ଘାସର ଚାଲିଚା ଉପରେ
ସକାଳ ତାର ପଙ୍ଖ ମେଲାଇ ବସିଛି,
ଶିଶିର ଟୋପାଗୁଡ଼ିକ
ସୁନେଲି କିରଣରେ ଦୋଳି ଖେଳୁଛନ୍ତି।
ଛୋଟ ପକ୍ଷୀ ଶାବକଟିଏ
କୁନି କୁନି ପାଦରେ
ନିର୍ଭୟରେ ଡେଇଁ ଡେଇଁ ଚାଲିଛି—
ପାଖରେ ତାର ମା'।
ବିଶାଳ ପୃଥିବୀରେ
ତା'ର ତ ଛୋଟ ଦୁନିଆଟିଏ
କୁନି କୁନି ଡେଣା ଦୁଇଟି
ଏବଂ ଆଗରେ ବାଟ କଢ଼େଇ ନେଉଥିବା
ଛାଇଟିଏ, ତା ମା'ର ।
ଛୋଟ ଥଣ୍ଟଟିରେ
ସେ ଚୂନା ଚୂନା ସୂର୍ଯ୍ୟ କିରଣକୁ
ଧରିବାକୁ ଚେଷ୍ଟା କରୁଛି ।
ପବନରେ ଏକଡ଼ ସେକଡ଼ ହେଉଥିବା
ପତ୍ରଟିକୁ ଧରିବାକୁ ଦୌଡୁଛି ।
ପ୍ରତିଟି ପଦକ୍ଷେପ ତାର ଅନିଶ୍ଚିତ,
ପ୍ରତିଟି ଲମ୍ପ୍ଥ ଗୋଟିଏ ଗୋଟିଏ
ଅସମାହିତ କୌତୁହଳ ।
ପାଖରେ ମା'ର ସତର୍କ ଦୃଷ୍ଟି,
ଆକାଶ ଭଳି ସୁଦୂର ପ୍ରସାରୀ ।
ଆଖପାଖ ର ପରିଧି ଭିତରେ
ନିରବରେ ଘୁରି ଆସୁଛି।
ଏହି ଛୋଟ ଛୋଟ ଲମ୍ପ୍ଥ ସାହାଯ୍ୟରେ—
ଭବିଷ୍ୟତ ତାର ଉଡ଼ିବା ଶିଖୁଛି।
©️ ସୁଶାନ୍ତ ପଟ୍ଟନାୟକ
This poem has not been translated into any other language yet.
I would like to translate this poem