ନଈବାଲି
ଗଜାନନ ମିଶ୍ର
ନଈବାଲିର ତତଲା ଲୁହରେ
ଦେଖାଯାଏ ଉଲଗ୍ନ ଆକାଶର ରୂପ,
ଜହ୍ନରାତି ମୁହଁ ଲୁଚାଏ ଅମରୀବୁଦାରେ
କିଏ ଥାଏ ଆଉ କାହା ପାଖରେ
ଜଳ ଜଳ ଦିଶେ ପାହାଡ ଉପରେ
ତାରାଙ୍କର ଖେଳ
ପ୍ରତାରଣା ପ୍ରତାରଣା କହି କହି
ଆଖିବୁଜା ଦୌଡୁଥାଏ ପ୍ରଳୟ।
ସାହାଯ୍ଯ କରିବାକୁ କହିଲେ
ମୁହଁ ଲୁଚାଇ ବସିପଡେ ବଗ
ଶୁନଶାନ ଦଶଦିଗ
ଚାରିବାହୁ ମେଲାକରି
ମୁଁ ଛୁଟିଯାଏଁ ମାପିବାକୁ ଆକାଶ।
ଥୁରୁ ଥୁରୁ ବୁଢାଟିଏ ବାଟ ଓଗାଳେ
କହେ ବାବୁ କୁଆଡେ
ବେଖାତିରଭାବେ ଅନେଇ
ଆଗକୁ ମୁଁ ବଢିଯାଏଁ ତ
ଜାବୁଡି ଧରନ୍ତି ମତେ
ମାଟି ଆଉ ମେଘ।
ଛନ ଛନ ପତ୍ରସବୁ
ସବୁଜ ଦିଶେ ପୁଣିଥରେ
ଆକାଶ ଅଜାଡିପଡେ ମୋ ଅଗଣାରେ ।
ମୁଁ ଆଉ କୁଆଡେ ଯାଏଁ
ଶୂନ୍ଯ ବାଡ ଭିତରେ ତାଳି ପିଟି ପିଟି
ନାଚୁଥିଏ ମେଘ ପବନ ବାଡର ବାହାରେ ।
ମୁଁ ମୋର ଫୁଲ ଫୁଟାଉଛି ଏଇଠି,
ତୁମେ ଆସି ବସିଲେ ଫଳ ଧରିବ
ପରିପୂର୍ଣ ହେବ ସଚରାଚର।
ନଈବାଲିର ହସକୁ କିଏ ଆଉ ଦେଖୁଛି
କିଏ ପଚାରୁଛି ନାଚ କେମିତି
ମୁଁ ଘରୁ ବାହାରିଲେ ମତେ ହିଁ
ଅନେଇ ଅନେଇ ଉଲୁସି ଉଠୁଛି
ଚକ୍ ଚକ୍ ଏଇ ଜହ୍ନରାତି।
(କାଳ କାଳ କବିତା ବହିରୁ)
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/7/2019
This poem has not been translated into any other language yet.
I would like to translate this poem