ଜାଲ
ଗଜାନନ ମିଶ୍ର
ଜୀବନ-ଜାଲ?
ସତରେ ଜାଲ!
ଯଦି ଜାଲ,
ଜାଲ ଛିଣ୍ଡାଇ ବାହାରିବାର
ତାକତ୍ ବି ଅଛି ଏ ମଣିଷର।
ଏଇଠି ମୂଷା-ବିଲେଇ ଲଢେଇରେ
ମୂଷା ଜିତେ ବି।
ଏଇଠି ସାପକୁ ପାନେ
ଦିଏ ବି ବେଙ୍ଗ।
ଏଇଠି ଜୀବନକୁ ପରାଜିତ ନୁହେଁ
ବିଜୟର ମୁକୁଟ ପିନ୍ଧାଇ ଦିଏ ସମୟ
ଖାଲି ପାଖରେ ରଖିବାକୁ ହୁଏ
ସତ୍ୟ ଆଉ ଖୋଲା ହୃଦୟ
ଆଉ ପ୍ରେମ।
କାହାଣୀରୁ କାହାଣୀ
ଲମ୍ୱି ଚାଲେ
ବିତେ ଦିନରୁ ଦିନ
ଖୋଲା ମନ
ନିତ୍ୟନୂତନ
ଚହଟଚିକ୍କଣ
ଜୀବନ ଜୀବନ।
2
ଏଠି
ଜୀବନର
ଗୋଟେ ଇ କାମ
ଆଉ ସେଇଟା
ଜାଲ ଛିଣ୍ଡା ।
ଏଠି
ମଣିଷର
ଗୋଟେ ଇ କାମ
ପ୍ରେମପ୍ରୀତି ବଣ୍ଟା।
ଏଠି
ରକ୍ଷା କରାଯାଏ
ସଚ୍ଚୋଟ ସିଂହକୁ
ଜାଲଫାଶରୁ।
ମଣିଷ-ସିଂହ
ଏଠି
ଦୟା କ୍ଷମା ଶିଖାଏ
ଅମୃତ ଚଖାଏ
ମଣିଷକୁ ନେଇଯାଏ
ଉର୍ଦ୍ଧ୍ବରୁ ଉର୍ଦ୍ଧ୍ବକୁ।
3
କୋଉ ଜାଲ?
ଅଛି କି କୋଉଠି?
ଜାଲଗୁନ୍ଥାଳୀକୁ
ଦିଶେ ଜାଲ।
ଜାଲର କାମ ନ ଥାଏ
ଯାହାଠି ଯୋଉଠି
ଜାଲ ଉଭାନ ହୋଇଯାଏ
ଆପଣାଛାଏଁ ସେଠୁ।
ହେ ମଣିଷ,
ଜାଲ ଫାଲ
କିଛି କରିବ ନି ତୁମର,
ଉଠି ଆସ
ବସିଲା ଜାଗାରୁ
ଉଠିଆସ
ଶୋଇଲା ଜାଗାରୁ।
ଉଠ, ଜାଗ
ଦେଖ ଆଉ ବଢ ଆଗକୁ
ପରଛା ଆଲୁଅ ପଡିଛି
ଚାରିଆଡେ
ହସରସ କୁହୁକୁଳୁ
ଧ୍ୱନି ଶୁଣ
ଆଉ ଉପଭୋଗ କର
ଚଉଦିଗର
ଜୀବନ ଜୀବନ ଜୀବନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
13/02/2020
This poem has not been translated into any other language yet.
I would like to translate this poem
A man is born free but everywhere in chain