କାଳିଆ, କରୁଛି ପ୍ରତ୍ୟାଖ୍ୟାନ
ଗଜାନନ ମିଶ୍ର
କରୁଛି,
କରୁଛି ତତେ
ପ୍ରତ୍ୟାଖ୍ୟାନ କାଳିଆ!
ତୁଟା କିଛି
କାମର ନୁହଁ
ଜାଣିଛି।
ତୋଠି
ପାଇ ପାରୁ ନି
ଅସ୍ମିତା, ରେ କାଳିଆ!
ତୋ ଗୋଟେ
ଜାଲୁଆ ନେତା।
ମୁଁ ଅଯୋଗ୍ୟ
କି ତୁ!
ମୁଁ କିଆଁ ବା
ବୋଲାଇବି ଅଯୋଗ୍ୟ!
ମୁଁ ତ ବ୍ୟସ୍ତ ସଦା
ତପୋବନରେ
ମୋରି କାମରେ।
ମୋର ବା କି କାମ?
ସକାଳୁ ସଂଜ ଦେଖିବା ଛଡା
ଆମ୍ବ ଗଛର ପତ୍ରହଲା,
ଘୃଣାର ମନ୍ତ୍ରକୁ
କବର ଦେବା ଛଡା
ଦକ୍ଷିଣ-ପଶ୍ଚିମରେ!
କାଳିଆରେ, ତୁ ତ ନୁହଁ
ମୋର ସ୍ୱପ୍ନ,
ତୋଠୁ ଆଶା ବି
ନାଇଁ କିଛି,
ବେଳେବେଳେ ତୋର
ରୂପ ଲାବଣ୍ୟରେ
ମୋହିତ ହେଲେ ବି
ନିଜକୁ ରଖିଦିଏଁ
ନିଜ ଆୟତ୍ତରେ
ଏୟା ଭାବି ଯେ
ଯାହା ମୁଁ କରିବି ନାଇଁ
ତାହା ହେବ ନାଇଁ,
ତେବେ କାଇଁ ସାରିବି
ତୋଠି ବୃଥାରେ
ଯାହା କିଛି ବଳିଛି
ସମୟ ମୋଠି!
ନା, ମୁଁ
କରେ ନା ବିଶ୍ୱାସ,
ବିଶ୍ୱାସ କରେ ନା ଯେ
କରିବୁ ତୁ କିଛି,
ଏବେ କି ଆଗକୁ।
ଜାଣେ ମୁଁ
ମୋ ରୋଷେଇଶାଳର
ମୁଁ ରୋଷେୟା,
ମୁଁ ଏ ଯୁଦ୍ଧର
ଏକମାତ୍ର ଯୋଦ୍ଧା,
ମତେ ଜଣା ସବୁ
ଆସିବା ଯିବା ବିଦ୍ୟା।
କୌଣସି ପକ୍ଷ ନେବାକୁ
ମୂଳରୁ ମୋର ନାଇଁ ଇଚ୍ଛା।
ହେଲା,
ଏବେ ମୁଁ ଦୁଃଖରେ
ଆର୍ତ୍ତନାଦରେ,
କିନ୍ତୁ ମୁଁ ଜାଣେ,
ଆଉ ମୁଁ ନିଶ୍ଚିତ କାଳିଆ,
ତୁ ନୁହଁ,
ମତେ ମୁଁ ହିଁ
ପିନ୍ଧାଇବି ବିଜୟ ମୁକୁଟ
ଆଉ ଉଦ୍ଧାର କରିବି
ମୋର ଘଟପଟ।
ମୁଁ ନିଶ୍ଚିତ
ମୋଠି ସତ୍ଯ
ମୁଁ ଇ ସତ୍ଯ ।
ମୁଁ ଇ ତତେ
କରୁଛି ଉଜାଗର
ଆଉ ଦେଖ୍
ସ୍ୱତଃ ଚାଲିଯାଉଛି
ମୋଠୁ ସବୁ ଅନ୍ଧାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/2/2019
This poem has not been translated into any other language yet.
I would like to translate this poem