ମୁଁ କିଏ?
ମୋର ତୁମର ସଂପର୍କ କଣ?
କଣ କିଏ କହେ?
କିଛିର ଉତ୍ତର କାହାକୁ
ଜଣା ନ ଥିବାବେଳେ ସମସ୍ତେ ହୁଅନ୍ତି ରୁଣ୍ଡ
ଆଉ ହୁଅନ୍ତି ଡକାଡକି
ଚାଲରେ ଚାଲ କରିବା ଯୁଦ୍ଧ,
ଯୁଦ୍ଧର ଅର୍ଥ, ଯୁଦ୍ଧର କ୍ଷୟକ୍ଷତି
କାହାକୁ କିଛି ନ ଥାଏ ଗୋଚର ।
କିଏ କହେ ମେଘଟେ ଆସୁଛି,
କିଏ କହେ ପଳାଅ, ପଳାଅ ।
କିଏ କହେ ଇଏ ସବୁ ହେଉ ନି ସହି,
କିଏ କହେ ହଁ ଯେ କରିପାରିବା କଣ କୁହ ଭାଇ ।
ଭାଇ ଭାଇ ବୋଲି ଆଉ କିଏ ମାରେ ଛୁରୀ,
ଆଉ କିଏ କୁକୁରକୁ ଦିଏ ଗାଳି,
ଆଉ କିଏ ବ୍ରତ ଉପବାସ ରହି
ଅନୁଭବ କରେ ସମୟର ଗତି ।
ଦିନ ବର୍ଷ ମାସ ବିତିଯାଏ,
କାହାରି କିଛି ହିସାବ ନ ଥାଏ ।
ମୁଁ ମୋଠି ମାପୁଥାଏଁ ଆକାଶ
ଆଉ ଆକାଶ ସେମିତି ଥାଏ ନିର୍ଲିପ୍ତ ।
ମୂଷାମାନେ ରାତିସାରା କରୁଥାନ୍ତି
ନୁଟୁରୁ କୁଟୁରୁ ପାଲା,
ଘୁଂଚି ଯାଉଥାଏ ମେଘ ଆକାଶ,
ଧରା ପଡୁ ନ ଥାଏ ଆୟ ଅଳଙ୍କାର
ସବୁ ନେଇ ଫେରାର ମାରି ଥିବା ଚୋର ।
This poem has not been translated into any other language yet.
I would like to translate this poem