ମଣିଷଟେ ହେବାକୁ ଏତେ କଷ୍ଟ
ଗଜାନନ ମିଶ୍ର
ଦେଖରେ ଶଳେ ଦେଖ
ମଣିଷଟେ ହେବାକୁ
ଭୋଗୁଛି କେତେ କଷ୍ଟ!
ପରଖି ପରଖି ସତମିଛ
ପଡୁଛି ଚାଲିବାକୁ, ତୁମେଇ
ବିଛେଇଥିବା ଡହ ଡହ
ନିଆଁ ଉପରେ, ସକାଳୁ ସଂଜ।
ଜାଣେରେ, କାମ ନାଇଁ
ଲାଂଚ ଦିଆନିଆ ଗଫଲତିର,
ଜାଣେ, ତୁମ ପରି ଅପାରଗ
ଭେଲିରେ ଶିକ୍ଷା ମିଳିଛି ପ୍ରଚୁର।
ଜାଣେ, ନିଜେ ତୁମେ ସବୁ
ବୁଝିଲାବେଳକୁ ବ୍ୟାପି ସାରିଥିବ
ଚାରିଆଡେ ଘମାଘୋଟ ଅନ୍ଧାର।
ଅନ୍ଧଗୁଡାକ ତୁମେ, ଜାଣେ।
ବୁଝି ବି ରହୁଛ ଅବୁଝା, ଜାଣେ।
ଚେଇଁ ଶୋଇଛ ସାରା ଜୀବନ
ଏଣେ ହୋଇ ହୋଇ ଯାଉଛ
ଜଣେ ପରେ ଜଣେ ଶୂନ୍ଯ ।
ଆରେ ହେଃ, ବେଧ ଛୁଆ କି ତୁମେ?
ନା ତ! ଦିଶୁ ନ ସେମିତି।
ମୁଁ ମୋର କରୁଛି ମଣିଷଗଢା ପ୍ରୟାସ,
ଦେଖିବ ଯଦି ଆସ, ଡଙ୍ଗରତଳକୁ ଆସ।
ମାଟି ଖୋଳୁଛି, ଘାସଗଛ ଲଗାଉଛି
ଦି ଓଳି ଦେଉଛି ପାଣି,
ଅନାବନା ବାଇବିଛୋ ସବୁକୁ
ଭିତରୁ ବାହାରୁ କରୁଛି ନଷ୍ଟ।
ଯାଇଛି ବି ଭୁଲି ଶତ୍ରୁ ମିତ୍ର।
ଅବଶ୍ୟ ଅଛି ସତର୍କ ।
ଅବଶ୍ୟ ମଣିଷଟେ ହେବାକୁ
ନିଜେ ଇ ହେଉଛି ପଥର।
ବିଜୁଳି ଆଲୁଅରେ ହେଉଛି ଅଗ୍ରସର।
ଦଗାଦାର ନିମକହାରାମଙ୍କ ଫାଲତୁ
ଚାଲାକି ସବୁକୁ ଆଡେଇ ଦେଇ ହେଉଛି
ଠିଆ ମୁଁ ମୋର ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/7/2019
This poem has not been translated into any other language yet.
I would like to translate this poem