Zz Purushaartha (Oriya) Poem by Dr Tapan Kumar Pradhan

Zz Purushaartha (Oriya)

Rating: 5.0

ପୁରୁଷାର୍ଥ

ତୁମେ ଭାବ ଜୀବନଟା ସଫଳ ହୋଇଗଲା –
ବାଡିରେ ଧଳା ଆମ୍ବାସାଡର
ବର୍ଷକୁ ଯୋଡାଏ ପିକନିକ୍
ବୈଶାଖରେ କାଠମାଣ୍ଡୁ
ତିନି ତିନିଟା ପ୍ରମୋଶନ୍, ପୁଅ ଯୋଡାକୁ କନଭେଣ୍ଟ୍
ଝିଅଟାକୁ ଶାସ୍ତ୍ରୀୟ, କରାଟେ, ଓଡିଶୀ
ଆଉ କ’ଣ –
.......... ବାସ୍ – ସଫଳ ହୋଇଗଲା!

ତୁମେ ଭାବ, ଜୀବନରେ ଶାନ୍ତି ଆସିଗଲା –
ନିଜ ପୋଖରୀରୁ ମାଛ, ମାସକୁ ତାଡାଏ ପେନସନ୍
ଦି’ ଦିଟା ଚାକର୍, ଗେଲ କରିବାକୁ କୁକୁର
ଟି.ଭି.ରେ ତେନ୍ଦୁଲକର, ସନ୍ଧ୍ୟାରେ କ୍ଲବ
ଦିନେ ଛଡା ଦିନେ ମନଖୋଲା ସାନ୍ଧ୍ୟ ଭ୍ରମଣ
ନିଦ ନ ହେଲେ ଯୋଡାଏ ବଟିକା, ରାତିରେ
ଲଂଗଳା ମାଈପଟାକୁ ଛାତିରେ ଜାକି
ତୁମେ ଭାବ –
............ ଆଃ, ଶାନ୍ତି ଆସିଗଲା!

ତୁମେ ଭାବ ଦାୟିତ୍ୱଟା ସରିଗଲା –
ବୁଢା ବାପା ପାଇଁ କାଶ୍ମିରୀ ଶାଲଟେ
ବୁଢୀକୁ ପୁରସ୍ତମ ଦି’ଥର, କାଶୀ
ବଦ୍ରିନାଥ ଥରେ ଥରେ
କେମ୍ପା ଭିକାରୀକୁ ଚାରିଅଣା
ଛୋଟାକୁ ଟଂକାଏ, କେବେ ଅନ୍ଧକୁ
ଦେଢ ଟଂକା ଫୋପାଡି
ତୁମେ ଭାବ –
............. ଚାଲ, ଦାୟିତ୍ୱଟା ସରିଗଲା!

ପଚିଶି ଟଂକାରେ ଉପନିଷଦଟେ କିଣି
ଅଠରଟା ଶ୍ଳୋକ ଗୀତାରୁ ଘୋଷି
ପାହାନ୍ତାରୁ ବଡ ପାଟିରେ ଗାୟତ୍ରୀ ପଢି
ପେଟରେ ପାଣି ବାଡେଇ, ମାଳା ଜପି
ଚନ୍ଦା ମୁଣ୍ଡରେ ଚନ୍ଦନ ମାଖି
ନାରାୟଣ, ନାରାୟଣ ଡାକି ଦି’ଥର
ତୁମେ ଭାବ –
............. ଯା’ ହେଉ, ମୋକ୍ଷଟା ମିଳି ଗଲା ।


- - o- -

POET'S NOTES ABOUT THE POEM
Written in April 1998.
COMMENTS OF THE POEM
READ THIS POEM IN OTHER LANGUAGES
Dr Tapan Kumar Pradhan

Dr Tapan Kumar Pradhan

Bhubaneswar, Odisha, India
Close
Error Success