ବର୍ଷିକିଆ
1
ଗଜାନନ ମିଶ୍ର
ବର୍ଷେ ହୋଇଯିବ ମୋ ମାଙ୍କର ସ୍ୱର୍ଗାରୋହଣ ଏଇ ଆସନ୍ତା ପୌଷମାସରେ। ଏମିତି କୃଷ୍ଣପକ୍ଷ ନବମୀ ତିଥି ଥିଲା। ଏ ବର୍ଷେ ବିତିଗଲା ପରେ ବି ମତେ ଲାଗୁଛି ମୋ ମା ରାଧିକା ଶୋଇଛନ୍ତି ମୋର ଏଇଠି ଏଇ କୋଠରୀରେ। କହୁଛନ୍ତି - ତୁଇ ଏକଲା ମୋର ଆତ୍ମାକେ ଚିହ୍ନିଛୁରେ ବାବୁ! ଖାଏଲୁନ କି ନେଇଁ! ଚନ୍ଦନର ମା ଇସକୁଲରୁ ଆଏଲାନ? ମୋ ମା ନବେ ଉପରେ। ସ୍ମୃତି ହରେଇ ନି ଏ ଯାଏ। ଆଉ ମା ମୋର ସ୍ମୃତି ହରେଇ ନି ବୋଲି ସଂସାରର ଲୋକଙ୍କ କଥାବାର୍ତ୍ତା ବ୍ୟବହାରରେ ବିଚଳିତ ହୋଇ ବିଳିବିଳାଉଥିଲେ ଅଧିକାଂଶ ସମୟରେ। କହୁଥିଲେ, ମୋର ପୁଓକେ କେନକେ ନେଇ କରି କାଣା କଲରେ ଗାଡସୁଏ ତମର ପୁଓମାନେ ବି ହେନ୍ତା ହେବେ! ମା ତା ସନ୍ତାନକୁ ଯେତେ ଭଲ ପାଇଥାଏ ସନ୍ତାନ କିଆଁ ସେତେ ଭଲ ପାଇ ନ ଥାଏ?
ବର୍ଷେ ହୋଇଯିବ ମୋ ମା ଚାଲିଯିବାର । ଚାଲିଗଲା ଦିନ ଏଇ ଘରକୁ ଆସିଥିଲେ ଗାଁରୁ ସାନ ଦି ପୁଅ ଦେବ ଆଉ ଶିବ । ଆସିଥିଲେ ସବୁ ଝିଅ ଜୋଇଁ ବି। ଆଉ ଆଉ ଜ୍ଞାତି ପରିଜନ ସମସ୍ତେ । କୋକେଇ ପ୍ରସ୍ତୁତ କରାଗଲା। ଶ୍ମଶାନକୁ ନିଆଗଲା। ହେମନାନୀ କହିଲା, ମା ଏଠି ଶେଷ ଜୀବନରେ ବହୁତ ସୁଖରେ ଥିଲା ବାବୁ। ଗାଁରେ ମୁନଗାଗଛତଲେ ପକେଇ ଦେଇଥିଲେ ଆରୁ ତଲେ ଗୁରଗୁଡୁ ଥିଲା କିରହା ମକରା ଭିତରେ। ଦେବ କି ଶିବ ପଚରଉ ନେଇଁ ଥେଇ। ମଝିଆଟା ପିଟଲା, ଖଟକନ୍ଥା ଫିକି ଦେଇଥିଲା ବାଏରଆଡେ। ଭାତ ଦେଲେ ତୁନ ନେଇଁ, ଚା ଦେଲେ ଚିନି ନେଇଁ! ସାନବହ ତ ବାଏରଆଡର ଗୁହାଲଘରେ ଫଟା ଖଟେ ଶୁଏଇ ଦେଇଥିଲା, ଉଷୋକଷା କିଛୁ ନେଇଁ! ପେନସନ ଟଙ୍କାକେ ଏମାନକର ଆଏଁଖ ଥିଲାରେ ବାବୁ। ଯତନ ନେଉଥିଲେ ଭାଏଲ ମା ବଲି। କେଡେ ଯତନେ ଥିଲାରେ ବାବୁ ଇନ। ଚନ୍ଦନର ମା ଚାକରି କରି ଭି ଠିକ୍ ସମିଆରେ ଭାତ ଡାଏଲ ତରକାରି ସାଗ ବାଢି ଦଉଥିଲା। ସାବୁନ ସରପରେ କପଡା କନ୍ଥା କାଚି ଦଉଥିଲା। ବଢିଆ ଥିଲାରେ ବାବୁ। ଗଲା, ମରିଗଲା। ଆରୁ ପାଏମାକେଁ। ହେମାନେ ପଶୁମାନେରେ ବାବୁ। ହେମାନକର କଥା ନେଇଁ ଧରବୁ! ଦେଖ୍ ନ, ହେ ଶିବକେ! ମାକେ ପୁଡେଇକରି ପାଏନବୁଡଟେ ନେଇଁ ଦେଇ! ଆରୁ ହେ ଧୁବା! କାଣା ନେଇଁକରି ହେଧୁବେଇ ଧୁବାର କାଜେ। ତାକର ଚାକରି ଦେଲେ। ହେ ବିନ ବେମାର ପଡଲା ଆନିକରି ରଖଲେ । ଖଡିଆଳ ମିସନ ହସପିଟାଲକେ ନେଇକରି ଜତନାଲେ ଆମର ନନା! ତୁମେ ସାନ ସାନ ଥିଲରେ ବାବୁ ମୁଇଁ ସବୁ ଜାନିଛେଁ। ଗୁନ ନେଇଁ ହେମାନକର! ପୁଡେଇକରି ଆସଲାଉତାରୁ ଦେଖଲୁ କି ନେଇଁ କହେଲା କେନ୍ତା ଚାଲ ଚାଲ ଜଲଦି ପଲାମା! ହଏରେ, ବଡଜୁଏଁ ତୁଇ, ସକାଲ ନେଇଁପେଇଥେଇ ମା ଜୀବନ ଛାଡିଛେ, ଆଏଜ ଦୁଇଦିନ ହେଲା, ତିକ୍ତାନ୍ନ ରାନ୍ଧିକରି ଖୁଆବାର ଲୋକ ତୁଇ। ଦେବଶିବକେ ମତେଇକରି ନେଇଗଲା ସାଗେଁ!
ଆରୁ ଇମାନେ ବି ଗୁହୁ ଖଉଛନ୍? ମା ଜନମ କରିଛେ, ଦଶା, ବାରପତ୍ରିତକ୍ ରହେବାର କଥା କି ନେଇଁ! କିଛୁ ଚିନ୍ତା ନେଇଁ କର ବାବୁ, ତୁଇ ବଡ ପିଲା, ତୋର କାମ କରତେଲ ଯା। କିଛୁ ନେଇଁ ଭାବ୍, ଜେନ ଆସୁ ନେଇଁ ଆସୁ! ଦଶାଖଟି ଉଦ୍ଧାର ପା! ଯାହାରଟା ସେ ପାଏବା। କାହିଁ ଯିବା?
2
ଆଶ୍ଚର୍ଯ୍ୟ, ହେମନାନୀର କଥାର ପ୍ରତିଟି ଶବ୍ଦ ସତ୍ୟ ଆଧାରିତ ଥିଲା, ଥିଲା ଯଦିଓ କଟୁତିକ୍ତ! ଏବେ ତ ହେମନାନୀ ବି ଆଉ ନାଇଁ। କି କଥା! ଘଟଦୀପଘରେ ଗରୁଡ ପୁରାଣ ଶୁଣିସାରି ନଅଦିନ ହେମନାନୀ କହିଲା, ବୁଝିଲୁ ଗଜି, ମା ମଲା ପରେ ମୁଁ ବି ମରିଗଲେ ହୁଅନ୍ତା ଭାବୁଥିଲି, ମତେ ବି ନେଇ ଯା ଗୋ ମା କହୁଥିଲି, ଆଉ କହିବି ନି, ଏ ବୁଆ, ମଲାପରେ ଯମ ଏତେ କଷ୍ଟ ଦିଏ କି! ଜାଣି ନ ଥିଲି! ମୋର କିଏ ମରିବା ଗୋ! ପ୍ରତିଦିନ ଫୋନରେ ଦେବ ଆଉ ଶିବକୁ ବି ଗାଳି ଦେଉଥିଲା କାର୍ଯ୍ୟଘରକୁ ନ ଆସିବା କାରଣରୁ ଯଦିଓ ଧରଣୀ ଚାହୁଁ ନ ଥିଲେ । ଆଉ ଏଥିପାଇଁ ହେମନାନୀ ସହିତ ବି ବଚସା ହେଉଥିଲା ଧରଣୀ ଜୋଇଁଙ୍କର। ମା ମରିବାର ଦେଖ ମାସ ପୂରିଲା ନି, ମକର ସଂକ୍ରାନ୍ତି ଦିନ ଅଚାନକ ଗାଧୁଆଘରେ ରହସ୍ୟଜନକ ଭାବରେ ହେମନାନୀର ପ୍ରାଣବାୟୁ ଉଡିଗଲା। ପାଖପଡିଶା କହିବାନୁସାରେ ଦିନ ଦଶଟା ଯାଏ ଖରାରେ ଅଗଣାରେ ବସିଥିଲା। ଗାଧୋଇ ଯାଉଛି କହି ଖୋଲା ଗାଧୁଆଘରକୁ ପଶିଗଲା ଯେ ଆଉ ବାହାରି ନ ଥିଲା। ଜନ୍ମ ମୃତ୍ୟୁ କାହାରି ଆୟତ୍ତରେ ନ ଥାଏ, ସତ କଥା। କିନ୍ତୁ ମଣିଷ ବଂଚିଥିଲାବେଳେ ଭାବୁଥାଏ କେତେକଣ ଯେମିତିକି ଆଉ ସେ ମରିବ ନି କେବେ! ଲାଗୁଥିଲା ଆମ ଡଜନେ ଭାଇ ଭଉଣୀ ଭିତରୁ ହେମନାନୀକୁ ମା ବହୁତ ଭଲ ପାଉଥିଲା। ହେମନାନୀ ବି ସେମିତି ଭଲ ପାଉଥିଲା ବହୁତ ଯୋଉଟା ଏବେ ବିରଳ। ଆଉ ସେଇଥିପାଇଁ ମାସ ନ ପୂରୁଣୁ ଡକାଡକି ହେଇ ଯେମିତି ଚାଲିଗଲେ।
ଏବେ ମା ନାଇଁ, ନାଇଁ ବି ହେମନାନୀ, ନାଇଁ ଆଉ ସ୍ନେହଶ୍ରଦ୍ଧା ମିଳିବାର କାହାଠୁ ସେମିତି। ବର୍ଷିକିଆ ଶ୍ରାଦ୍ଧ ସାରିଦେଇ ପ୍ରୟାଗରେ ତ୍ରିବେଣୀରେ ଅସ୍ଥି ବିସର୍ଜନ କାର୍ଯ୍ୟ ଯାହା ଅଛି ବାକି। ସେଠୁ କାଶୀ, ଗୟା ଆଉ ପୁରୀରେ ଯାହା ଯେମିତି କରିବାର କଥା କରିସାରି ଗଙ୍ଗାଭୋଜି ଦେଇଦେଲେ କର୍ତ୍ତବ୍ଯ ଶେଷ। ତେଣେ ଭାଇ ଭାଇ ଯେ ଝା ଘରେ ଯେମିତି ଖାଇ। ଯୋଉ ଭାଇମାନେ ମା ଦଶାହକୁ ଆସି ନ ଥିଲେ ଗଙ୍ଗାଭୋଜିକୁ ଆସିବେ ଏଇ ବିଶ୍ୱାସ ନାଇଁ । କିଏ ବା ଡାକିବ ସେମାନଙ୍କୁ। ଭାଇଠୁ ବଡ ଭଗାରି ଆଉ ଅଛି କିଏ? ଆସିଲେ ଯେ କେମିତି କୋଉ ଚକ୍ରାନ୍ତ କରିବେ କିଏ ଜାଣିବ! ମା ମଲା ବାସିଦିନ ଗଙ୍ଗାନେଇଯିବା ଆଲୋଚନାବେଳେ ଭଣଜା ଦିଲିପ ବ୍ୟଙ୍ଗ କରି କହିଥିଲେ, ଦଶାହ ନ କରି ଗଙ୍ଗାରେ ପକାଇଦେଲେ ମୋ ଆଈ ଏଡେ ଏଡେ ପିଣ୍ଡ ପାଇବ! ଯା ହେଉ ଗଙ୍ଗା ନେବା ହେଲା ନାହିଁ। ଏବେ ନେଲେ ଆଉ କେହି କଣ କହିବ ୟେ ଭାବନା ବି ନାଇଁ। ତଥାପି ସୁରୁଖୁରୁରେ ବର୍ଷିକିଆ, ଗଙ୍ଗାରେ ବିସର୍ଜନସରିଗଲେ ଯେ ଗୋଟେ ଅଧ୍ୟାୟ ଯିବ ଏଇ ବିଶ୍ୱାସଟା ଅବଶ୍ୟ ଅଛି । ବ୍ରହ୍ମକପାଳି କଥା ଆଗକୁ ଦେଖାଯିବ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/11/2019
This poem has not been translated into any other language yet.
I would like to translate this poem
Great write on mother's death