ବାପା Father Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାପା Father

Rating: 5.0

1.

ବାପା, ଏବେ ବି ଅଛ ଏଠି
ବସନ୍ତର ମଳୟ ହୋଇ ।
ଅଛ, ଶ୍ରାବଣର ମେଘ ପରି,
ଅଛ, ଶିଶିରର ରାତି ହୋଇ ।

ଜୈଷ୍ଠର ଦି ପହର ହୋଇ ଅଛ,
ଆଉ ତାଗିଦା କରୁଛ ଘରୁ ବାହାରିବାକୁ ।
ମୁଁ ନଦୀ ହୋଇ ଯାଉଛି ବହି,
ତ କେବେ କୋଉଠି ଠିଆ ହୋଇ ପଡୁଛି ପାହାଡ ପରି ।

ଗଛ ଛାଡି ଉଡି ଯାଉଛି ପକ୍ଷୀ ଦୂର ଆକାଶକୁ,
ଆଉ ମତେ ଧରି ରଖୁଛ ତୁମେ ମାଟି ହୋଇ ।
ଶବ୍ଦର ଯାଦୁ ତୁମେ ବାପା,
ମୁ ମୋର କିନ୍ତୁ ଅବୁଝା । ଆଉ ତୁମେ ଦେଉଛ
ସବୁଜ ସଙ୍କେତ ଦୂରରୁ ।

ସବୁ ଚିନ୍ତାରେ ଇତି ପକାଇ ଉବୁକି ଆସୁଛ ଏଠିକୁ ।
ଆଉ ମୁଁ ବକ୍ ବକ୍ ତୁଚ୍ଛାକୁ ।

2.

ବାପା, ମୁଁ କିଏ?
କଣ ଅମଳ କରିବାକୁ ଅଛି ଏ ଅଋତୁରେ?

ତଥାପି ଅଛି ଆତ୍ମ ବିଶ୍ୱାସ ଆଉ ଆସୁଛି ଭିତରୁ,
ଦୁଃଖ ଶୋକ ଜରାବ୍ୟାଧି ଭିତରେ ତଥାପି ପାଉଛି ଆନନ୍ଦ ।

ଅନୁସରଣ ପଦାଙ୍କ ତୁମର,
ଭେଦଭାବ ଭୁଲି ମୁଁ ଆଣିଛି ସତ୍ୟ ପ୍ରେମ
ସମସ୍ତ ଜୀବ ଅଜୀବମାନଙ୍କ ଭିତରେ ଦେବାକୁ ସ୍ଥିରତା ।

3.

ବାପା, କହୁଛ, ଧର ଧୈର୍ଯ୍ୟ,
ମେଘଙ୍କୁ ଆଡେଇବ ତ,
ପବନକୁ ଧରିବ ତ,
ଉଜ୍ଜଳ ରାସ୍ତା, ଯାଅ ସିଧା ।

ମାଟି ଶକ୍ତ, ସିଧା ଗତିପଥ,
ଉଜ୍ଜଳ ଆକାଶ ।
ଧପଡି ଆସୁଛି ସୂର୍ଯ୍ୟ ।
କହୁଛ, ରହ, ଝରିବ ମହୁ ।
ମାର ଲଂଫ, ଧରିବ ପାଣିରେ ତଂଫ ।

ରାତି ଅନ୍ଧାର, ଶୂନ୍ୟ ହସ୍ତ, ଭୟ
କିଛି ନୁହଁ ସ୍ଥିର ।
କାହାର କିଛି ନାହିଁ ଦୋଷ,
କିନ୍ତୁ ମିଶାଉଛି ସବୁ ଆକାଶ ।
କେମିତିକା ମଙ୍ଗଳ ୟେ!

4.

ବାପା, ସାରା ଦୁନିଆଁରେ ତୁମ ପରି ନାଲି ଅମୃତମୟ ଆଖି
ଆଉ କାହାରି ନାହିଁ ।

ବାପା, ତୁମ ପରି ମୁଣ୍ଡରେ ବସାଇ ମତେ ଆଉ କେହି
ଯାତ୍ରା ଦେଖାଇ ନେଇ ନି ।
ତୁମେ ଦେଇଥିବା ଛେଚା
ଆଉ କେହି ଦେଇ ନି ।
ତୁମ ଅଧରାତିର ବାଉଳାଗୀତ
ଆଉ କାହାଠୁ ଶୁଣି ନି ।
ସ୍ୱର ଛନ୍ଦ ଲୟ
ଆଉ କାହାଠୁ ପାଇ ନି ।
ତୁମ ବିଶ୍ୱାସ ଭଳି ଆଉ କାହାଠି ନାଇଁ ।

ଥାଅ କି ନ ଥାଅ ବାପା,
ତୁମର ଆନନ୍ଦ ମୁଗ୍ଧ ବିହ୍ୱଳ ଜୀବନ
ଆଉ କୋଉଠି ନାହିଁ ।

5.

ବାପା, ଏ ଧୂଳି ଦେହ ତୁମର ।
ତୁମେଇ ଗଢିଛ ୟାକୁ ସବୁକିଛି ଦେଇ ।
ଜାଣେ ମୁଁ ବାପା, ହଜିବେ ସମସ୍ତେ,
ହଜିବ ନି କିନ୍ତୁ ତୁମେ କେବେ ।

ଜାଣେ, ଲଗାଇ ନ ଜାଣିଲେ ବି
ଚନ୍ଦନ ସୁମନ ଧନ୍ୟ ଯଥାଯୋଗ୍ୟ ସ୍ଥାନ ପାଇ ।
ଦଃଖୁ ନ, ବାସ୍ନା ଚହଟୁଛି ଆପେ ଆପେ,
ହେଉଠି ମନ୍ଥି ଆକାଶ ମାଟି ।

କଅଁଳୁଛି ପତ୍ର ଫୁଟୁଛି ଫୁଲ ।
ତୁମ ଯୋଗୁ ଏ ଦେହ ହୋଇଚାଲିଛି ଅବିନଶ୍ୱର ।
ଗହ ଗହ ମିତ୍ର । ଦଶଦିଶ ଉଠୁଛି ମହକି
ଆଉ ତୁମରି ପାଇଁ ପାଉଛି ମୁଁ ଉଚିତ ମାର୍ଗ ।

6.

ବାପା, ଶୀତ ସକାଳର ସୂର୍ଯ୍ୟ ତୁମେ ।
ଆଉ ମୋ ପାଖରେ ସଦା ଭୈରବୀ ରାଗରେ ।
ନୂଆ ଶକ୍ତି ପାଉଛି ମୁଁ ସଦା ତୁମଠୁ ।
ମୁଁ ଅସ୍ଥିର, ତୁମେ ସ୍ଥିର । ମୁଁ ଶୂନ୍ୟ ତୁମେ ପୂର୍ଣ ।

ମୋ ଶୂନ୍ୟ ପାତ୍ରକୁ ତୁମେ ଇ ଭରି ରଖିଛ ସବୁବେଳେ ।
ସବୁ ଶୁଭ ସଙ୍କେତ ତୁମେ ଇ ଦେଉଛ ମତେ
ଆଉ ମତେ ଦିଶୁଛି ସବୁ ଅକ୍ଷର ଗାର ଦାଗ ।
ରଙ୍ଗବେରଙ୍ଗ ଆଲୁଅ ଆସୁଛି ତୁମଠୁ ।
ମୋର ହାତ ପାଦ ଆକାଶ ସବୁ ତୁମେ ।

ମୋର ଆରମ୍ଭ ତୁମେ ଆଉ ତୁମେ ଶେଷ ବି ।
ସତ୍ୟ ଶାନ୍ତି ସବୁ ତୁମଠି ।
ତୁମେ ଲହଡି, ତୁମେ ସ୍ୱପ୍ନ ।
ତୁମେ ସୁଖ ତୁମେ ସଂଘର୍ଷ ଆଉ ସମୟ ।
ଭ୍ରମ ନୁହଁ ବରଂ ପ୍ରେମ ।
କେବଳ ତୁମଠି ପାଏଁ ଏକ ସଚ୍ଚୋଟ ମୁହଁ ।

7.

ବାପା, ସୂତ୍ର ତୁମେ,
ସକଳ ନଦୀର ।
ଆଉ ସେ ନଦୀର
ଖରା ବର୍ଷା ଶୀତ ନାହିଁ କିଛି ।

ସେଠି ନାଇଁ ଆକାଶ କି ନାଇଁ ମାଟି ।
କିନ୍ତୁ ଅଛି ଭଉଁରୀ, ଶୂନ୍ୟ ଭଉଁରୀ ।
ଆଉ ଅଣାୟତ୍ତ ପରିସ୍ଥିତି ।
ଜଳ ଆଉ ବାଷ୍ପ ମଝିରେ ସିଝୁଥିବା ଜୀବନ ପରି ।

ନିଜ ମୁହଁ ଦର୍ପଣରେ
ଦେଖି ଦେଖି ଯିବା କଥା ନିଜ ପ୍ରତିଛବି ।
ତୁମଠି ମୁଁ ଛିଡା, ସ୍ଥିର ଆଉ ସୁନ୍ଦର
ସବୁ ରୂପ ରଙ୍ଗ ରସ ଧରି ।
ବାଟ ଦେଖି ଯା କହୁଛ ମତେ ଇ ।

ମୁଁ ସ୍ୱଚ୍ଛ, ଆଉ ଚାଲିଛି ମୋରି ପରିଚୟରେ
ଖାତିର ନ କରି କାହାରିକି ।
କିଏ କହୁଛି ୟେ ଭଗ ପୁଅଟି!
ପଠାଣି ନାତି! ଭାଙ୍ଗିଯିବ ପଛେ
ଇଏ ଲଇଁବ ନାହିଁ ।

ଝଲଝଲାତ୍ ଆଲୁଅରେ
ମୁଁ ମୋର ଛୁଟି ଚାଲିଛି
ଆଗକୁ ଆଗକୁ ଆହୁରି ଆହୁରି ।

8.

ବାପା, ସତ କହିଛ,
ନାହିଁ କିଛି ଦୋଷ କାହାରି ।
କ୍ରୀଡନକ ସମସ୍ତେ ସମୟ ହାତରେ ।
ଝଡ ଧୂଳି ସବୁକୁ ସାମ୍ନା କରୁ କରୁ ନିଅଣ୍ଟ ଆୟୂଷ ।

ସମସ୍ତେ ଏଠି ନିଃସଙ୍ଗ, ନିଃସ୍ୱ ।
ଅଭିନୟ ବି ପାରୁ ନି ହୋଇ ଖୁଣଶୂନ୍ୟ ।
ଅନାବଶ୍ୟକ କାମରେ ସାରୁଛନ୍ତି ସବୁ ଶକ୍ତି ।
ମଣିଷ ଭଳି ମଣିଷକୁ ଦେଖୁ ନି ମଣିଷ ।
କୌଣସି ପ୍ରଶ୍ନର ନାହିଁ ଉତ୍ତର ।
ଜୀବନର ସ୍ୱାଦ କହିବାକୁ ଅସମର୍ଥ ଜିଭ ।
ନାହିଁ ଦିଆନିଆ ଭାବ ।

ଶବ୍ଦଶୂନ୍ୟ ଏ ଇଲାକା କି?
ଆଶ୍ଚର୍ଯ୍ୟ ପ୍ରେମ, ଆଶ୍ଚର୍ଯ୍ୟ ବନ୍ଧନ ।
ଜିତ୍ ହାର୍ ନାହିଁ ଜାଣି ବି ହାରିବାର ହରେଇବାର ଭୟ ।
ଉଦାସୀନ କିନ୍ତୁ ମାଟି ଆକାଶ ।

ଭୂତକୋଠି ଘର ।
ରହୁ ନି କିଛି ନିଜତ୍ୱ ।
କିଛି ନାହିଁ ଜାଣି ବି ଚାଲିଛି ଖୋଜା ଦୋଷ ।
ଆଉ ଦେଖେଇଦେବାକୁ ହେଉଛି ଯୋଉଠି ଫାଶ ।
ପାଉଁଶ ସବୁ ସବୁ ଶସ୍ୟ ।

9.

ବାପା, କହିଛ ଠିକ୍-
ଯାହାର ଷଡଯନ୍ତ୍ର ତାକୁ ଇ ଖାଏ ।

ଆମେ ସୂର୍ଯ୍ୟ ତାରା ବ୍ୟାପି ଥିବା ଆକାଶସାରା ।
ଆମର ଏ ଗୋଟା ଦେହ ଅମୃତ ।
ଯିଏ କରେ ବେଖାତିର ସିଏ ହିଁ ହୁଏ ନଷ୍ଟ ।
ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱ ଗତି ଆମର ଏମିତି ଚାଲିଥିବ ।
ଋତୁ ଚକ୍ରର ପ୍ରଭାବରେ ବି ଥିବ ସ୍ଥିର ।

ଏପଟ କି ସେପଟ ନାହିଁ ।
ମେଲା ଦ୍ୱାର ଆମର, ଛଟପଟ ଅନ୍ଧାର ।
କୋଉଠି କିଛି ବିରୋଧାଭାସ ନାହିଁ
ସଂଖୋଳି ନେବାକୁ ଇତିହାସ ।
ସାରା ଦିନ ହସ ହସ ମଲ୍ଲୀ ମନ୍ଦାର ।
ଆଖିକୁ ସ୍ପଷ୍ଟ । ସ୍ୱପ୍ନ ଛୁଉଁଛି ଶୀର୍ଷ ।
ସକାଳ ମହୋତ୍ସବ ।

ଅମୃତ ସବୁ ଶବ୍ଦ ଆଉ ବାକ୍ୟ ।
ଘର ଭର୍ତ୍ତି ହୀରାନୀଳା ମୋତିମାଣିକ ।
ଟୋଲ ମହୁଲ ଆମ୍ବ ବଢିଆଳ
ସେକାଳ ପଖାଳ ସଦା ସବୁ ଉଜ୍ଜଳ ।
ରଙ୍ଗକୁ ରଙ୍ଗ ସମୁଦ୍ର ।
ଯାଇଛି ଫାଟି ନଈ ଆକାଶ ।
ଆମ ଆଡେ ପକାଇଛି ଦୃଷ୍ଟି ସାରା ବିଶ୍ୱ ।

ଜୀବନ ନୁହଁ କଷ୍ଟ, ଅନୁଭବ ଆମର ।
ସସାଗରା ଧରା କୁଟୁମ୍ବ ।
ନାଚ ଗୀତ ବାଦ୍ଯ ଶୁଖିଲା ପାହାଡକୁ ବି
ଦେଉଛି ହୃଦୟ ।
ଠିକ୍ ଆମ ନିଶ୍ୱାସପ୍ରଶ୍ୱାସ, ଠିକ୍ ଆମ ସନ୍ଦେଶ,
ସଭିଙ୍କ ଭିତରେ ସୃଷ୍ଟି କରିବାରେ ଆମେ ବ୍ୟସ୍ତ
ନୂଆ ବିଶ୍ୱାସ ଏଇ ମାଟିରେ
ଦେଖେଇବାକୁ ନୂଆ ଦୃଶ୍ୟପଟ ।
ବାହୁ ମେଲାକରି ଡାକି ଚାଲିଛୁଁ ଜଗତ ।

10.

ବାପା, ତୁମର ରାସ୍ତାରେ ଚାଲିଛି ମୁଁ ।
ସତ୍ୟର ରାସ୍ତା ।
ସାହସ ନ ହରାଇ ଚାଲିଛି ।

ସଙ୍କୋଚ ହୋଇଛି ସୂର୍ଯ୍ୟ ବି ମତେ ଦେଖି ।
ଗତି ମୋର ଆହୁରି ହୋଇଛି ତୀବ୍ର
ନାଡି ନକ୍ସା ଧରି ପକାଇଛି ବାଘର ।
ରିଷ୍ଟ କଟିଛି ସ୍ୱପ୍ନରେ ଥିଲା ଯେତେ ।

ନୂଆବଗିଚା ପାଇଛି କଦଳୀ ଆଉ କପାର ।
ଦେଖିଛି ଶାନ୍ତି, ପାଇଛି ଆନନ୍ଦ ।
ମୋର ହସଖୁସି ମୋର ।

ମୁଁ ନିଶ୍ଚିନ୍ତ ।
ତୁମର ଆଶୀର୍ବାଦ ପାଇ ବରଫ ଘରେ
ନିଆଁ ଜାଳିବାକୁ କେତେବେଳ?

11.

ବାପା, ମେଲା କବାଟ ଆଉ ଏଇଟା ତୁମର ।
ଆଉ ଏ ସୂର୍ଯ୍ୟଘରେ ପାର୍ଶ୍ୱ ଝରକା ରଖି ନ ।
କାଳେ ବେଳ ଦେଖି ପଶିବ ଈର୍ଷା ।

ସ୍ୱପ୍ନଯାନ ମୋର ଆକାଶ ଆକାଶ
ଡେଇଁ ଛୁଟି ଚାଲିଛି ମାଟି ଉପରେ ।
ଦୃଶ୍ୟ ପରେ ଦୃଶ୍ୟ ଚାଲିଛି ବଦଳି,
ଉଡିଛି ପ୍ରଜାପତି, ଫୁଟିଛି ଫୁଲ ।
ମହକିଛି ଚଉପାଶ । ଭ୍ରମ ନାହିଁ ।

ପ୍ରବକ୍ତା ସାଜି ପାରା କହି ଚାଲିଛି କେତେ କଥା ।
ଭଲମନ୍ଦ ଚାହିଁ ମୁଁ ଆଗେଇଛି ।
ନିଆଁ ଦେହ ନିଆଁରେ ମିଶିବାକୁ ତୟାର ହେଲାଣି ।
ଭାଙ୍ଗିଛି ଗର୍ବ । ଲୁଣିଆ ହାୱା ଏଠି ସେଠି ।
ଶିଶିର ରାତି ମାପିବାରେ ବ୍ୟସ୍ତ ପକ୍ଷୀ ।

ମୁରୁକିହସାରେ ତୁମେ ଦିଶୁଛ ଯେ
ସ୍ନେହ ପ୍ରେମ କରୁଣତାର ଜୀବନ୍ତ ପ୍ରତିମୂର୍ତ୍ତି ।

12.

ବାପା, ଖାଲି ଖାଲିରେ
ପବନ ବହେ କେମିତି
କେଉଁଆଡୁ କେଉଁଆଡେ ଜାଣ ତୁମେ ।
ଆଉ ରଖିଥାଅ ଲକ୍ଷ୍ୟକୁ ସ୍ଥିର ।

ଏକଜିଦିଆ କିନ୍ତୁ ନ ଥିଲ, ଜାଣେ ।
ଆରମ୍ଭ ଆଉ ଶେଷର ଜାଣିଥିଲ ସୂତ୍ର ।
ସ୍ୱପ୍ନକୁ ରଖି କାର୍ଯ୍ୟକାରଣ ପାଖରେ
ଯାଉଥିଲ ଆଗକୁ ଗ୍ରହ ନକ୍ଷତ୍ରଙ୍କ ସାଥୀରେ ।

କରାଉଥିଲ କ୍ରିୟାଶୀଳ ସମସ୍ତଙ୍କୁ
ସକାଳୁ ସଂଜ ।
ବ୍ୟର୍ଥ ନୁହଁ କିଛି କହୁଥିଲ ଜୋର ଦେଇ ।

ପ୍ରତ୍ୟେକ ମୁହୂର୍ତ୍ତ ଶୁଭଙ୍କର ।
ସଦ୍ୟ ଫୁଟିଥିବା ଫୁଲ ଧରି କରାଉଥିଲ
ଗୁପ୍ତେଶ୍ୱର ଦର୍ଶନ ଠିଆ ସାମ୍ନାରେ ।

ତୁମ ସହିତ ଆମେ
ଲଂଘି ଯାଉଥିଲୁଁ ସକଳ ବିପଦ ।

13.

ବାପା, ସୂର୍ଯ୍ୟ ବି ନୁହଁ ମୁକ୍ତ,
ଆଉ ଏ ପାଣି ଫୋଟକାର ଜୀବନରେ
କଣ ଅଛି ସ୍ଥିର!

ସତ୍ୟ ହେଉଛି ନାମ ବଦନାମ ଭିତରେ
ଧସି ଧସି ଖସିପଡିବା
ଅତଳତଳ ଗର୍ତ୍ତରେ ।

ସତର୍କ ନ ରହିଲେ
ପାଖରେ ଥିବା ଅମୃତ ବୁନ୍ଦାକ
ହଜିଯିବ କୋଉଠି ।

ବିଷ ଆଉ ଅମୃତକୁ
ଚିହ୍ନେଇବାକୁ ଅଛ ତୁମେ ।
ଆଧାର ତମେ ସବୁର ।
ଖୋଜୁଛି ମୁଁ

14.

ବାପା, ଯଥାତଥା କରି ହୁଏ ନି କିଛି ।
ଆଉ ଯେତେ ଯାହା ହେଲେ ବି
ବିଫଳତା ମିଳେ ନି କୋଉଠି ।

ଲମ୍ୱା ସୂତ୍ରର ଗଣ୍ଠି ଫିଟା ଚାଲିଥାଏ,
ଆଉ ପୁଣି ପୁଣି ପଡୁଥାଏ
ଗଣ୍ଠି ଉପରେ ଗଣ୍ଠି ।

କୋଉଠି ମୁକ୍ତି?
ସମୟ ବି ନାହିଁ କହିବାକୁ ଏତିକି ।
ପ୍ରଫୁଲ୍ଲ ମନରେ ଏଣେ
ଚାଲିଥାଏ ଚଉପଦୀ ଯୋଡା ।

ବିନା ଅସ୍ତ୍ରରେ ଶତ୍ରୁ ଜିତା ।
ଧ୍ୱଂସ ହୁଏ ନି ପୃଥିବୀ,
ବଦଳି ବଦଳି ଚାଲିଥାଏ ସବୁ ସବୁ ।

ବୁଝାପଡେ ପ୍ରକୃତ ସ୍ୱର୍ଗ ଏଇଟା ।
ଖାଲି ସମନ୍ୱୟ ରଖିବା କଥା
ଦେଖିବାକୁ ନୂଆ ଜୀବନ ସଂଚାର ।

15.

ତୁମେ ଗୋଟା ଆକାଶ ବାପା,
ତୁମେ ପ୍ରତୀକ ସବୁ ସୌଭାଗ୍ୟର ।
ସଂସ୍କାରର ଦିଗ୍ ବଳୟ ତୁମେ ।
ଗୋଟା ଆକାଶ ତଳେ ଆମେ ନିସନ୍ଦେହ ।

ପ୍ରତିଟି ପର୍ଯ୍ୟାୟରେ ମିଳୁଛି ସଫଳତା ।
ସମୁଦ୍ର ଯୋଡୁଛି ଗପ, ଶୁଣୁଛୁଁ ।
ନାଡି ନକ୍ଷତ୍ର ବାରି ହେଉଛି ସ୍ପଷ୍ଟ ।
କୌତୁକ ସବୁ ରହିଛି କୌତୁକ ହୋଇ ।
ଯୋଡି ହୋଇଛି ହୃଦୟ ସହିତ ହୃଦୟ କଳ୍ପ କଳ୍ପାନ୍ତର ।

ଘର ହୋଇଛି ତପୋବନ ।
ଜୀବନ ଧନ୍ୟ ।
ଜନ୍ମ ଜହ୍ନ ।
ନ ପାଇ ପାଇ ଆମେ ପରିପୂର୍ଣ ।

16.

ବାପା, ସତକୁ ସତ ଜୀବନଟା ଗୋଟେ ଅନୁଭବ।
ରାସ୍ତାଘାଟ ଘରଦୁଆର ବର୍ଷାଶୀତ
ଚନ୍ଦ୍ରସୂର୍ଯ୍ୟ ସବୁ ଅବଶ୍ୟ ରହସ୍ୟମୟ ।

ସବୁଠି ରୂପଗୁଣ ବ୍ୟବହାର ଆଉ ସବୁ ମଧୁମୟ ।
ହେଉ ନି ଭାଷାରେ କହି ।
ପର୍ଦ୍ଦା ଆରପଟକୁ ଯାଇଛ ତୁମେ ଚାଲି ।
ଆଉ ଏପଟେ ଆମେ ଜମିବାଡି ଛାଡି
ଦୂରଦେଶରେ ବୁଲୁଛୁଁ ଦେହି ଦେହି ।

ଆମର ଅଜଣା କଣ କେମିତି ।
ଅବଶ୍ୟ ଆମର ଅଗଣା ଆଲୋକିତ ।
ଯେ କୌଣସି ପରିସ୍ଥିତିର
ମୁକାବିଲା ପାଇଁ ଆମେ ପ୍ରସ୍ତୁତ ।

ପୁରସ୍କାର ତିରସ୍କାର ଗୌଣ ।
ସ୍ୱତ୍ୱ ସତ୍ୟ ଆପେକ୍ଷିକ ।
ଶୁଭାଶୁଭ ସଂରକ୍ଷଣ ।
ସିଦ୍ଧି ପଦ୍ଧତି ଉନ୍ନତ ।

ସତକୁ ସତ ବାପା,
ଖେଳ ଆମର ବେଶ୍ ଶକ୍ତ ।
ସ୍ୱପ୍ନ ସଙ୍କେତରେ ଚାଲିଛି ସବୁ ନାଚଗୀତ ।

ଶାନ୍ତ ସମାହିତ ଆମେ ଆମଠି
ତୁମ ଦୟା ସବୁଠି ।

Tuesday, October 17, 2017
Topic(s) of this poem: father
POET'S NOTES ABOUT THE POEM
Writen in Odia language, Odia is the official language of Odisha,
India
COMMENTS OF THE POEM
Gajanan Mishra 17 October 2017

Father is the sky, unmeasurable

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success