<strong><b>ଏକ ଦୁର୍ବାର ଅଭିଳାଷ</b></strong>
ଆମେ ଦେଖୁଥିଲୁ
ସବୁଜ ଘୋଡା ଗୁଡିଏ ଡେଇଁ ଡେଇଁ
ବନ ବିଲ ପ୍ରାନ୍ତର ନ ମାନି
ଦିଗବଳୟ ଅଭିମୁଖେ ଛୁଟି ଚାଲି ଥିଲେ
ଆଉ ପୃଷ୍ଠରେ ବସାଇ ନେଉଥିଲେ
ଖଡଗ ବର୍ମ୍ମ ଧାରୀ ସୁନେଲି କଇଁଛ ଗୁଡିଏ
ଯେଉଁ ମାନଂକର ନିର୍ଭୀକ ରଣ ହୁଂକାର
କ୍ଷଣେ କ୍ଷଣେ ଧରାକାଶକୁ ସ୍ତମ୍ଭୀତ କରି ଦେଉଥିଲା
ଆଉ ସୂଚାଇ ଦେଉଥିଲା
ଆଗତପ୍ରାୟ ସେଇ ଯୁଗାନ୍ତକାରୀ ନାଟକଟି ସମ୍ବନ୍ଧରେ –
ଚାହୁଁ ଚାହୁଁ ପର୍ଦ୍ଦା ହଟି ଯାଇଥିଲା
ଦର୍ଶକ ମାନେ ଘନ ଘନ କରତାଳି ଦେଉଥିଲେ
ଆଉ ଦେଖୁଥିଲେ ବେନି ନୟନ ପୂରାଇ
ପର୍ଦ୍ଦା ପଛ ପଟର ସେଇ ରୋମାଂଚକାରୀ
ଅଭୂତ ପୂର୍ବ ଦୃଶ୍ୟଟିକୁ:
ଦଳେ ଚିତ୍ର ବିଚିତ୍ର ଗୋଲାପୀ ହସ୍ତୀ
ଚତୁଃପାର୍ଶ୍ୱସ୍ଥ ଅଭଦ୍ର ଶୃଗାଳ ମାନଂକର
ଘନ ଘନ ପରିହାସ ସତ୍ତ୍ୱେ
ସଶରୀରେ ଶୂନ୍ୟରେ ଉଡ୍ଡୀୟମାନ ହେବାକୁ
ପ୍ରୟାସୀ ଥିଲେ ।
ମେଘ ମାନେ ହସି ହସି ଗଡି ଯାଉଥିଲେ
ଅସ୍ତଗାମୀ ସୂର୍ଯ୍ୟ ଓ ଉଦ୍ଧତ ଛଂଚାଣ ମାନଂକ ଗହଣରେ
ତଥା କହୁଥିଲେ –
ଏ ଆକାଶ ଆମର
ଆମେ ଏହାର ଏକଛତ୍ରୀ ସମ୍ରାଟ୍
ତୁମ ପରି ସାମାନ୍ୟ ଚତୁଷ୍ପଦ ପ୍ରାଣୀର
ଏଠି ସ୍ଥାନ ନାହିଁ ।
ଏହା କିନ୍ତୁ ଉତ୍ସାହ କମାଇ ଦେଇ ପାରି ନଥିଲା
ସେହି ଉଦ୍ୟୋଗୀ ବୁଢିଆଣୀ ମାନଂକର
ଯେଉଁମାନେ ଅନବରତ ବୁଣି ଚାଲିଥିଲେ
ହସ୍ତୀ ମାନଂକର କର୍ଣ୍ଣପଟଳ ଗୁଡିକୁ
ଉଡାଣୋପଯୋଗୀ ସୁବିଶାଳ
ତଥା ଇନ୍ଦ୍ରଧନୁ ସମ ସୁଶୋଭିତ କରିବାପାଇଁ;
କିମ୍ବା ସେହି ପ୍ରଜାପତି ଆଉ ମହୁମାଛି ମାନଂକର
ଯେଉଁ ମାନେ ଯୋଡି ଚାଲି ଥିଲେ
ଗୋଲାପୀ ହସ୍ତୀ ଗୁଡିକର ପଶ୍ଚାଦ୍ ଭାଗରେ
ମକରନ୍ଦ ଯୋଗେ
ଅସଂଖ୍ୟ ଓଟପକ୍ଷୀ ପର ତଥା ଆମ୍ର ପଲ୍ଲବ;
କିମ୍ବା ସେହି କ୍ଷୁଦ୍ର ଅଥଚ ଦୁଃସାହସୀ ପିମ୍ପୂଡି ମାନଂକର
ଯେଉଁ ମାନେ ବୋହି ଚାଲିଥିଲେ ବିନ୍ଦୁ ବିନ୍ଦୁ କରି
ଅନେକ ମାଟି, ବାଲି, ଗୋଡି
ଶତ ବିଫଳତା ସତ୍ତ୍ୱେ ଗଢି ତୋଳିବା ପାଇଁ
ହସ୍ତୀ ମାନଂକର ଲମ୍ପ ପ୍ରଦାନ ସକାଶେ
ସୁବିଶାଳ ଏକ ଉତ୍ତରଣ ମଂଚ ।
*** **** ***
ବିରାଟ ପକ୍ଷତୁଲ୍ୟ କର୍ଣ୍ଣ ପଟଳ ଗୁଡିକୁ ମେଲାଇ ମେଲାଇ
ଗୋଲାପୀ ହସ୍ତୀ ଗୁଡିକ ପହଁରି ଚାଲିଥିଲେ
ଗୋଧୂଳିର ନୀଳାକାଶ ବକ୍ଷରେ –
ଲାଜ ପାଇ ଲୁଚୁ ଥିଲେ
ମେଘ ମାନେ ଅନ୍ଧକାର ପଛରେ
ଓ ଆହତ ସୂର୍ଯ୍ୟଦେବ ସୁମେରୁ ପଛରେ,
ଆଉ ଅପମାନ ଜର୍ଜ୍ଜରିତ ଛଂଚାଣ ମାନେ
ଶୋଇ ପଡିବାର ଛଳନା କରୁଥିଲେ ।
ଯେଉଁ ଅତିକାୟ ହସ୍ତୀମାନେ ଉଡିବାକୁ ସମର୍ଥ ହୋଇନଥିଲେ
ସେମାନେ ପ୍ରଚେଷ୍ଟା କରୁଥିଲେ ବର୍ତ୍ତମାନ
ସୂଉଚ୍ଚ ସେଇ ହଳଦିଆ ବୃକ୍ଷ ଗୁଡିକୁ ଆରୋହଣ କରିବାକୁ,
ଏବଂ ପରିଶେଷରେ ସଫଳ ହୋଇଥିଲେ ମଧ୍ୟ –
ହେଲେ ଏତିକିରେ ନାଟକଟିର କ୍ଲାଇମାକ୍ସ ଆସିଯାଇ ନଥିଲା
*** *** ***
ସହସା ଦୂରରୁ ଘୋଟି ଆସିଲା ବିରାଟ ଏକ ଧୂଳି ପଟଳ,
ତନ୍ମଧ୍ୟରୁ ନିଷ୍କ୍ରାନ୍ତ ହେଲେ ଅବିଳମ୍ବେ
ତୀକ୍ଷ୍ଣ ଶୃଙ୍ଗଧାରୀ ଅଗଣିତ ବରାହ ଓ ପୁଙ୍ଗବ –
ଝପଟି ଆସି ସେମାନେ ହଳଦିଆ ବୃକ୍ଷ ଗୁଡିକୁ
ସମୂଳେ ଉତ୍ପାଟନ କରିବାରେ ଲାଗିପଡିଲେ ।
ବୃକ୍ଷାରୋହୀ ଗୋଲାପୀ ହସ୍ତୀଗୁଡିକ ଚିତ୍କାର କରି ଉଠିଲେ
ଏବଂ ପ୍ରାଣ ଭୟରେ ଅଙ୍ଗ ପ୍ରତ୍ୟଙ୍ଗ ଚାଳନା କରୁ କରୁ
ହଠାତ୍ ଶୂନ୍ୟକୁ ଲମ୍ପ ପ୍ରଦାନ କଲେ
ଏବଂ ଉଡ୍ଡୀୟମାନ ଅଗ୍ରଗାମୀ ହସ୍ତୀ ଗୁଡିକ ପଛରେ
ଭାସି ଭାସି ଚାଲିଲେ ।
ଦେଖୁ ଦେଖୁ
ତୁହାକୁ ତୁହା ହ୍ରେଷ୍ରାରବ
ଓ ବିପୁଳ କରତାଳି ମଧ୍ୟରେ
ସବୁଜ ଘୋଡା ଗୁଡିକ ଡେଇଁ ଡେଇଁ
କାହୁଁ ଆସି ପହଂଚି ଗଲେ,
ଏବଂ ଆରୋହୀ ସୁନେଲି କଚ୍ଛପମାନେ
ରଣ ହୁଂକାର ଦେଇ କୋଷମୁକ୍ତ ଖଡଗ ଯୋଗେ
ଆକ୍ରମଣକାରୀ ମାନଂକ ଉପରେ
ସହସା ଚଢାଉ ଆରମ୍ଭ କରି ଦେଲେ;
ଭୟ ଚକିତ ବରାହ ଓ ପୁଙ୍ଗବ ସେନାମାନେ
ଯଥାଶୀଘ୍ର ଲାଙ୍ଗୁଳଟିମାନ ଲୁଚାଇ ପକାଇ
ଆଖି ପିଛୁଳାକେ ପର୍ଦ୍ଦା ଆଢୁଆଳରେ ଧାବମାନ ହେଲେ ।
- - o - -
ପାଦଟୀକା: -
ସବୁଜ ଘୋଡା – ପରିବର୍ତ୍ତନର ବାର୍ତ୍ତାବହ
ସୁନେଲି କଚ୍ଛପ – ପରିବର୍ତ୍ତନର ସଂବାହକ
ଗୋଲାପୀ ହସ୍ତୀ – ମାନବୀଯ ଆକାଂକ୍ଷା, ସ୍ୱାଧୀନତା
ସୂର୍ଯ୍ୟ, ଛଂଚାଣ, ମେଘ – ପୁଂଜିବାଦୀ / ସାମ୍ରାଜ୍ୟବାଦୀ ଶକ୍ତି
ଶୃଗାଳ – ପୁଂଜିପତିର ଚାଟୁକାର
ବୁଢିଆଣୀ, ପିମ୍ପୂଡି, ପ୍ରଜାପତି – ନିଷ୍ପେଷିତ ସାଧାରଣ ଜନତା
ବରାହ, ପୁଙ୍ଗବ – ସାମ୍ୟବାଦୀ ଶକ୍ତି
ଆମେ, ଦର୍ଶକ – ଗୋଷ୍ଠୀ ନିରପେକ୍ଷ ବିଶ୍ୱ ଦରବାର
- - o- -
This poem has not been translated into any other language yet.
I would like to translate this poem