1.
ନୁହଁ କିଛି ବିକ୍ରି ପାଇଁ,
ଆଉ ଜାଣିରଖ, ସବୁଦିନକୁ
କେହି ରଖି ପାରି ନି କଥା।
ରାତି ପାରେ ନି ହୋଇ ପବିତ୍ର,
ନ ଥିଲେ ଭାବନା ସୁନ୍ଦର
ଆତ୍ମାକୁ ବାନ୍ଧି କେହି ପାରେ ନି।
ଛୋଟ ଯେ ନୁହଁ ଭଲ ନୁହଁ ଏମିତି କିଛି।
ନଈ ହେଉ କି ସମୁଦ୍ର ସବୁ ରହସ୍ୟମୟ,
ଆଉ ଆକାଶ ଯେ ନଇଁ ନ ଯାଇଛି
କହିବାକୁ ପ୍ରତ୍ୟେକ ହମ ହମ।
ନୀରବରେ ସାରିଲାବେଳକୁ ବାଟ
ଖେଳୁଆଡ ମନ ନେଇ କେହି
ଛାଡି ଦିଏ ନି ଜିଭକୁ ଯା ଯା କହି,
ଶବ୍ଦ ଦେହରେ ରଙ୍ଗ ଲଗେଇ
ପାହାଡ ତିଆରି କାମ ଅଧା ରଖି।
କେହି ସାଙ୍ଗ ଅଛି କି ନ ଅଛି
ପଚାରି ବୁଝିବାକୁ ସମୟ ନାହିଁ ଗଛଠି।
ଆଜିକାଲି କୋଉ ଋତୁ ଚାଲିଛି
କହିବାଟା ଇ କଷ୍ଟ ଆଉ ମୁସ୍କିଲ।
ଗୀତ ପୁଣି ନୂଆ ମନଜିଣା,
ନୂଆ ଖୁସିରେ ସମୟକୁ ରଖିହେବ
ଆୟତ୍ତରେ ଏମିତି ନଜିର ନାହିଁ।
ଖେଳଟା ଖେଳ ହିଁ
ଯିଏ ଯେମିତି ଯାହା କହୁ ଯୋଉଠି।
ପ୍ରତିକ୍ରିୟା ନ ଦେଖାଇଲେ
ଖେଳର ମଜା ନେଇ ହୁଏ ନି
ଅସ୍ୱୀକାର କରେ ନି କେହି କୋଉଠି ।
ମିଠାରେ ହେଉ କି ହେଉ ପିତାରେ
ନିଜକୁ ଛିଡା କରେଇବାକୁ ପଡେ
ସଭିଙ୍କ ସାମ୍ନାରେ ଯେ ସେ ଅଛି
ସମସ୍ତ ନକାରାତ୍ମକର ଉର୍ଦ୍ଧ୍ବରେ।
2.
ହତାଶା ହାହାକାର
ଦୀର୍ଘନିଶ୍ୱାସ
ଆକାଶୁ ଆକାଶ।
ବେଦନା ଚିତ୍କାର
ନିର୍ଲଜ ଉଲ୍ଲାସ
ଆକାଶୁ ଆକାଶ।
ପଂଜରା ଥରା ନୀରବତା,
ଭୟଙ୍କର ଅନ୍ଧାର।
ଝଡ, ବିଚ୍ଛେଦ
ବିଜୁଳି ଜରଜର।
ମେଘ ପବନ ଘୋଡା
ରାତି ବରଷା,
ତୁହା ତୁହା
ନାଇଁ କିଛି ଆଉ
କେମିତି କ୍ଷତ ଧୋଇବା।
ଖାଲି କଙ୍କାଳ ଖାଲି କଙ୍କାଳ
ନାହିଁ ମେଦ ମାଂସ ମଜ୍ଜା,
ନାହିଁ ନିଦ୍ରା, ପଡିଛି ଶୁଖିଲା
ଆମ୍ୱତୋଟା, ପଥର ମାଟି କଟା।
ଘାସଗଛ ପୋଡାଥୁଣ୍ଟା,
ଅପଯଶ ଛାତିଫଟା।
ଏ ଠା ସେ ଠା ନଈପଠା
ବିକଳ କାରୁଣ୍ୟ ବର୍ଷା।
କୋଉଠି ଆକାଶ?
କୋଉଠି ଆକାଶ?
This poem has not been translated into any other language yet.
I would like to translate this poem