ଭାଷା ପାଇଁ
ଗଜାନନ ମିଶ୍ର
କିଏ ରହିଲାଣି ଉପାସରେ
ଅନଶନରେ,
କିଏ ରହିଲାଣି ଦୂରରେ।
ଭାଷା ପାଇଁ କିଏ ଯାଇ
ପହଂଚିଲାଣି କୋଉ
ଚୌକି ଉପରେ।
କିଏ ମାରିଲାଣି ଛୁରୀ
କୋଉ ଛଟକରେ।
ନିତିପ୍ରତି ପୁଣି କିଏ
ଉଡେଇଲାଣି କଳା ପତାକା
ରାଜଦାଣ୍ଡରେ।
ସୁଯୋଗ ଭାବି
ପିଲାକୁଟୁମ୍ୱ ପୋଷିବାକୁ
କଲାଣି କିଏ
ଭାଷାକୁ ଆଶ୍ରୟ।
ଦେଖେଇ ଦେଉଛି କିଏ
ଗର୍ବରେ
ନିଜ ପରିଚୟ।
ଭାଷା ପାଇଁ
ହାଇଁପାଇଁ ଆଉ କିଏ
ନିଜ ମାଟିରେ।
ଭାଷା - ଶାସକର,
ଭାଷା - ପ୍ରଶାସକର,
ଭାଷା - ପ୍ରଜାର,
ଭାଷା - ସର୍ବସାଧାରଣର।
ଭାଷାକୁ ନେଇ
ହିସାବକିତାବ ଯେତେ ଯାହା
କେତେ କାହାର।
ଭାଷା କଥା - ମିଛ କଥା,
ଭାଷା କଥା - ମିଠା କଥା,
ଭାଷାରେ କଣ ପାଇଁ ଦରିଦ୍ରତା?
ପେଟ ପୁରୁଛି କି
ଅଖା ଭରୁଛି ଭାଷାରେ!
କାନ୍ଦିବା ଲୋକ କାନ୍ଦୁଛି
ପାଉ ନି ଭାଷା।
ବାନ୍ଧିବା ଲୋକ ବାନ୍ଧୁଛି
ଭାଷାକୁ ନାଇଁ ଖାତିର।
କାର୍ଯ୍ୟାଳୟରେ ନ୍ୟାୟାଳୟରେ
ଭାଷା ପାଇଁ ହିନସ୍ତା ।
କୁଲି ମଜଦୁରକୁ
ଜଣା କି ଭାଷା!
ଭାଷା ପାଇଁ ଦଣ୍ଡ!
ଭାଷାକୁ ଇ ଜଣା
ଥାନଅଥାନ।
ଭାଷା ଥିଲେ ସବୁ ପୂର୍ଣ,
ଆଉ ଭାଷା ନ ଥିଲେ
ସବୁ ଶୂନ୍ଯ ।
ଭାଷାକୁ ନେଇ
ସରକାର ନାକେଦମ।
ହଉ, ଭାଷାକୁ କହ,
ସଭିଙ୍କ ଭିତରେ
ଭରୁ ଚେତନ,
ଏକ କରୁ ବର୍ଷ ମାସ ଦିନ
ଆଉ ଦେଉ କରି
ସରଳ ସୁନ୍ଦର ସବୁ ସଂପୂର୍ଣ୍ଣ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/4/2019
This poem has not been translated into any other language yet.
I would like to translate this poem