ବାଘ କଥା କହୁଛ ତ!
ଗଜାନନ ମିଶ୍ର
ବାଘ କଥା କହୁଛ ତ!
ଏଇ ବାଘ ପାଇଁ
କେତେ ହିସାବକିତାବ
କେତେ ଯୋଜନା
ବାଘକୁ ବାଘ ଗଣନା।
ବାହାରକୁ ଦେଖ ନା,
ବାଘ ତ ଭିତରେ
କାହିଁ କୋଉ ପାତାଳରେ,
ପୁଣି, କାହିଁ କେତେ ପାହାଡ ଉପରେ।
ବାଘ କଥା କହୁଛ ତ!
କହିଲାବେଳେ କୋଉଠି ତୁମେ ଏବେ?
ରକ୍ଷା, ବାଘଠି ବାଘକୁ ଛାଡିପାରିଲେ!
ବିଦାରୁଛି ମାଟି ବାଘ,
ବାଘର ଦେଖ
ନବ ନବ ରୂପ।
କପଟ ଜଣା ନୁହଁ କି ବାଘକୁ!
ଜଳ ପବନ ସବୁକୁ ଏକକରି
ଲଂଫ ଦେଉଛି ବାଘ
ନିଜଠୁ, ଦେଖ ଦେଖ ଅନ୍ତରୀକ୍ଷ।
ଦୂର କରୁଛି ଭୟ ବାଘ,
ଯାଉଛି ବ୍ୟାପି ହୃଦୟରୁ ହୃଦୟ।
ବାଘଅଂଶ ସଭିଏଁ ଏଠାରେ ମନେରଖ ।
ବାଘ ଦିଏ ଆଉ ବତାଏ
ବାଘକୁ ମାର୍ଗ।
ବାଘ ସହିତ କିଆଁ ହଟ?
ବାଘ ସହିତ ସରୁଛି
ଅମୃତନୟନ
ଅଶେଷ ବେଣୁସ୍ୱନ।
ଦୃଶ୍ୟରେ ବାଘ,
ବାଘ ଅଦୃଶ୍ୟରେ ବି।
ବାଘକୁ ଗଣି
ବାଘକୁ ଭଣି
ରଖ ବାଘସ୍ଥିତି।
ବାଘ କୋଉଠି?
ପାରୁଛି କି ସତରେ କିଏ ଗଣି!
ବାଘ ନିଷ୍କପଟ,
ବାଘ ପାଇଁ କିଆଁ ଏତେ ଛଇଛଟକ
ବାଘ ଯେବେ ସର୍ବଘଟ!
ମୋ ଶବ୍ଦ ସ୍ପଷ୍ଟ
ବାଘମାୟାରେ
ବାଘକୁ ବାଘରେ ଛାଡି!
09437366644
This poem has not been translated into any other language yet.
I would like to translate this poem
The art is by Aaeshanee of KV 1 Bhubaneswar, Odisha, India