ଯାତ୍ରା-27
ଝରକା ସେପଟେ କିଏ
ଶୁଭୁଚି କାହା ପଦଶବ୍ଦ
ଅହରହ ନୁପୁରର ସଂଗୀତ ନିକ୍ଵଣ
କାହା ଦେହର ବାସ୍ନା ମତେ ପ୍ରଲୁବ୍ଧ କରୁଛି
କାହା ହାତ ଲମ୍ବି ଯାଉଛି ଅଜିରୁ ଗତ କାଲି, ଆସନ୍ତା କାଲି, ଆଲୁଅରୁ ଅନ୍ଧାର ଆଉ
ଅନ୍ଧାରରୁ ଆଲୁଅ ଯାଏ
ଜାଣିନି
କାହା ପାଇଁ ଚୁପଚାପ ବସିଛି
ଏକା ଏକା ନିରବରେ
ଟୋପାଟୋପା ଲୁହ ପିଇପିଇ,
କାହାକୁ ଖୋଜୁଛି ଆକାଶରୁ ପାତାଳ,
ସୃଷ୍ଟିରୁ ବିଲୟ ଯାଏ,
କାହା ବାଟ ରହିଛି ଚାହିଁ
ହଜିଯିବା ପାଇଁ ତା' ନିବିଡ଼ ବାହୁ ବନ୍ଧନରେ ।
ଜାଣିନି
କେତେଥର ଆସିଛ ତୁମେ
ବସନ୍ତର ଦଲକାଏ ପବନ ହୋଇ,
ଫଗୁଣର ମେଞ୍ଚାମେଞ୍ଚା ଅବିର ନେଇ
ଅବା ବୈଶାଖର ମୁଠାମୁଠା ରୁକ୍ଷତା ହୋଇ ।
ତୁମେ ଆସିଛ ଧୁ-ଧୁ ଖରାବେଳେ
ପୁଣି କେବେ ନିସ୍ତବ୍ଦ ରାତିର ବହଳ ଅନ୍ଧାରରେ,
ତୁମେ ଗଲାପରେ ଖୋଜିଛି ମୁଁ କେତେ
ତମ ଦୁଇ ପାପୁଲିର ସ୍ପର୍ଶ
ମୋ ରଙ୍ଗହୀନ ଖଣ୍ଡିତ ଅବୟବରେ
ତମ ଲିପିଷ୍ଟିକର ଚି଼ହ୍ନ ମୋ ପାଉଁଶିଆ ଓଠ ମରୁଭୂମିରେ।
ସତ କୁହ -
ତମେ କେବେ ଆସିବ ଶେଷଥର ପାଇଁ
ମୋ ବିଗତ ଯୌବନରେ ପ୍ରେମର
ଫଲ୍ଗୁଧାର ହୋଇ
ହଜେଇଦେବ ମତେ ତମ ନିବିଡ ଆଶ୍ଲେଷରେ
ଭିଜେଇଦେବ ପ୍ରେମ ଶ୍ରାବଣରେ।
ତମେ ଆସ
ଦୂର ରାଇଜର ରାଜଜେମା
ତମ ଶୀତଳ ସ୍ପର୍ଶରେ ହଜିଯାଉ
ମୋ ସ୍ବପ୍ନ ଆଉ ଯନ୍ତ୍ରଣାର ଜଉଘର
ମୋ ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ
ମୋ ନାଁ ଆଉ ନାଁ ପଛରେ ଲାଗିଥିବା
କିଛି ଅଲୋଡ଼ା ବିଶ୍ଳେଷଣ।
ସ୍ମୃତି ରଞ୍ଜନ ମହାନ୍ତି©
26.5.2024
This poem has not been translated into any other language yet.
I would like to translate this poem