କୁନ୍ତୀ
ଗଜାନନ ମିଶ୍ର
ଧେତ୍ ତେରିକି,
ଜନ୍ମ ଦେଲି ଆଉ ଭସେଇ ଦେଲି!
ଭସେଇ ପାରିଲି? ?
ମୋ ନିଜ ରକ୍ତକୁ
ମୋର କହି ପାରି ନି,
ଆଉ କହି ନ ପାରିବା ଯୋଗୁଁ
ଏତେ ଅଘଟଣ!
ହଁ ସତ
ଏଇଠି କବିତା ପ୍ରସ୍ତୁତ।
ଏଇଠୁ
ପ୍ରକୃତ ମହାଭାରତ ।
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ
ଯୁଗ ଯୁଗର।
ସହଜ ସହସା
ନୁହଁରେ ଭାଇ!
ନିଜ ଭିତରେ ନିଜେ
ରହିଛି କମ୍ ଟଣାଓଟରାରେ?
କିଏ ନେଇଛି କେଉଁଆଡକୁ
ରହି ପାରି ନି ମୁଁ ମୋଠି!
ଲୁହରେ ନ ଭାସିଛି ନୁହଁ
ଦେଖାଇଛି ତଥାପି
ମୋର ମୁହଁ।
ଛାଡି ଦେଲା ପରେ ବି
କରିଛି ଲୋଭ,
ଲଜ୍ଜା ପାଇଁ ହେଉ କି
ହେଉ ଭୟରେ!
ଆଉ ଫେରିବ?
ନିଜ ନିଜ ବାଗରେ ଦେଖ
କଣ କିଏ କରିବ!
2
ହୋଇପାରେ
ଗୋଟେ କବିତା
ନାଇଁ ତ ହୋଇପାରେ ବି
ଗୋଟେ କବିତାର ନାଁ।
ଯାହାକୁ ଧରି
କବିଟିଏ ବୁଲିପାରେ
ଗାଁ ପରେ ଗାଁ।
କହିପାରେ କେତେ କଥା
କେତେ ବ୍ୟଥା
ବଦଳେଇ ବଦଳେଇ
ଲୁହ ଲହୁ ଆଉ ଆଉ
ସତ୍ୟର ଠିକଣା।
ମନ ବୁଝେ ନା
ରାତି ସରେ ନା
ଲେଖା ଚାଲିଥାଏ
ଚାଲିଥାଏ ଭାବନା।
ଆଉ ଆଉ ଥାଏ ଘଟିବାକୁ
ଘଟଣା ପରେ ଘଟଣା।
ଆରେ ଆରେ
ରହ ସେଇଠି
ଅଛ ଯୋଉଠି!
ସତରେ କୋଉଠି?
ଯୋଉଠି ସୂର୍ଯ୍ୟଙ୍କ ରାସ!
କବି ହୁଏ ଆହୁରି ଉଗ୍ର
ଧରିବାକୁ ଚେଷ୍ଟା କରୁ କରୁ
ସୂର୍ଯ୍ୟଙ୍କ ଅବଶେଷ!
3
ସୂର୍ଯ୍ୟ ଯାହାକୁ ତତାଏ
ସିଝାଏ ଆଉଟାଏ!
ଆଉ ଏଇଠୁ
ଇତିହାସ କଥା କହେ।
ମାଟିଟେଳାଟିକୁ
କିଏ କହିବ କୌତୁହଳ!
ରାତିରେ ବି ଏଠି ଦିନର
ଜୀବନ ଟଳମଳ ।
ନିଜକୁ ଚିହ୍ନ
ଅନ୍ୟକୁ ନୁହଁ।
ନିଜଠି ବଂଚ
ଅନ୍ୟଠି ନୁହଁ।
ସୂର୍ଯ୍ୟର ମାଟିରେ
ପୋତି ହୋଇ ପୋଡି ହୋଇ
ମୁଣ୍ଡ ଟେକ
ପଦଚିହ୍ନ ରଖ।
ଭୁଲ ନୁହଁ କିଛି
ମାଟି ପ୍ରକ୍ରିୟାରେ
ପାରୁଛ ଯଦି
ଆଲୁଅ ନିଅ ବାଛି।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
24/05/2020
This poem has not been translated into any other language yet.
I would like to translate this poem