ଅସାଧାରଣ Extraordinary Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅସାଧାରଣ Extraordinary

Rating: 5.0

1994 ମସିହାରେ ଲିଖିତ ' ତ୍ରାଣକର୍ତ୍ତା' ଆଉ ଏ କବିତା 1997 ମସିହାରେ ପ୍ରକାଶିତ 'ଗୋଟାପଣେ' କବିତା ସଂକଳନରେ ସ୍ଥାନିତ । ଏ କବିତାଟି ଅଗ୍ରଜ ପୂଜ୍ୟ କବି କମଳାକାନ୍ତ ଲେଙ୍କାଙ୍କୁବହୁତ ଭଲ ଲାଗିଥିବାର କହିଛନ୍ତି ବହୁତ ଥର । ଏ କବିତା ଲେଖା ହେଲାପରେ ଟିଟିଲାଗଡରେ ଜନୈକ ଉପଜିଲ୍ଲାପାଳ ବହୁତ ରାଗି ଯାଇଥିଲେ ମତେ। କହିଲେ ବହୁତ ବଡ ଭୁଲ କରୁଛ ତୁମେ! ଦଣ୍ଡ ପାଇବ । କହିଲି- ଗୋଟେ କାମ କରନ୍ତୁ ସାର୍, କବିତାକୁ ଜବତ କରାନ୍ତୁ, ମତେ ଜେଲରେ ପୂରାଇ ଦିଅନ୍ତୁ,ଚାକିରୀରୁ ମତେ ତଡି ଦିଅନ୍ତୁ। ସେ କହିଲେ - ଏମିତି କଲେ, ତମେ ତ କ୍ଲିକ କରିଯିବ ବାବୁ! ଏଇଟା କହିଲାବେଳେ ପାଖରେ ହେଡକ୍ଲର୍କ ହରିଶଙ୍କର ପ୍ରଧାନ ଥାଆନ୍ତି। ହେଡକ୍ଲର୍କଙ୍କୁ କହିଲେ, ଦେଖୁଛ, ଶୁଣୁଛ, କେମିତି ଚାଲେଂଜ କରୁଛନ୍ତି ଆଇଏଏସଙ୍କୁ। ହେଉ ତମେ ଯାଅ କହିଲେ ଯେମିତି, ମୁଁ ପଳେଇ ଆସିଲି ସେ ଦିନ। ଆଉ ଦିନେ ଡାକି ମତେ କହିଲେ, କବିତା ଲେଖୁଛ, ତହସିଲଦାର ସହିତ ବସୁଛ, ମନ୍ତ୍ରୀ ସାଥୀରେ ବୁଲୁଛ, ତୁମ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ସେତେବେଳେତହସିଲଦାର ଥାଆନ୍ତି ମୋର ଅଗ୍ରଜ କବି ଅଶ୍ୱନୀ କୁମାର ମିଶ୍ର । ମୁଁ କହିଲି, ତହସିଲଦାର ସହିତ ମୋର ଦେଣନେଣ ନାଇଁ, ଦେଖନ୍ତୁ ଯାଇ। ଅବଶ୍ୟ କବି ଅଶ୍ୱନୀ ମୋର ଅଗ୍ରଜ, ଅଫିସ କାମ ପରେ ସଂଧ୍ୟାରେ ତାଙ୍କ ସହିତ କବିତା ସଂପର୍କୀୟ ଆଲୋଚନା ଚାଲେ କେବେକେବେ ତାଙ୍କର ଟିକିଏ ସମୟ ଥିଲେ।
ସେ ଉପଜିଲ୍ଲାପାଳ, ତାଙ୍କର ନାମ ଥିଲାସଂଜୟ ରସ୍ତୋଗୀ, ପୁଣି ଆଉ ଦିନେ କହିଲେ, କଣ ବାବୁ, ମନ୍ତ୍ରୀ ସହିତ ଯାଉଛ । କହିଲି, ମାପ୍ କରିବେ ଆଜ୍ଞା, ଯୋଉ ମନ୍ତ୍ରୀ କଥା କହୁଛନ୍ତି ସେ ହେଉଛନ୍ତି ପ୍ରଶନ୍ନ ପାଟଶାଣୀ, ସେ ଜଣେ ପ୍ରତିଷ୍ଠିତ କବି, ମୋର ଅଗ୍ରଜ। ଯଦି ସେ ଟିଟିଲାଗଡ ଆସିଲେ, ଅସ୍ଥାୟୀ ରହଣି ବେଳେ ବଙ୍ଗଳାକୁ ମତେ ଡାକିଲେ, ମୁଁ ଗଲି, ତାଙ୍କ କାର୍ ରେ ବସାଇଲେ, କେତୋଟି ଅଣ ରାଜନୈତିକ କେତୋଟି ସଭାକୁ ମତେ ନେଲେ, ଆଉ ମୁଁ ଗଲି, ସେ ସଭାରେ ମୁଁ ଉପସ୍ଥିତ ଥିବାର କହିଲେ, ମୋ ଦୋଷ କି? ଯିବା ଆଗରୁ ମନ୍ତ୍ରୀ ସହିତ ମୁଁ ମୋ ଉପରିସ୍ଥଙ୍କ ଅନୁମତି ନେଇ ଯାଇଛି କି ନାଇଁ ଦେଖନ୍ତୁ! ପ୍ରିୟ କବିଗଣ, ମୋର ସେ ଦିନ ଅନୁଭବ ହେଲା ସତରେ କବିତା କେତେ ଶକ୍ତିଶାଳୀ!

କବିତାର ବିଷୟବସ୍ତୁ ଏବେ ବି ଏମିତି,ବିଶେଷକରି ବ୍ଲକ, ତହସିଲ,ଉପଖଣ୍ଡ ସ୍ତରରେ ଆଇଏଏସ,
ଓଏ ଏସ୍ ଙ୍କ ଦୌରାତ୍ମ୍ଯ ସୀମା ଟପି ଯାଏ ବହୁତବେଳେ; ଏ ପଦବୀର ଆଉ ଆବଶ୍ୟକତା ଅଛି କି ଆମର ଏ ସମୟରେ?ନ ରହିଲେ ଏସବୁ ପଦବୀ କଣ ଆମର ବିକାଶ ହୋଇ ପାରିବ ନି? ବିଶ୍ୱାସ କରନ୍ତୁ, ଏ ଧଳାହାତୀମାନେ ରାଜା ଜମିଦାରଠୁ କମ ଶୋଷକ ନୁହନ୍ତି!

ପଢନ୍ତୁ କବିତା;
ତ୍ରାଣକର୍ତ୍ତା
ଗଜାନନ ମିଶ୍ର

ଭାବନ୍ତି ଆମେ ଏକା ମଣିଷ
ବାକି ସବୁ ପୋକମାଛିଠୁ ବି ହୀନ
ଆମର ସେବା କରିବା ପାଇଁ
ସମସ୍ତେ ତୁମେ ଦଣ୍ଡାୟମାନ
ଆମେ ମଣିଷ ତୁମେ ସବୁ ପଣସ
ଆମେ ପ୍ରମୁଖ ପ୍ରଶାସକ
ତୁମେ ଆମର ସେବକ
ପାଟି ଫିଟାଇ ନିର୍ଲଜ ଭାବେ
ଛାତି ଫୁଲାଇ କହିଦିଅନ୍ତି
ରବିନ୍ଦ୍ର ରସ୍ତୋଗୀ ଭାବି ଭାବି
ନିଜକୁ ନିଜେ ଇନ୍ଦ୍ରଙ୍କ ବାପ।

ଯାଅ ଯଦି ପାରୁଛ ମୋ ନାଁରେ
ଲାଲିଶ କର,
କିଏ ଶୁଣିବ? ଆମର ସଂଘ ସୁଦୃଢ,
ଆମର ଜାଲ ସୁବୃହତ୍, ଆମର
ଯାହା ହେଲେ ବି ରହିଛି ଗୋଟେ ଇଜ୍ଜତ
ତୁମେ ଯାହା ପାଖକୁ ଯିବ
ସେ ତ ଆମ ଜାତି ଆମ ଗୋତ୍ରର
ଆମ ସପକ୍ଷରେ ନ ଯାଇ
ସେ କଣ ତୁମ ସପକ୍ଷରେ ଯିବ!
ତୁମର ବଂଚିବା ପାଇଁ ଗୋଟିଏ ରାସ୍ତା
ଆମକୁ ଜୀହାଁ ଜୀହାଁ କରିବା
ଆଉ ଆମର କର୍ତବ୍ୟ ହେଲା
ସେବା ନାମରେ ତୁମକୁ ଶୋଷିବା।

ତୁମେ ତ ସ୍ୱାଧୀନତା ପାଇ ନ
ହଁ, ବଦଳ ହୋଇଛି ଶାସନ
ଗୋଟିଏ ଶୋଷକ ହାତରୁ
ଶହ ଶହ ହଜାର ହଜାର ଶୋଷକ ହାତକୁ
ଶ୍ୱାନ ଶାଗୁଣାଠୁ ବି ଆମେ ନିଷ୍ଠୁର
ଆମଠୁ ମୁକ୍ତି ଚାହୁଁଛ ଯଦି
ଆମକୁ ଟଙ୍କା ଦିଅ, ମାଇକିନା ଯୋଗାଅ
ଆମ ବୋତଲ ଭରି ଦିଅ, ଦିଅ
କର୍ତବ୍ଯରେ ଚାଲାକି ଦେଖାଇଲ ତ
କିଏ ତୁମର ବାପା ମା ଡାକ
ଆମେ ଯାହା ଗାରେଇଦେଲୁଁ ତାହା ବେଦ
କା ବାପର ଚାଙ୍ଗ ଅଛି କାଟି ଦେବ!

ତମେ ସବୁ ତଳତଳିଆଗୁଡାକ
ଆସ, ଆମ ବୁଟ ପାଲିସ କର।
ଯାଅ, ଆମ ମେମ ସାହେବଙ୍କର
ନେପକିନ ବ୍ରା କିଣିଆଣ,
ଏତେ କଷ୍ଟରେ ଏତେ ଖର୍ଚ୍ଚ କରି
ପଢିଛୁଁ ଆଉ କଣ
ଯଦି ଏତିକିବେଳେ ଆରାମଅୟସ ନ କଲୁଁ
ଉପରେ ଉପରେ ଖାଇ
ଉପରେ ଉପରେ ଯା ଆସ ନ କଲୁଁ
ମାସକୁ ମାସ ଦି ଚାରିଲକ୍ଷ
ବ୍ୟାଙ୍କରେ ଯଦି ଜମା ନ କଲୁଁ,
'ନାଗ ସାପଟି ଆମେ' କହନ୍ତି
ରବିନ୍ଦ୍ର ରସ୍ତୋଗୀ, ଦଂଶି ଦେଲୁଁ ତ
ସୁମରୁ ଥିବ।

ଯେପରି ଷଣ୍ଢ ହୁଙ୍କାରେ ଯେତେ
ଛେରେ ସେତେ
ସେପରି ରବିନ୍ଦ୍ର ରସ୍ତୋଗୀ
ଫୁଟାଣି କାଢନ୍ତି ଯେତେ
ଡରୁଥାନ୍ତି ସେତେ।
ତାଙ୍କ ଡର ନେତା, କୁଜିନେତାକୁ,
ତାଙ୍କ ଡର ମାଡକୁ, ଜନତାର ମାଡକୁ
ଆଉ ସେ ଚାଲାକି କରି ରହିଥାନ୍ତି
ଦୂରରେ ଏଇସବୁଠୁ।
କହନ୍ତି ନାଇଁ ବାବା ନାଇଁ
ମୁଁ କୋଉଥି ଛୁଏଁଇ ହେବି
ମତେ ଟଙ୍କା ଦିଅ, ତୁମର
ସାତଖୁଣ୍ ମାଫ୍, ଯାଅ।

' ଆମେ ହେଲୁଁ ଦୁଃଖି ଦରିଦ୍ରଙ୍କ ତ୍ରାଣକର୍ତ୍ତା '
ୱା ୱା ଇଏ ସବୁ କୋଉ ବହିର ଭାଷା
କୋଉ ମଣିଷର ଆଶା ଓ ଭରସା।
ଦୟା କ୍ଷମା ଆଉ ମାଗ ନା
ସମୟ ବଦଳି ଗଲାଣି କଣ ଜାଣ ନା
ଦୁର୍ନୀତି ଶବ୍ଦ ଉଠେଇଦେବାକୁ
ଯୁବ ପ୍ରଶାସକଗଣ କରିଛନ୍ତି ହଙ୍ଗାମା
ଆମେ ଯାହା କରୁଛୁଁ ଏଇସବୁ
ଦୁର୍ନୀତି ନୁହଁ
ଏଇସବୁ ଆମ ଦକ୍ଷତାର ମାପକାଠି

ଆମେ କଣ ସାଧାରଣ ଜନତା
କହନ୍ତି ରବିନ୍ଦ୍ର ରସ୍ତୋଗୀ
ଆମେ ପରା ଅସାଧାରଣ
ଆଉ ମାରି ନିଅନ୍ତି
ଦି ହାତିଆ ଯମଦେଖା
ଦୁଃଖି ଦରିଦ୍ରଙ୍କ ତ୍ରାଣକର୍ତ୍ତା ।

ତପୋବନ, ଟିଟିଲାଗଡ, ବଲାଙ୍ଗିର

ଏ କବିତା ଏବେ ବି ପାଠ କଲାବେଳେ, ମୋ ଦେହ ହୃଦୟ ଥରିଉଠେ!ପ୍ରଶ୍ନ ଉଙ୍କି ମାରେ ସଦାବେଳେ - କାହା କାହା କବଜାରେ ଆମେ କେତେବେଳେ?
ଭାରତର ଲୋକେ ନିର୍ଭୟରେ ମୁକ୍ତ ଭାବରେସ୍ୱଚ୍ଛଳରେ ରହିବ ଆଉ କେବେ? ସାର୍ବଭୌମ କ୍ଷମତା କଣ ସତରେ ସାଧାରଣଙ୍କ ପାଖରେ!

ତରୁଣ କବିଙ୍କୁ ଅନୁରୋଧ, ନିର୍ଭୟରେ, ମୁକ୍ତ ଭାବରେ ନିର୍ଲୋଭରେ ନିଷ୍ଠାରେକବିତା ଲେଖି ଚାଲନ୍ତୁ, କବିତା ହିଁ ରକ୍ଷା କରିବ ସବୁଠାରେ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success