ଘନଘୋର ଜଙ୍ଗଲ ଭିତରେ In Dense Forest Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଘନଘୋର ଜଙ୍ଗଲ ଭିତରେ In Dense Forest

Rating: 5.0

ଘନଘୋର ଜଙ୍ଗଲ ଭିତରେ
କଟିଯାଏ ସାରା ଟା ଜୀବନ,
ଧଡାସ୍ କରି ମାଡି ଆସେ ଅଳସ ଅପରାହ୍ନ।
ଗଛଗୁଡିକ ପତ୍ରଶୂନ୍ୟ,
ଡେଂଫଗୁଡିକ ଫୁଲଶୂନ୍ୟ,
ପାହାଡଗୁଡିକ ଗଛଶୂନ୍ୟ,
ଶୂନ୍ୟ ମଣ୍ଡଳୀ ଭିତରେ
ନା ଥାଏ ଆନନ୍ଦ
ନା ଥାଏ ନିରାନନ୍ଦ,
ନିଃଶ୍ୱାସପ୍ରଶ୍ୱାସ ବାଟେ
ଫୁସ୍ ଫୁସ୍ ଖାଲି ଯାଉଥାଏ
ଆସୁଥାଏ ଅହୋରାତ୍ର ନିରବିଚ୍ଛିନ୍ନ।

ଏଇ ତ ପଙ୍କ ଭିତରର
ରକ୍ତାକ୍ତ ଜୀବନ।
ଆକାଶର ମେଘଗୁଡିକ ଥନଥନ,
ପକ୍ଷୀଗୁଡିକ ପବନରେ ଥନଥନ,
ସମୁଦ୍ରର ଢେଉଗୁଡିକ
କ୍ଲାନ୍ତଶ୍ରାନ୍ତ ଅବସନ୍ନ।
ଏଇ ତ ପଙ୍କ ଭିତରର
ରକ୍ତାକ୍ତ ଜୀବନ।
ଆଃ, କି କରୁଣ
ବିଭତ୍ସ ବିକୃତ,
ପାପ ପାପ ପୁଣି
ପୂଣ୍ୟ ପୂଣ୍ୟ।
ରାତି ପାହିଲେ
ଜୀବନଟା ରଙ୍ଗହୀନ,
ସ୍ୱାଦହୀନ, ସ୍ପର୍ଶହୀନ।

ନିଃଶବ୍ଦ ଇଲାକାର
ଶୂନ୍ୟ ମଣ୍ଡଳୀରେ
ଆଣ୍ଠୁଭରା ଦେଇ ଦେଇ
ଉପରକୁ ଉଠୁଥାଏ
ତଳକୁ ଖସୁଥାଏ
ନିଦର ନିଷ୍ଠୁର ଜହ୍ନ।

ଦେଖ ଦେଖ
ଘଡିକି ଘଡି ମେଘରଡି,
ବିଜୁଳି ଆସୁଛି ମାଡି,
ଥରି ଉଠୁଛି ଆଖି
ନାକ କାନ।

ନିଜ ମାୟାରେ ନିଜେ
ବନ୍ଦୀ ଜୀବନ।
ଆତ୍ମାରତିରେ ମାତି
ନିଜକୁ ନିଜେ ଦେଉଛି
ବିଷର ଚୁମ୍ୱନ।
ଦେଖ, ଦେଖ ସର୍ବଜନ,
ତେନ୍ତୁଳିପତ୍ରରେ ଦୋହଲୁଛି
ପାପର ପୋଖରୀରେ
ବୁଡ ମାରୁଥିବା ଜହ୍ନ।

-2

ଘନଘୋର ଜଙ୍ଗଲ ଭିତରେ
ଏମିତି ସାରାଟା ଜୀବନ।
ସବୁ ଶୂନ୍ୟାଶୂନ୍ୟ।
ରକ୍ତ ମାଂସର ପାଉଁଶ
ମୁଠାକ ଧରି ମୁଁ ବୁଲୁଥାଏଁ
ମରୀଚିକାର ପ୍ରତି କୋଣ
ଅନୁକୋଣ।

ଫଟାମାଟି ସରେଇରେ
ଦୋଳି ଖେଳୁଥାଏ
ଜୀବନ।
ଅନ୍ତଃସାର ଶୂନ୍ୟ।
ବାୟୁ ନାହିଁ,
ଜଳ ନାହିଁ,
ଅଗ୍ନି ନାହିଁ,
ରୂପଅରୂପ କିଛି ନାହିଁ,
ରସ ଗନ୍ଧ କିଛି ନାହିଁ।
କେବଳ ଗୋଟେ ବିବର୍ଣ
ଛାଇର ଆନ୍ଦୋଳନ,
ଆକାଶର ଦର୍ପଣରେ
ଆଦ୍ୟ ଭୂଗୋଳର ଚିତ୍ରାଙ୍କନ।

ଘନଘୋର ଜଙ୍ଗଲ ଭିତରେ
ଏମିତି ସାରାଟା ଜୀବନ।
ନା ଜଙ୍ଗଲକୁ ଚିହ୍ନି ହୁଏ,
ନା ଜଙ୍ଗଲର କୁଆଡକୁ ଯାଇ ହୁଏ,
ନା ଜଙ୍ଗଲର କାହାକୁ କିଛି କହି ହୁଏ।
ଶ୍ୱାସରୁଦ୍ଧ ଅନ୍ଧାର ଭିତରେ
ଝାପ୍ସା ଝାପ୍ସା ଦିଶେ ବୁଡି ଯାଉଥିବା ଜହ୍ନ।

ସବୁଆଡେ ଲାଲ ଟହ ଟହ ଏନ୍ତୁଡି।
ସବୁଆଡେ ଲାଲ ଟହଟହ ଶ୍ମଶାନ।
ଏମିତି ଜୀବନ।
ଘନଘୋର ଜଙ୍ଗଲ ଭିତରେ
କଟିଯାଏ ଶୈଶବ ଯୌବନ
ପୂର୍ବାହ୍ନ ଅପରାହ୍ନ।
ଘନଘୋର ଜଙ୍ଗଲ ଭିତରେ କଟିଯାଏ
ସାରାଟା ସାରା ଜୀବନ।
ଘନଘୋର ଜଙ୍ଗଲ ଭିତରେ
ନିଶ୍ୱାସପ୍ରଶ୍ୱାସ ନେବା,
ଆକାଶର ଅଗଣାରେ
ଚାଲବୁଲ କରିବା,
ଜବାକୁସୁମଂ ଗାଇଗାଇ
ସକାଳୁ ବିଛଣା ଛାଡିବା।

ଭାରିକଷ୍ଟ ଏଠି ଦିନକୁ ଦିନ,
ଖଣ୍ଡିଆଭୂତର ଲହଲହ
ଜିହ୍ୱା ଭିତରେ ଡହକବିକଳ
ଜୀବନ।
ମା ହୋଇ ଶୋଷି ନିଏ
ପୁଅର ରକ୍ତ, ପୁଅରପ୍ରାଣ।
ଏଠି ସଭିଏଁ ସଭିଙ୍କୁ ଅଜାଣ।

ଘନଘୋର ଜଙ୍ଗଲ ଭିତରେ
ଭାସେ ଘଣ୍ଟ ଶଙ୍ଖ ମୃଦଙ୍ଗର
ଭେଜାଲ ତାନ।
ବନ୍ଧୁକ ଗୁଳି ବୋମା
ଭାସିଆସେ
ବ୍ୟାପିଯାଏ ଅହେତୁକ
କୋକୁଆ ଭୟ।
ଥରିଉଠେ ଶୂନ୍ୟଛାତ
ହାଡ, ଫୁଲ ବୀଜ ରକ୍ତ।
ଥରିଉଠେ ଆକାଶ ଗୋଟାକ,
ଜଙ୍ଗଲରୁ କୁଆଡକୁ ଯିବି ଆଉ,
କେଉଁଠି ପାଇବି ବିଶୁଦ୍ଧ ଆଲୋକ,
ବିଶୁଦ୍ଧ ପାଣି ଆଉ ବିଶୁଦ୍ଧ ପବନ।

-3

ଚାରିଆଡ ନିଃଶବ୍ଦ ନୀରବ ନିଃସଙ୍ଗ,
ଥରିଉଠୁଛି ଜୀବନ।
ଅଛି ଅଛି ନାହିଁ ନାହିଁ
ରେ ରେ କାର ଫୁ କାର।
ଯିବୁ ଯିବୁ ଥିବୁ ଥିବୁର ଗାନ,
ଭାସି ଆସେ ଘନ ଘନ,
ଥରି ଉଠେ ଜୀବନ।

କାହିଁ ଫୁଲ କାହିଁ ତରା
କାହିଁ ଜହ୍ନ।
ଏଠି ବା ଆୟତ୍ତ କଣ?
ଚାରିଆଡ ଜଙ୍ଗଲ ପୂର୍ଣ।
ଅନ୍ଧ ରାଜ୍ୟ।
କିଏ ନେବ ଦର୍ପଣ?
କିଏ ନେବ ଫୁଲ ହୃତପିଣ୍ଡ,
ରକ୍ତ ବୀଜ ପ୍ରାଣ।
ନିଜେ ତ ନିଜକୁ
ସମ୍ଭାଳିବା କଠିଣ।

ସ୍ୱପ୍ନ ସ୍ଥିତି ସ୍ମୃତି,
ହୀରା ନୀଳା ମୋତି।
ସବୁ ତ ଶ୍ମଶାନ।
ଭାଙ୍ଗିରୁଜି ଖିନ୍ ଭିନ୍ ହୁଏ,
ଏ ସ୍ୱର୍ଣ ସିଂହାସନ।
ଆଖିମିଟିକା ମାରୁ ମାରୁ
କୁଆଡୁ ଆସି କୁଆଡେ
ଚାଲିଯାଏ ଏ ପାଣିଘଟ,
ଏ ବାତୁଳ ମନ।

ଅଠାକାଠି ଛାଡିଯାଏ
ଫିଟିଯାଏ ବନ୍ଧନ।
ଘନଘୋର ଜଙ୍ଗଲ ଭିତରେ
ଏମିତି ପାହିଯାଏ
ସାରାରାତି ସାରାଦିନ।
ଏମିତି ସାରା ଜୀବନ।

ତାପରେ ଆଉ କଣ?
ସବୁ ଶୂନ୍ୟାଶୂନ୍ୟ।
ନିଃଶବ୍ଦରେ ଲହଡି ଖେଳୁଥାଏ
ଆକାଶରେ ଆକାଶେ ପବନ।


**
ଜାନୁଆରି 1988 ସଂଖ୍ୟା ସପ୍ତର୍ଷିରେ ପ୍ରକାଶିତ।
Sambalpur University,
Burla, Sambalpur, Odisha, India

Friday, November 24, 2017
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success