କାହାକୁ ଜଣା
ଖେଳର ସୂତ୍ର?
ଯେ ଝା
ଯୋଉଠି ବ୍ୟସ୍ତ।
ଧୈର୍ଯ୍ୟ ଆଉ ସମୟ ଆଡକୁ
ଅଛି ନିଘା କାହାର?
ମନଟା ସଦା ଅସ୍ଥିର ।
ଖାଉଛି ଘାରି
ସନ୍ଦେହ ବୋଲିବା ଜିନିଷ।
ସତରେ କଠିନ
ବାଙ୍କେଇବାଟା ।
କିଏ କାହାକୁ କେତେବେଳେ
ରଖିବ ଆୟତ୍ତରେ
ଚାଲିଛି ପ୍ରୟାସ।
ଯିବା ଆସିବାରେ
ନାହିଁ ସ୍ଥିରତା ।
ଏ ଯୋଉ ଜଙ୍ଗଲ
ଲମ୍ୱିଛି ବାଁ ଆଡକୁ,
ଟିକିଏ ଘୁଂଚି ଆସିଲେ
ଜାଣିବ, ସେଠି
ପବନର ମାଙ୍କଡାମି ।
କିଏ କରିବ କଣ
ମନ୍ଦ ଭାଗ୍ୟ ଥିଲେ!
ଏଣୁଏଣିକି ଯାହାଯେତେ
ଚାଲିଛି ପଚରାଉଚୁରା,
ଠାଆକୁ ଠାଆ
ଦେବା କଥା ଖୁଣ୍ଟ,
ଖୁଣ୍ଟର ଚାରିପଟେ
ଯେତେ ଯିଏ ଯେମିତି
ଖେଳିବାର ଅଛି ଖେଳନ୍ତୁ,
ଖୁଣ୍ଟଟା ଉଠେଇ ଆଣିଲେ
ହିସାବନିକାଶ ଆଉ କି ହେବ କରି!
ଆଉ କି କହିହେବ
ଏତେ ସେତେ କାହା ପାଇଁ!
This poem has not been translated into any other language yet.
I would like to translate this poem