ନୁହଁ ମିଳିବା ଜିନିଷ
ଗଜାନନ ମିଶ୍ର
1
କହୁଛି ଖୋଜ ନି
ନୁହଁ ମିଳିବା ଜିନିଷ।
କହୁଛି ଚୁଛାଭଟାରେ
ଲଢ ନି, ହେବ ନି ଜିତି।
ଭଉଁରୀର ମାୟାରେ
କର ନି ନଷ୍ଟ ସମୟ।
ପାରୁଛ ତ, ରହ ସଚେତ
ଆଉ ବଂଚି ଯାଅ।
2
ବଂଚି ଯାଅ, ଯାଅ।
ଛାଡୁ ନି ପିଛା ଭୟ।
ହାଳହୁଳି ଚହଳ
ଚାରିଆଡ ।
ମେଲା ରଖ ନି ଦ୍ୱାର
ଖାଇ ଚାଲିଛି ଗୋଟାକୁ ଗୋଟା
ଭାଷା କିଛି ପାରୁ ନି
ବାହାର କରି
ବୁଡୁଛି ଅସତର୍କ ଗୃହ।
3
କାହାର ସ୍ୱାମୀ ଗଲା
କାହାର ସ୍ତ୍ରୀ
କାହାର ଶ୍ୱଶୁର
କାହାର ଦିଅର
କାହାର ମା
କାହାର ବାପା
ଦିଶୁ ନି କିଛି
ଚାରିଆଡ କିଳିକିଳା ଅନ୍ଧାର।
4
ଦିଶୁ ନି ବୁଦ୍ଧି
ଦିଶୁ ନି ଲୋ ମା
କେତେ ଆଖି କେତେ ପାଟି
କେତେ ଗୋଡ କେତେ ହାତ
ଜାଣିବା କେମିତି କେତେ ରୂପ
ସାରା ପୃଥ୍ୱୀ ଲଢୁଛି
କଳା କନା ଦ୍ୱାର ଦ୍ୱାର!
5
ତଥାପି -
ଭୟର କାରଣ ନାଇଁ
ନିତ୍ୟକର୍ମ କର ସବୁ ଘର ଭିତରେ ରହି।
ଦେଖୁ ଦେଖୁ ଏଡେବଡ ଜଗତ
ହେଉଛି ନଷ୍ଟ ଛାରଖାର ହୋଇ।
6
ଖୋଜ ଖୋଜ ଆଉ ଖୋଜ
କିଏ ସେ ଜାଣ ସଭାଜନ।
ହିସାବ ନାଇଁ
କୋଉଠି ପୁଅ
କୋଉଠି ଝିଅ।
ଭାବନା କଣ
ବୋହୂର ଜ୍ୱାଇଁର
ସେଆଡକୁ ନ ଯାଅ
ଆଉ ଖୋଜ।
7
ପାଅ କି ନ ପାଅ
ସଙ୍ଗରୋଧରେ ରହ।
ମିଳୁ ନ ମିଳୁ
ତୁମର ତୁମେ ଥାଅ
ଥିବା ଆଉ ରହିପାରିବା
ସବୁଠୁ ଆଶ୍ଚର୍ଯ୍ଯ ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
This poem has not been translated into any other language yet.
I would like to translate this poem