ଲୋକ ବୋଇଲେ ତିନୋଟି,
ଜଣେ ଆଉଜଣକୁ ଚେଷ୍ଟା କରୁଥାଏ
ଦବେଇ ରଖିବାକୁ,
କିଏ କେତେବେଳେ କାହାକୁ
ଦବେଇ ରଖୁଥାଏ ଜଣା ପଡୁ ନ ଥାଏ ଅନ୍ୟକୁ।
ଯେ ଯାହାର ପାରଙ୍ଗମ
ଯେ ଯାହାର କାର୍ଯ୍ୟରେ।
ଜଣକୁ ଛାଡି ଅନ୍ୟ ଦିଜଣ
ପାରନ୍ତି ନି ରହି,
ଉଦ୍ଦଣ୍ଡ ହେଉଥାଏ ଯିଏ
ଅନ୍ୟ ଦିଜଣର ଚାପାରେ
ଥାଏ ବାଟରେ।
ଥାଏ ଜଣେ ଶାନ୍ତିରେ
ତୃପ୍ତିରେ,
ଅନ୍ୟଜଣେ ଉସୁକାଉଥାଏ
କରିବାକୁ କେତେ କାମ
ନାନାଦି ବାଗରେ।
ତୃତୀୟଜଣକ ହାଡରେ ପଡୁ
ଗୋଡରେ ପଡୁ
ଥାଏ ମସ୍ତିରେ,
ସେଥିରୁ ଦୁଃଖ ମିଳିଲେ
ଅନ୍ୟକୁ ମିଳୁ ପଛେ।
ଜଣକୁ ପସନ୍ଦ ଆଲୁଅ,
ଆର ଜଣକୁ ଉଭୟ
ଅନ୍ଧାର ଆଉ ଆଲୁଅ।
ତୃତୀୟ ଜଣକୁ ଭଲ ଲାଗେ
କେବଳ ଅନ୍ଧାର ।
ତିନିଜଣଯାକ ଅଛନ୍ତି ମୋଠି,
ଆଉ ମୁଁ କରୁଛି ଚେଷ୍ଟା
ମୁକୁଳିଯିବାକୁ ତିନିଜଣଠୁ।
ପାରୁଛି କି ନ ପାରୁଛି
ଜାଣୁ ନି କିଛି।
This poem has not been translated into any other language yet.
I would like to translate this poem