ହୃଦୟକୁ କର ନା କ୍ଷୁଦ୍ର, ପ୍ରିୟ ମଣିଷ।
କୌଣସି ପରିସ୍ଥିତିରେ ବି,
ମନକୁ କର ନା ଦୁର୍ବଳ।
ରୁହ ଶକ୍ତ ଆଉ ଦେଖ,
ବିନାଶ ହେଉଛନ୍ତି କେମିତି
ମା ମାଟି ମାତୃଭାଷାର
ଶତ୍ରୁକୁଳ।
ପ୍ରିୟ ମଣିଷ,
ଅପେକ୍ଷା କର ଆଉ ଦେଖ,
ତୁମ ନିଜ ଅସ୍ଵାଭାବିକ ମୋହ
ତୁମକୁ ଦେଉଛି କେମିତି ଅନ୍ଧାର।
ଖୋଜୁଛ ଅର୍ଥ?
କୀଟ ପତଙ୍ଗ ସରୀସୃପ
ଜଡଜୀବ ସ୍ଥାବର ଅସ୍ଥାବର
ସବୁ ତ ତୁମର, ସବୁ ତୁମେ,
ସବୁ ତୁମର ଆତ୍ମୀୟ,
ତୁମ ଛଡା ନାହିଁ କିଛି ଆଉ କୋଉଠି।
ହୁଅ ନି କାତର, ହେ ମଣିଷ,
ଶବ୍ଦକୁ ଆହୁରି ଆୟତ୍ତ କର।
ଯୋଉମାନେ ବିଶ୍ୱାସରେ ଏ ଯାଏ
କରି ନାହାନ୍ତି ବିଶ୍ୱାସ,
ସେମାନଙ୍କୁ ଆଉ କର ନା ବିଶ୍ୱାସ।
ସେମାନଙ୍କ ପାଇଁ କର ନା ବରବାଦ
ତୁମ ଅମୂଲ୍ଯ ସମୟ।
ଖରା କାଟିବ, ଶୀତ ଆସି
ଦେହ ହାତକୁ ଥଣ୍ଡା କରିବ,
ଦ୍ୱନ୍ଦ ଆସିବ, ଆଉ ତୁମେ
ସବୁ ସହିବ, ହୁଅ ନା ବିଚଳିତ।
ନିଜକୁ ଉଠାଅ ଉପରକୁ,
ସତ୍ ଅସତ୍ ରୁ।
କାହାରି ନେଣଦେଣ ନାହିଁ
ମାଟିରେ ଆକାଶରେ।
ସବୁ ଜାଣ, କଣ ହୋଇଛି,
କଣ ହେବାକୁ ଅଛି ଆଉ
କଣ ହୋଇଥିଲି, ସବୁ ଜାଣ।
ଯାହା ହେବାର ହୋଇ ଚାଲିଛି,
ଆଉ ଆମେ ଏଠି ସବୁ
ନିମିତ୍ତମାତ୍ର।
ଜାଣି ପାରୁ ନୁ ପ୍ରକୃତ ତଥ୍ଯ ।
ଜାଣିବାରେ ବି ନାହିଁ ଲାଭ,
ଜାଣିବାରେ ନାହିଁ ଆଗ୍ରହ।
ଆମେ ଅଛୁଁ ଏଠି,
ଏଇଟା ଇ ସତ୍ଯ,
ସତ୍ୟ ଶାଶ୍ୱତ ଆମର ଅସ୍ତିତ୍ବ ।
ଆମ ନିଜ ଭାଷାରେ
ରହିଛି ପୂରି ସବୁ ତତ୍ତ୍ୱ।
ଉଠ, ନୂତନ ଅଗ୍ନିରେ
ଯୋଗଜନ୍ମା ହୋଇ
ନିଜକୁ କର ଆଉ ଆଉ ଅଧ୍ୟୟନ,
ହେ ମଣିଷ, ତୁମେ ପୂର୍ଣ
ପୁଣି ଶୂନ୍ଯ ପୁଣି ସନାତନ ।
This poem has not been translated into any other language yet.
I would like to translate this poem
stay free men with heart open