1.
ସହିଛି, ସମର୍ପିଛି,
ସବୁ ସବୁ।
ସତ୍ୟ, ଅସତ୍ୟ,
ଏଇଠି ସବୁ, ସବୁ।
ସବୁ ଭିତରେ
ଗୋଟିଏ,
ମାତ୍ର ଗୋଟିଏ।
ଆଉ ସେ ଗୋଟିଏରେ
ବହୁ।
ସବୁ, ସବୁ।
ନିଆଁ ପାଣି
ପବନ ଆକାଶ
ବାହାରୁଛି ସବୁ
ଏ ମାଟିରୁ।
ମାଟି ସହିଛି,
ମାଟିରେ ସବୁ
ସମର୍ପଛି।
ମାଟିରୁ ବାହାରି
ମାଟିକୁ ଯାଉଛି।
ମାଟି ମୁଁ,
ମାଟି ଭିତରେ
ସବୁ, ସବୁ।
ସବୁ ମାଟି
ସବୁ ଅସତ୍ୟ
ସବୁ ଅର୍ଥ।
ଏ ଅର୍ଥ ଅଛି
ଜୀବନର,
ଏ ଜୀବନରେ
ଅଛି ସତ୍ଯ ।
ଆଉ ଏ ସତ୍ୟ ପାଇଁ
ଏଠି ଏତେ
ଯୋଗବିଯୋଗ,
ମୁଁ ଯାହାର
ଅଂଶବିଶେଷ।
2.
କୋଉ ପାଣି କୋଉଠିକୁ ଯାଏ,
କହିବାକୁ ସଠିକ କଥା କିଏ ଥାଏ।
ସବୁ ଜାଣି ଚୁପ୍ ଥାଏ ମାଟି।
କିଏ କହେ ଅନ୍ଧ ରାଜୁତି,
ଆଉ କିଏ କହେ କରାଯାଉଛି ହତ୍ୟା ଗଣତନ୍ତ୍ରର।
ସବୁ ଜାଣି ଚୁପ୍ ଥାଏ ଆକାଶ।
ମାଟି ଆଉ ଆକାଶ ଭିତରେ
କଷ୍ଟ ପାଉଥାଏ କିଏ ପଚାରିଲେ
କହିବି ଜରୁର୍ ସେଇଟା ମୁଁ।
ମୋଠି ମଳୟ ନୁହଁ,
ଥାଏ ଝଡ ବାତ୍ଯା ମହାମାରୀ
ଆଉ ଥାଏ ଉଜାଣି-ଜୁଆର,
ଆଉ ସୂର୍ଯ୍ୟର ଉପସ୍ଥିତି ସତ୍ୱେ
ଥାଏ ଅନ୍ଧାର।
3.
ହେବ ନହେବ
କିଏ କହିବ?
ହେଲା ନ ହେଲା
ଏଇଟା ବି,
କହିବାକୁ ନାହିଁ କେହି।
ଅଛି ନଅଛି
ମୁଁ ବି ନାହିଁ ଜାଣି।
କୋଉଠି କିଏ
ମୋର ସ୍ୱାମୀ?
କରୁଛି କଣ
ମତେ ନେଇ
ମୁଁ ନାଇଁ ଜାଣି।
ପାଲରେ ପଡିଛି
କି ଜାଲରେ ପଡିଛି
ମୁଁ ନାଇଁ ଜାଣି।
କିନ୍ତୁ ଦେଖୁଛି ଯାହା,
ଅନୁଭବୁଛି ଯାହା
ନୁହେଁ କିଛି ସତ୍ଯ ଛଡା।
ଆଉ ମୁଁ ଅଛି,
ଥିଲି ଆଉ ଥିବି।
This poem has not been translated into any other language yet.
I would like to translate this poem