1996ରେ ପ୍ରକାଶିତ କବିତା ବହି ' କବିତାଘର ' ରୁ:
1)ଦି ଜଣ ଦିପଟୁ
ଦି ଜଣ ଦି ପଟୁ ଟାଣୁଛନ୍ତି
ଜଣେ ପୂର୍ବ ପଟୁ ତ
ଆଉ ଜଣେ ପଶ୍ଚିମ ପଟୁ
କୁଆଡକୁ କେମିତି ଯିବି!
ଦି ଜଣଙ୍କ ଟଣାଓଟରାରେ
ମଝିରେ ସ୍ଥିର ଭାବରେ
ରହି ପାରୁ ନାହିଁ।
ଜଣେ ଉଠ୍ କହୁଛି ତ
ଆଉ ଜଣେ କହୁଛି ବସ୍
ଜଣେ କହୁଛି ଯା ଯା ତ
ଆଉ ଜଣେ କହୁଛି ରହ।
କଣ କରିବି ଭାବୁ ଭାବୁ
ଶୋଇ ପଡୁଛି ପକ୍ଷୀ
ଉଡି ଯାଉଛି ଆକାଶ।
2)ଯାହା ଆହୁରି ହେବ
ତାରାମାନେ ଚିତ୍ପଟାଙ୍ଗ
ତଳେ ପଡିବେ
ତୁମର କବରଖାନା ସଜାଇବେ
ସଭାସଦବର୍ଗ
କରତାଳିଦେଇ ହସି ଉଠିବେ।
ତୁମର ଜିଭ ନ ଥିବ
ଆକାଶ ଫାଟୁଥିବ।
ଫଟା ଆକାଶ ଭିତରେ
ତୁମେ ଗଳି ପଡୁଥିବ
ଥରକୁ ଥର।
କଣ ପାଇଁ ବୋଲି
ଯାହା ପଚାରୁଛ ମଝିରେ
ସବୁ ଅବାନ୍ତର।
ମିଳେ ନାଇଁ ଏଠି
କଉଣସି ପ୍ରଶ୍ନର
କଉଣସି ଉତ୍ତର।
ଚୁପଚାପ୍ ଦେଖ
ଯାହା ହୋଇଛି
ଓ ଯାହା
ଆହୁରି ହେବ।
3)କେବଳ ମଣିଷ
ଯେ କଉଣସି ମଣିଷ
ଦିଗବିଦିଗ ମାଡି ଯାଇପାରେ
ଆଖି ପିଛୁଳାକେ।
ସମସ୍ତ ଜୀବଜନ୍ତୁ ପଶୁପକ୍ଷୀ
ଗଛ ନଈ ବଣ ପାହାଡ
ସୂର୍ଯ୍ୟ ଚନ୍ଦ୍ର ତା ଭିତରେ।
ତୁମେ ଦେଖିଛ ତାକୁ?
କୁହ ତ ଦେଖି ସେ କୋଉଠି?
କଣ ତାର ପରିଚୟ?
କଣ ତାର ଜାତି ଧର୍ମ ପରିଚୟ?
ମନେରଖ, ମଣିଷ ସଇତାନ ନୁହଁ,
ମଣିଷ ଭଗବାନ ନୁହଁ,
ମଣିଷ କେବଳ ମଣିଷ,
ଯାହାର ପରିଚୟ
କେବଳ ମୁହଁର ଟିକିଏ ହସ।
4)ନିଜ ନିଜ ଜାଗାରେ
ନିଜ ନିଜ ଜାଗାରେ
ସବୁ ଠିକ୍ ଅଛି
ଆକାଶ ସିଂହ ମେଘ ପବନ
ହରିଣ ସର୍ପ ଆଉ
ସୁଶୃଙ୍ଖଳିତ ସମସ୍ତେ ।
ତୁମେ କାହାକୁ ଖୋଜୁଛ?
ଇତଃସ୍ତତଃ ବୁଲିଲେ ପାଇବ କେମିତି?
ଠିକ୍ ଲାଇନ ଧର ଓ ଯାଅ,
ପହଂଚିଯିବ ଠିକଣା ଜାଗାରେ ।
ଏଥର ଶବ୍ଦସବୁ ସରିଗଲେ,
ଗୋଟିଏ ବି କବିତା ହେଲା ନାହିଁ,
ଯେତେ ଯାହା ଥିଲେ ଶବ୍ଦ ଯେଉଁଠି
କିଛି କାମରେ ଆସିଲେ ନାହିଁ,
କବିତା ରହିଗଲା ଅଲେଖା ଅପଢା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/7/2019
This poem has not been translated into any other language yet.
I would like to translate this poem