1996ରେ ପ୍ରକାଶିତ କବିତା ବହି ' କବିତା ଘର'ରୁ:
ନାରୀ-1
ତୁମ ପାଖକୁ ଯିବା ମାନେ
ତୁଚ୍ଛା ଅଙ୍ଗାରରେ ପୋଡି ହେବା।
ତୁମକୁ ମୁଁ ସକାଳେ ଯେମିତି
ଦେଖିଥିଲି, ହେ ନାରୀ, ତୁମେ
କାହିଁକି ଏ ରାତିରେ
ସେମିତି ଦିଶୁ ନାହଁ?
ତୁମର ତୀକ୍ଷ୍ଣ ଦାନ୍ତ, ନଖ
କାହିଁକି ମୋ ଆଡକୁ ମାଡି ଆସୁଛି
ଏମିତି ମତେ ଖିନଭିନ କରିଦେବା ପାଇଁ?
ମୋର ଆଉ ଧୈର୍ଯ୍ଯ ନାହିଁ
ତୁମର ଅଳି ଅର୍ଦଳି ସହିବାକୁ।
ମୁଁ ଯେବେ ଯାଉଛି ପଶ୍ଚିମରୁ ପଶ୍ଚିମକୁ
ତୁମେ ନୂଆ ରୂପ ନୂଆ ରଙ୍ଗ ନେଇ
ନୂଆ ଢଙ୍ଗରେ ବସି ଯାଉଛ ମୋ ଅଗଣାରେ,
ମୁଁ ଜଳି ଯାଉଛି ମୋରି ନିଆଁରେ।
ମତେ କଣ ତୁମେ ରଖି ପାରୁଛ
ସବୁଦିନ ପାଇଁ ତୁମର କେଳିକୁଂଜରେ!
2
ନାରୀ ହାତର ପାପୁଲି
ସରୁ ଚକୁଳି ପିଠା।
ମଲ୍ଲୀଫୁଲ ପରି କଅଁଳ ଓ ବାସ୍ନାମୟ,
ଯେତେ ଧରିଥିଲେ ବି ଲାଗେ ନାଇଁ ଚିଟା।
ନାରୀର ଲିଜକୁଳୀ ଲତା ପରି ଦେହରେ
ସିଧାସାଧା ପାପୁଲିର ଗାର
ମୁହଁ ଓଠ ଆଉ ଗାଲ
ଦେଖାଯାଏ ଅତୀବ ସୁନ୍ଦର।
ନାରୀ ଯୋଗୁ ସିନା ସୃଷ୍ଟି ପୁରୁଷର,
ନାରୀ ଟାଣେ ସିନା ଆଲୋକର ଗାର,
ନାରୀ ସିନା ଜିଣିପାରେ ଗଡ ଯେଉଁଠାରେ
ହାରିଯାଏ ପୁରୁଷତ୍ବ ପୁରୁଷର।
ନାରୀ ସତେ ପାଖେ ଥିଲେ
ଲାଗେ ସବୁ ଥିଲା ପରି,
ଘରଟାର ଅର୍ଥ ଅବା କଣ
ଛାଡିଦେଲେ ନାରୀ!
ଆହା! ଧାରୀର କୁହୁକୁଳୁ ମଧୁର ଧ୍ୱନିରେ
ଘୁଂଚିଯାଏ ସବୁ ବ୍ୟଥା ଓ ବେଦନା,
ନାରୀ ହାତ ବାଜିଗଲେ
ଶୁଖିଯାଏ ଦୁଃଖର ଝରଣା।
ପୁରୁଷର କର୍କଶ ଓ କଠିନ ଜୀବନକୁ
ବିଘ୍ନହୀନ ଭାବେ ବାହିନିଏ
ଉଛୁଳା ପୁଲକଭରା ପ୍ରଗଳଭା
ନାରୀ ଏକା ସିନା!
ନାରୀକୁ ରଖିବା ଆସ ତେଣୁ
ସୁରକ୍ଷିତ କରି
ଦେଉଥିବ ଯିଏ ଆମକୁ
ସଦାସର୍ବଦା ସୁରଭି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/7/2019
This poem has not been translated into any other language yet.
I would like to translate this poem