Tuesday, April 3, 2018

ଶରୀର ଶୁଦ୍ଧି Comments

Rating: 0.0

ଗୋଟିଏ ଥର
ସିର୍ଫ ଗୋଟିଏ ଥର ହାଡ଼ଟିଏ ଖଂଜି ନିଅ
ତମ ଜିଭରେ ଏବଂ
ମାଟିକୁ ଜାବୁଡ଼ି କୁହ,

କେଉଁ ଗଙ୍ଗାରେ ଧୋଇବି
ମୋର ଗୁହ ସରସର ଦେହ
କେତେ ଭରଣ ତୁଳସୀ ପତ୍ର ଲୋଡ଼ା
ଶରୀର ଶୁଦ୍ଧି ପାଇଁ ତ'
କେତେ ମହଣ ଚନ୍ଦନ ପ୍ରଲେପରେ
ମହକି ଉଠିବ କାୟ

ତମ ଗାଣ୍ଡିଧୂଆ ପାଣିରେ ଭାସୁଥିବା ନେଣ୍ଡିଗୁହକୁ
ଯେବେ ବାଲ୍ଟିରେ ବୋଝେଇ
ଟାଙ୍କିରୁ ବାହାର କରେ ତ'
ମୁଁ କେମିତି ଦେଖାଯାଏ?

ବାଉଁଶ ଲାଠିରେ ଗେଂଜି ଗେଂଜି
ସ୍ୱେରେଜ୍ ସଫା କଲାବେଳେ
ତମ ପାଇଖାନାରୁ ସଦ୍ୟ ଖଲଖଲ, ବୋହି ଆସୁଥିବା
ପାଣିରେ ଆକ୍ତାମାକ୍ତା ପହଁରୁଥାଏ ତ'
ମୁଁ କେମିତି ଦେଖାଯାଏ?

ନାକ ଫଟେଇ ଦେଉଥିବା
ପୋକ ସରସର ଦୁର୍ଗନ୍ଧ କୁକୁରକୁ
ପିଲା କାଖେଇଲା ପରି
ଦି'ହାତରେ ଉଠେଇ
ତମ ଗାଡି ଚଲା ପିଚୁ ରାସ୍ତାକୁ ସଫା କରୁଥାଏ ତ
ମୁଁ କେମିତି ଦେଖାଯାଏ?

ଗୋଟିଏ ଥର
ସିର୍ଫ ଗୋଟିଏ ଥର
ଆଖିର ପିତୁଳାକୁ ମନେଇ
ସୂର୍ଯ୍ୟକୁ ନିରେଖି, ଦେଖି ନିଅ ମୋତେ
ଜଣା ପଡିବ
ତମ ମଜ୍ଜାରେ ବଳ ଅଛି କେତେ?

ମୁଁ ଯେଉଁଠି ଠିଆ ହୁଏ
ତ' ଦୁର୍ଗନ୍ଧରେ ଭରିଯାଏ ପରିବେଶ
ଛିଃ... ଛିଃ....ରେ ଟେକି ଉଠେ ନାକ
ଥୁଃ... ଥୁଃ...ରେ ପାଟି
ନାହିଁ... ନାହିଁ...ରେ ଆଖି

ମୋତେ ଦିନଟିଏ ଜର ହେଲେ
ତମ ଦାଣ୍ଡ ରହିଯାଏ ଅସନା
ଚୋକ୍ ହୋଇଯାଏ ପାଇଖାନା
ରୋଗୀଙ୍କ ଧର୍ମଘଟରେ
ଥରହର ଡାକ୍ତରଖାନା ।

ଗୋଟିଏ ଥର,
ସିର୍ଫ ଗୋଟିଏ ଥର
ତମ ମଗଜକୁ ପଚାରି ବୁଝେଇ ଦିଅ
ସ୍ମୃତି, ପୁରାଣ, ମେଧା, ଶିକ୍ଷା
ବୋଇଲେ କ'ଣ?

ଯେଉଁ ହାତରେ ସଫା କରେ ଗୁହ
ସେଇ ହାତରେ ଖାଏ ଭାତ
ଗୁହ ଆଉ ଭାତ ଭିତରେ ଥିବା ପାର୍ଥକ୍ୟ
ମୋତେ ଜଣା
ହେଲେ ସ୍ମୃତି, ପୁରାଣ, ମେଧା, ଶିକ୍ଷା କହିଲେ
ମୁଁ ବାଟବଣା

ମୁଁ ଦେଖିଛି
ସବୁ ଦେଖିଛି

ଦେଖିଛି ତମ ଅନ୍ତପୁଟାରୁ ନିଗିଡ଼ିଥିବା
ପୁଞ୍ଜା ପୁଞ୍ଜା ଦଶିପୋକ,
ତମ ତଣ୍ଟିରୁ ବାହାରିଥିବା
ଟେଳା ଟେଳା ଖଂକାର
ତମ ମଲା ଶେଯରେ ଲଟ୍କି ଥିବ
ଧାର ଧାର ରୁଥିବର,

ମୋତେ ଛିଃ... ଛିଃ....
ଥୁଃ... ଥୁଃ... କଲେ ବି
ମୋର ନଥିବା ଅବସ୍ଥାରେ
ତମ ମାନସିକ ବେଭାର

ଗୋଟିଏ ଥର କହିଦିଅ
ସିର୍ଫ ଗୋଟିଏ ଥର
ତମ ଜିଭରେ ହାଡ଼ ଖଂଜି
କହିଦିଅ,

ଗଂଗା, ତୁଳସୀ, ଚନ୍ଦନ,
ଏ ସମସ୍ତ ଦ୍ରବ୍ୟ ମଧ୍ୟରୁ
କୋଉଥିରୁ କେତେ କେତେ ଦରକାର
ଶୁଦ୍ଧି କରିବାକୁ
ମୋର ଗୁହ ସରସର ଶରୀର
ମାତ୍ର ଥରୁଟିଏ ଶୁଦ୍ଧି କରିବାକୁ
ମୋର ଗୁହ ସରସର ଶରୀର ।
...
Read full text

Basudev Sunani
COMMENTS
Close
Error Success