କୁମୁଡା,
କୁମୁଡା ଗୋଟେ ପାହାଡ?
କିଏ କହେ ଏଇଟା
ସୁମେରୁର ଗୋଟିଏ ପଟେ ।
ଜାଣେ ନି ସୁମେରୁ କୋଉଠି ।
ଜାଣେନି ବି ସୁମେରୁର
ଅନ୍ୟପଟ ମାନଙ୍କରେ
ଅଛି ଆଉ କଣ କଣ ।
କିଏ କହେ-
ମନ୍ଦର, ମେରୁମନ୍ଦର, ସୁପର୍ଶ୍ଵ।
କେଜାଣି ହୋଇଥିବ ।
ମୁଁ କିନ୍ତୁ ପରଖୁଛି ମତେ
କୁମୁଡା ପାହାଡର ପାଖରେ,
ଧବଳେଶ୍ଵର ସାମ୍ନାରେ ।
ଏ ଧବଳେଶ୍ଵର କିଏ?
କେତେ ଲୋକଠୁ
କେତେ କଣ ଶୁଭେ ।
ମୁଁ କିନ୍ତୁ ଯାହା ଶୁଣେ
ସେଥିରେ ଥାଏ ସତ୍ୟ
ଆଉ ସତ୍ୟ ନ ଥିଲେ ବି
ମୋଠିକି ପହଂଚିଲାବେଳକୁ
ତାହା ହୋଇସାରିଥାଏ ସତ୍ୟ ।
ସତ୍ୟ କଣ ଏକା ଜାଣେ
କୁମୁଡା ପାହାଡ ଆଉ ଜାଣେ
ମୁଁ ଅଛି ଯିଏ କୁମୁଡା ତଳେ ।
ଆଉ ଥାଇ ଏଇଠି ମୋଡିମାଡି
ସବୁ ମିଛ ବାହାର କରୁଥାଏ ସତ୍ୟ
ଯାହା ଜୀବନର ସବୁ
ଆଲୁଅ ଆଉ ସବୁ ଅମୃତ ।
This poem has not been translated into any other language yet.
I would like to translate this poem