି ତମ ଘର ଆଡେ
ସେ କାଳିଆ ଦାଢିଆ ଲୋକଟା
ଦେଖା ହୋଇଗଲା ସେଇଠି ।
ପଚାରିଲା କାହାକୁ ଖୋଜୁଛ ।
ତମ ନାଁ କହିଲାରୁ ସେ କହିଲା କୁଆଡେ
ତମେ ତା’ ସାଥୀରେ ଇଭିନିଂ ଶୋ’
ଫିଲିମ୍ ଦେଖି ବାହାରିଛ ।
ମୁଁ ଫେରି ଆସିଲି ସେଇଠୁ ।
ଚାହିଁଲେ ବି ତୁମ ସାଥିରେ ଆଉ
ଦେଖା ହୋଇ ପାରୁନି ।
ସୁମିତା କହୁଥିଲା ତୁମକୁ କିଏ ଆଜିକାଲି
ରେଗୁଲାରଲି ଚିଠି ଦଉଛିବୋଲି ।
ମୁଁ ଭାବିଲି ମୁଁ ହେଇଥିବି,
କିନ୍ତୁ ସୁମିତା କହିଲା ନାଇଁ ଆଉ କିଏ ।
କିଏ – କିଏ ସେଇ କାଳିଆ ଲୋକଟା
ଯା’ ହିରୋହୋଣ୍ଡାରେ ବସି
ତୁମେ ଆଜିକାଲି
ଏତେ ବୁଲାବୁଲି କରୁଛ? ?
- - o- -
This poem has not been translated into any other language yet.
I would like to translate this poem