ମୁଁ ନୁହେଁରେ ଫୁଲ ଶେଯରେ ଶୋଇ ସ୍ୱପ୍ନ ଦେଖିବା କବି,
ମୁଁ ନୁହେଁରେ ଆନର ରକ୍ତରେ ରଂଜିତ କରିବି ମାଟି।
ଉଠେଇବି ସ୍ୱପ୍ନରୁ ମୁଁ,
ଉଠେଇବି ଦିବାସ୍ୱପ୍ନରୁ, ଦୁଃସ୍ୱପ୍ନରୁ,
ମୁଁ ଉଠେଇ ଆଣିବି ଦଲଦଲା ନର୍କରୁ
ମଣିଷକୁ।
ମୁଁ କହିବି ଭଲ ପାଅ, ଭଲ ପାଅ, ଭଲପାଅ
କାଟିବା ମାରିବା ଦଳିବା ପୋଡିବା ଛାଡି।
ମୁଁ କହିବି ତୋ ହାତୀର ପାଦ ପାରିବ ନି ଦଳି,
ତୋ ପାହାଡର ଶିଖର କାହାକୁ ଦେବ ନି ଫୋପାଡି।
ତୋ କାଠିକୁଟାର ନିଆଁ ଦେବ ଶିତଳ ସ୍ପର୍ଶ,
ମିଳିବ ଯୋଉଠୁ ଆହୁରି ଶକ୍ତି ଆଉ ସେଇ ଶକ୍ତିରେ
ଯିବୁ ତୁଇ ଆହୁରି ଆଗକୁ ମାଡି
ଆଣିବାକୁ ଅମୃତ ଏ ଜୀବନ ପାଇଁ।
ମୁଁ କବି, ଝଲଝଲାତ୍ ଆଲୁଅର କବି।
ମୁଁ କବି, ମୋ କବିତାରେ ସମସ୍ତେ,
ଜରତା, ତାଡକା, ମନ୍ଥରା, ସୂର୍ପନଖା, ରଜକୀ।
ମୁଁ କବି, ମୋ କବିତାରେ ସମସ୍ତେ
କଂସ, ରାବଣ, ହିରଣ୍ୟକଶିପୁ, କଟ୍ଟାପା, ଖିଲିଜି।
ମୁଁ କବି, ଧରିଛି ଯାହାର ପାଦକୁ ମାଟି,
ମୁଁ କବି, ସ୍ପର୍ଶ କରିଛି ଯାହାର ଶିର ଆକାଶ,
ମୁଁ କବି, ଯାହାର ନାହିଁ କୋଉଠି କେବେ ଶେଷ।
ରେ ମଣିଷ, ସବୁଠି ସବୁ ସବୁବେଳେ ହେଉଥାଏ ଆରମ୍ଭ,
ଆରମ୍ଭ, ଆଦ୍ୟ, ଆଉ ସେଇଠି ଛନଛନିଆ ପତ୍ର,
ସେଇଠି ନାଇଁ ଭେଦ ନାଇଁ ଛେଦ ନାଇଁ ତୋର ମୋର ଭାବ।
ରେ ମଣିଷ, ଜୀବନକୁ ଦେଖ, ସଦା ପରିବର୍ତ୍ତନଶୀଳ
ମୁହୂର୍ତ୍ତରୁ ମୁହୂର୍ତ୍ତ, ପୂର୍ବ ନିର୍ଧାରିତ, ସବୁଠି ଅମୃତ,
ଶୋଷି ନେ, ଶୁଂଘି ନେ, ଆଦରି ନେ, କୋଳେଇ ନେ,
ଉପଭୋଗ କର ନାରୀ ପୁରୁଷର ଅଦ୍ଭୁତ ଖେଳ।
ମୁଁ କବି, ମୁଁ କବି, ସମସ୍ତଙ୍କର ସବୁଠି,
ମୁଁ କବି, ଶତ୍ରୁମିତ୍ର ନାହିଁ ଯାହାର
ମୁଁ କବି, ତୋରଇ ଅଂଶାବତାର।
ଆଖିଖୋଲି ଦେଖ୍ ରେ ମଣିଷ,
ତୋ ଭିତରେ କଣ,
ତୋ ଭିତରେ କିଏ।
ନିଜେ ନିଜକୁ ନିଜଠି ରଖି
ସଳଖିସୁଧୁରି ଯା।
ତୋର ତୁ ଲଂଘି ଯା
ଅନ୍ଧାରକୁ, ଦୁଃଖକୁ, ଯନ୍ତ୍ରଣାକୁ,
ମରଣକୁ।
ଆଉ ଯା ପହଂଚି ଯା ସତ୍ୟ ପାଖରେ,
ପୁଂଜି କରି ମଣିଷତ୍ୱ ।
ବେଳ ଥାଉ ଥାଉ ବୁଝି ଯା
ଜୀବନର ସବୁ ତତ୍ତ୍ୱ।
ମୁଁ କବି, ଦେବାକୁ ଅଛି
ପ୍ରେମ ପ୍ରୀତି ଆଉ ଅଛି କହିବାକୁ
ସଂସାର ସାର ପୂଜ୍ୟ,
ଧ୍ରୁବତ୍ୱ।
This poem has not been translated into any other language yet.
I would like to translate this poem