ଲଗାମ
ଗଜାନନ ମିଶ୍ର
ଦେ ଦେ ଲଗାମ ଦେ,
ଲଗାମ ଦେ ଭାଷାକୁ ପହିଲେ।
ଦେ ଦେ ଲଗାମ ଦେ,
ଆଶାକୁ, ବିଶ୍ୱାସକୁ।
ଲଗାମ ଦେ ଭାବନାକୁ,
ଲଗାମ ଦେ ଆଉ ଯା
ଶୋଇ ପଡ ଟିକିଏ,
ଦରକାର ନିଦରେ
ବିପି ସୁଗରଠୁ
ରକ୍ଷା ପାଇବାକୁ ହେଲେ।
ଦୂରେଇ ଯା,
ସନ୍ଦେହ କର ନା ସମୟକୁ।
ପାଖେଇ ଯା
ଧରିବୁ ଯଦି ଆକାଶକୁ।
ଯା ଯା, ପାଖରୁ ମୋର,
ହୃଦୟର ଗୀତ ଗାଇଲାବେଳେ ମୁଁ।
ଜାଣେ ନା ମୁଁ
ଚାହେଁ ନା ବି ଜାଣିବାକୁ
କିଏ ତୁ।
ତୋ ସହ ସଂପର୍କର ସୂତ୍ର
କୋଉଠି କଣ ପାଇଁ
କହି ନି ବି ଫୁଲଚାରା।
ଯା ଯା ଦୂର୍ ଯା।
ମୋ ଧୂଳି ମାଟି ମୋର,
ମୋ ଶୂନ୍ଯ ସ୍ଥିତି ମୋର,
ମୋ ନିଦ, ସ୍ୱପ୍ନ ମୋର।
ଈଗଲ ହୋଇ ଆସିଲେ ବି
ଆଲିଙ୍ଗନ ମୋର ଥୁଆ।
ଦୂର ହ, ଯା।
ନା କେବେ ମୋର ପାଦ ଥିଲୁ
ନା କେବେ ହେବୁ, ଜଣା।
ମୁଁ ମୋର ପ୍ରତିଷ୍ଠିତ ମୋଠି,
ପ୍ରଶ୍ନ ନାଇଁ ଆମେ
କେବେ ହେବା ଏକାଠି।
ଦୂର ହ ଯା,
ଶୋଇଛୁ ଯଦି ଶୋଇ ଥା।
ରାତି ଆଉ ଦିନ ଭିତରର ଫରକ
ଶୋଉଥିବା ଲୋକ ଜାଣି ପାରେ ନା।
ଯା, ଥା,
ଯୋଉଠି ଅଛୁ ସେଇଠି ଥା।
କହ ନା ନାଚିବାକୁ,
ଏତିକିରେ ଯେତେ
କରିଛୁ ରକ୍ତାକ୍ତ
କହିବାକୁ ଭାଷା ନିଅଣ୍ଟ।
ଥା, ତୋର ପ୍ରେମଠି ତୁ,
ଥା, ତୋର ଈର୍ଷାଠି ତୁ।
ବାସ୍ତବତା ଘୂରି ବୁଲୁଛି କିନ୍ତୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/5/2019
This poem has not been translated into any other language yet.
I would like to translate this poem