ସମୁଦ୍ର - ବିଜୟ
(ଅଗ୍ରଜ କବି ହରପ୍ରସାଦଙ୍କୁ)
ଆଃ କି ରୋମାଂଚ!
ଜାଣେ, ଆଜି ନହେଲେ ବି ଆସନ୍ତାକାଲି
ଆସିବେ ଆପଣ ।
ଜାଣେ, ଆଗ ଧାଡିରେ ଠିଆ ହୋଇ କହିବେ,
ଏ ପିଲେ! ସବୁ ଛାଡିଛୁଡି ଆସିଗଲିରେ, ଦେଖ
ହେଇ ପରଷୁଛି ଷୋଳଅଣା ସୁବର୍ଣ ।
ଜାଣେ, ଜୀବନରେ ଲେଖା ନାଇଁ ମରଣ,
ମରଣ ଖୋଜୁଥିବା ପକ୍ଷୀଟା
ପିଇ ସାରିଛି ପେଟେ ପବନ ।
ବ୍ୟବସାୟ ନୁହେଁ, ନାହିଁ ଦେବାନେବା କିଛି,
ବିଜୟ ନାହିଁ କି ନାହିଁ ପରାଜୟ,
ଚାଲିଛି ସଂଘର୍ଷ, ନିଜ ସହ ।
ଜାଣେ, ଏଇଠି ଅନ୍ଧାର, ଏଇଠି ଆଲୁଅ ।
ସମୁଦ୍ର ତ ପାଣିଶୂନ୍ୟ,
ତା ଉପରେ ଆକାଶ ଶୂନ୍ୟ-ଶୂନ୍ୟ ।
ମୁଁ ଇ ଶୀକାର,
ମୁଁ ଇ ବ୍ୟାଧ, ଧୀବର ।
ମତେ ମୁଁ ଚିହ୍ନିବାକୁ ହରବର,
ତିମୁହାଣୀରେ ମୋ ଘର ।
ବାହାରିଛି ଘରୁ ଦେଖିବାକୁ
ଭାଷାର ନବକଳେବର ।
ନିଘା କାହାକୁ?
ହିସାବକିତାବ ପାଇଁ ନାଇଁ ବେଳ ।
ନାଇଁ ସଂଜ ନାଇଁ ସକାଳ,
ସତ୍ୟ ପାଖରେ ମୁଣ୍ଡ ନୂଆଁଇବାକୁ
ସଭିଙ୍କ ପ୍ରାଣ ଡହଳବିକଳ ।
ଆଉ ସତ୍ୟ ମୁଁ,
ସତ୍ୟ ମୋ ମାଆ,
ଶୁଭୁଛି ଆପଣଙ୍କୁ?
ଦିଶୁଛି ଘର ଭିତରୁ
ଦିଗ୍ ବିଜୟର କରୁଣ ମୁହଁ ।
ତିମି ତିମିଙ୍ଗଳ ପିଠିରେ ବସି
କେମିତି ନାଶିବାକୁ ହୁଏ ତିମିର
ଶିଖେଇ ଦେଇଛି ମତେ ମୋ ମା ।
ମୋ ମା ମରି ନି,
ମରି ପାରିବ ନି,
ମରିବାକୁ ଦିଆଯିବ ନି ।
ଦରକାର ନାଇଁ ଅଭ୍ୟର୍ଥନା,
ଦରକାର ନାଇଁ ବନ୍ଦାପନା ।
ଅବଶ୍ୟ ଦରକାର ନିଆଁହୁଳା,
ଅବଶ୍ୟ ଦରକାର ଯାତ୍ରାରେ
ସାମିଲ ହେବା,
ଧର୍ମର ପକ୍ଷ୍ ନେବା ।
ଜାଣେ ମୁଁ, ଫୁଲମାଳ ଦେଇଥିବା ଲୋକ
ପଠାଇଥାଏ ଅହିରାଜ,
କିନ୍ତୁ ମୁଁ ଯେ ଅହିତୁଣ୍ଡିକ
ଜାଣି ଅଜଣା ମହାରାଜ ।
କାହା ହାତରେ ଏତେ ଶକ୍ତି ଯେ
ଆଡେଇ ଦେବ ମତେ,
କାହା ଜିଭରେ ହାଡ ଅଛି ଯେ
କହିଦେବ ଏ ହଟ୍ ସେଆଡେ ।
ଠିକ୍ କହିଛନ୍ତି ଆପଣ,
ମୋ ମା ବଂଚିଛି ଆଉ
ଅଛି ମୋ ପାଖରେ ଏ ଯାଏ,
ଆଉ ସେ କହିବାକୁ ପ୍ରସ୍ତୁତ ବି
କିଏ ମୃତ କିଏ ଜୀବନ୍ତ ।
ବାହାରି ପଡନ୍ତୁ ଘରୁ ଶୀଘ୍ର,
ଡେରି ହେଲାଣି ବହୁତ ।
ଏକ ମୁହଁ ଏକ ପ୍ରାଣ ହୋଇ,
ଏକସତ୍ୟ ଏକ ସୂର୍ଯ୍ୟ ପରି
ହେବା ଆମେ ଉଦ୍ଭାସିତ ।
ଆରେ ବାଃ,
ଏତେବେଳ ୟେ
ଥିଲା କୋଉଠି ।
କହିବ ସାରା ଜଗତ ।
ଜୟ ଜଗନ୍ନାଥ ।
This poem has not been translated into any other language yet.
I would like to translate this poem