ମୁଁ ଜଣେ ଗୃହିଣୀ Poem by Susanta Pattnayak

ମୁଁ ଜଣେ ଗୃହିଣୀ

ମୁଁ ଜଣେ ଗୃହିଣୀ।
ଜନ୍ମରୁ ତ ନୁହେଁ—
ତେବେ ଜୀବନ ଯାତ୍ରାରୁ
ଗଢ଼ି ହୋଇଥିବା ଏକ ରୂପ।

ଧନୀ ହେଉ କି ଗରିବ -
ଏଥିରେ କିଛି ଫରକ ଅଛି କି?
ସୁବର୍ଣ୍ଣର ପଞ୍ଜୁରୀ ହେଉ କି ଲୁହାର—
ପିଞ୍ଜରା ତ ପିଞ୍ଜରା!

ମୁଁ ନିଜକୁ ଲୋଟେଇ ଦିଏ,
ଭାଙ୍ଗିଭୁଙ୍ଗି ସମର୍ପଣ କରିଦିଏ,
ନିବିଡତାରେ ଜାବୁଡି ଧରେ —
ଏବଂ ତାକୁ କୁହେ ପ୍ରେମ।

ତୁମେ ଭୁଲ କର,
ଆଘାତ ଦିଅ,
ପୁଣି ଫେରି ଆସ—
ଏବଂ କୁହ
ଏହା ହେଉଛି ଜୀବନ।

ମୁଁ ହୃଦୟକୁ ବୁଝାଇ ଦିଏ
ଦୀର୍ଘ ଶ୍ଵାସଟିଏ ନିଏ,   
କାହିଁକିନା ଆମ ଘର
ଅଣନିଶ୍ୱାସି ନ ହୋଇ ଯାଉ।

ମୋ ଯନ୍ତ୍ରଣାକୁ
ରାତିର ନିଦ୍ରା ସହ କବର ଦେଇଦିଏ,
ଯେଣୁ ପ୍ରତ୍ୟେକ ପ୍ରଭାତ ସମ୍ପୂର୍ଣ୍ଣ ଲାଗୁ।

ତୁମ କ୍ରୋଧ—
ମୋ ଆଭୁଷଣ।
ତୁମ ସଂଘର୍ଷ—
ମୋ ମନର ଭାର।
ତୁମ ବିଜୟ—
ଆମ ଦୁହିଁଙ୍କର ଗର୍ବ।

ମୋ ଆଖପାଖର ସମସ୍ତ ନାରୀମାନେ—
କେବେ ସ୍ୱପ୍ନ ସଜାଇଥିବା ବଧୁ ମାନେ,
ଆଜି ନୀରବ ପାଷାଣୀ ଟିଏ  ମାନେ
ନୀରବରେ ଅଙ୍ଗାର ହୋଇ ଚାଲିଥିବା
କାଷ୍ଠ ଟିଏ ମାନେ...

ମୁଁ ବି ସ୍ଥିର ନିଶ୍ଚଳ—
ଅକ୍ଲାନ୍ତ ମନ ଏବଂ ନିଶ୍ଚଳ ସଂକଳ୍ପ ସହ
ଆମ ସ୍ୱପ୍ନ ପାଇଁ,
ଆମେ ମିଶି ଗଢ଼ିବାକୁ ଥିବା ଜୀବନ ଟିଏ ପାଇଁ I

ବେଦନା ଯେତେ ଭାଙ୍ଗିବାକୁ ଉଦ୍ୟମ କଲେବି
ମୁଁ ପୁଣି ଉଠି ଛିଡା ହୁଏ—
ନିରବ, କ୍ଳାନ୍ତ, ଆଘାତପ୍ରାପ୍ତ—
ତଥାପି ଅଦମନୀୟ।

ମୋ ଆତ୍ମାକୁ ତ କେହି
ବାନ୍ଧି ପାରିବେ ନାହିଁ।
ସହିବା ତ ହାରିଯିବା ନୁହେଁ—
ସେ ହେଉଛି ନିରବ ଶକ୍ତି।

ମୋ ସ୍ୱପ୍ନ  ତଥାପି ମରିଯାଇନି—
ସୀମାହୀନ ଆନନ୍ଦର ସ୍ୱପ୍ନ।
ଦିନେ ମୁଁ ଉଠିବି—
କେବଳ ଭାର ବୋହିବା ପାଇଁ ନୁହେଁ,
ଜୀବନକୁ ଜୀଇଁବା ପାଇଁ।
ପଞ୍ଜୁରୀ ସେପାଖର ଆକାଶକୁ ଛୁଇଁବା ପାଇଁ —
ମୋ ମନ ତ ସେ ପରିଧିକୁ ଆଗୁଆ ଅତିକ୍ରମ କରିସାରିଛି।


ସୁଶାନ୍ତ ପଟ୍ଟନାୟକ

COMMENTS OF THE POEM
READ THIS POEM IN OTHER LANGUAGES
Susanta Pattnayak

Susanta Pattnayak

Bhubaneswar, India
Close
Error Success