ଇଏ ନୁହଁ ଗାନ୍ଧୀଙ୍କର,
ଇଏ ନୁହଁ ମାନର,
ଇଏ ନୁହଁ ବି ମାଧବର ।
ଲୁଣ କଥା କହୁଛ ତ ମାନ,
ରୁହ ଟିକିଏ ।
ମୁଁ ଆଉ ଥରେ ଦେଖିନିଏଁ
ଅଛି କଣ କେଉଁଠାରେ ।
ଭାବୁ ଭାବୁ ଲୁଣ କଥା
ଆଉ ଦେଖୁ ଦେଖୁ ସମୁଦ୍ରର ରୂପ
ମଣିଷଠୁ ଶୁଣିଲିଣି ଡାକ,
ରୁହ ଟିକିଏ, ଦେଖିନିଏଁ ଆଉଥରେ,
ଚାଖି ପରଖି କହିବି
ଦାୟରାୟରୁ ମୁକ୍ତ କିଏ ।
କହିବି କିଏ ବେଚାରା
ଆଉ କିଏ ନାଚାର ।
ଭୁଲ ବୁଝିବାର ନାହିଁ କିଛି ଏଠାରେ,
ଏ ଲୁଣ ଆଉ କଣ ସେ ଲୁଣ ହୋଇ ଅଛି!
ୟା ଭିତରେ କେତେ କିଏ ସାରିଛନ୍ତି ବଦଳି,
ୟାଭିତରେ ବିଶ୍ଵମୁଖା ମଣିଷ ସାରିଛି ଭୁଲି ନିଜପର ।
ଲୁଣକୁ କରି ନି ଖାତିର, ଆଉ ଲୁଣକୁ ବି
କେହି ପଚାରି ପାରି ନି, କେମିତି ଅଛୁରେ ଲୁଣ,
ଖାଉଛୁ କଣ, ଆଉ ରହିଛୁ କୋଉଠି ।
ଏଇଟା ବି ସତ ମାଧବ,
ଦେହସାରା ଆମର ଲୁଣ ଆଉ ଆମେ
ଯାଇଛୁ ଭୁଲି ଲୁଣର ଗୁରୁତ୍ଵ ।
ଲୁଣ ମାନେ କଣ ପ୍ରକୃତରେ
ଜାଣିନୁ ଆଉ ଲାଗିପଡିଛୁ
ବାଡିଆପିଟାରେ ନିଜ ନିଜ ଭିତରେ
ଆମକୁ ଜଣା ଯଦିଓ ଆମେ ସବୁ ଏକ ।
ହଉ ଛାଡ, ଲୁଣକୁ ଦିଅ ଛାଡି
ଲୁଣ ବାଟରେ । ମୁଁ ବ୍ୟସ୍ତ ଏବେ
ବିନାକାମରେ । ତଥାପି ଅଛି
ତୁମ ସାଥୀରେ, ଯଦିଓ
ଲୁଣ ନ ହେଲେ ବି
ମୁଁ ପାରିବି ରହି ଏଠାରେ
ନିଜ ଭିତରେ ନିଜକୁ ନ ହରାଇ ।
This poem has not been translated into any other language yet.
I would like to translate this poem