ମଂଚ
ଏଇ କେତେଦିନ ହେଲା
ଅନ୍ଧାର ରହିଛି ମଂଚ ।
ଗ୍ରୀନ୍ ରୁମ୍ ରେ ବସିପଡ଼ିଛି ନାୟକ
ପାଉଡର ମଖା ମୁହଁତଳେ
ଦିଶିଯାଉଛି ଆତଙ୍କିତ ଆଖିଦୁଇ
ତା'ର ଏବେ ଅଭିନୟକୁ ଡର।
ମଂଚରେ ସେ ଛାଡ଼ିଆସିଛି ସୁରାପାତ୍ର
କେଉଁ ଯୁବତୀଦେହରୁ ଛିଡ଼ିଯାଇଥିବା
ଶାଢ଼ିର ଅଂଚଳ
ଆଉକିଛି ଅବୈଧ ଦସ୍ତାବିଜ୍ ।
ସେସମ୍ଭାଳି ରଖିପାରିନାହିଁ
କାମନା ଓ ଓଠର ଭାରସାମ୍ୟ
କଳିପାରିନାହିଁ ସତେ
ଏଇ କଳ୍ପନା ଓ ସତ୍ୟର
କେତେ ଅସଲ ଦୂରତ୍ବ !
ସୁସଜ୍ଜିତ ମଂଚର ଗହଳି ଏବେ
ଆଉ ହୋଇନାହିଁ ଏକ ବିରଳ ଦୢଶ୍ୟ
ଯେଉଁଠି ଠିଆହେଲେ,
ହସିଲେ କି କାନ୍ଦିଲେ
ଚିହ୍ନା ପଡ଼ୁଛି ତ' ଅଭିନୟ ।
ଏତେ ଠେଲାପେଲା ଗହଳଚହଳ
ଆଉ ଲୋଡ଼ା ନାହିଁ
ନାଟକର ସବୁଅଂକ ସବୁଦୢଶ୍ୟ ଗତିଶୀଳ
ସମ୍ମୁଖରେ ହେଉ ଅବା
କେଉଁ ଆଢ଼ୁଆଳରେ।
ମିତ୍ର, ଏଠି ସବୁଜାଗା
ଅଭିନୟର କ୍ଷେତ୍ର
କାହିଁକି ଖୋଜିବା ପ୍ରେକ୍ଷାଳୟ
ଆଉ ମଂଚ
ଆସ, ଆମେ ବି ଏଠି
ଜଣେ ଜଣେ ଚରିତ୍ର ।