ଆଜିକାଲି
ଗଜାନନ ମିଶ୍ର
ଶଳା, ଆଜିକାଲି କାହାକୁ ବି
ସିଧା କଥା କହିଲ ମାନେ ମଲ ହୋ!
ଜିରାରୁ ଶିରା ବାହାର କରିବାକୁ
ସମସ୍ତେ ଆଗଭର।
କିଛି ପଦାକୁ ଗଲା ମାନେ ଗଲା,
ଯାହା ଜାଣିଛ ଗୁପ୍ତରେ ରଖ ଯାଅ।
ଆଉ ଗୁପ୍ତରେ ରଖିବା ହିଁ ତ
ଠିକେ ଠିକେ ଶାସନ କରିବା।
ଶାସନ କରିବାଟା ଆମକୁ ଶିଖାଉଛି,
ଲାଜ ନାଇଁ ଯାହା ଲଜଉଛି,
ବୀରବର ମିଶ୍ରକୁ କହୁଛି ଦୁଇ ଦୁଣେର ଇତିହାସ!
ଶଳା, ବାପ ଗୋସେଁବାପ ଅମଳରୁ
ଶାସନ ଡୋରି ଧରି ଧରି ଦାନ୍ତ ଝଡିଲା,
ବାଳ ପାଚିଲା, ଚମ ଛିଡିଲା,
କହୁଛି, ରୂପ ଗଲା ଛନ୍ଦ ଗଲା ରସ ଗଲା
ମାଇକିନାଙ୍କ ଶାସନ ହେଲା,
ନପୁଂସକ କାହାଁକା!
ଯାଅ ହୋ, ତୁମକୁ ଆମେ କଣ
ଚିହ୍ନି ନୁ ଯେ ଭଲେଇ ହେଉଛ ଏଠିକି ଆସି!
ଶଳା, ବ୍ରାହ୍ମଣ ପିଲାଟାକୁ ଚିହ୍ନି ପାରିଲୁ ନାଇଁ,
ତୋର ଅଧୋଗତି ଆରମ୍ଭ ହେଲା,
ବ୍ରହ୍ମା ବିଷ୍ଣୁ ମହେଶ୍ୱର ବି ତତେ ଆଉ
ରକ୍ଷା କରି ପାରିବେ ନାହିଁ।
ନିମକହାରାମ କାହାଁକା
ଯୋଉ ଥାଳିରେ ଖାଉଛୁ
ସେଇ ଥାଳିରେ ଥୁକୁଛୁ ନାଇଁ!
ବ୍ରାହ୍ମଣର ଅଭିଶାପରେ
ଜଳିଯିବୁ, ରହ ଦେଖୁ ଥା।
କଳିର ଶେଷ ପାଦ ୟେ ସତେ
ଠିକ୍ ଲେଖିଚି ମାଳିକା!
ଶଳା, ରାଜନୀତିକୁ ନେଇ
ପଲଟିକ୍ସ କରୁଛି ଦେଖୁ ନା,
ଦେଶଟା ଜଳିଗଲେ ଭାସିଗଲେ
ଏ ଅନାର୍ଯ୍ୟଙ୍କର କଣ ଯାଉଛିରେ,
ହଗିମୁତି ଏମାନେ ଚାଲିଯିବେ,
ଅପବିତ୍ର ହୋଇଯିବ ସିନା
ଆମରି ମାଟି ମା।
ଅସୁରପଲଙ୍କୁ ପୁଣି ଡାକି କହିବେ
ଆସ ହୋ ଆସ ଦେବତା ରାଇଜକୁ
ପୁଣି ଆସ ତୁମକୁ ଡାକୁଛୁଁ,
ତୁମେ ହିଁ ଯାହା କରିବ ସେଥିରେ
ଆମେ କରିବୁ ନାଇଁ, ନାଇଁ।
ଚିଲ ଛଂଚାଣଙ୍କ କଥାବାର୍ତା ଶୁଭିଲାଣି,
ଶୁଣାଗଲାଣି ବିଲୁଆର-
ମାଈକିନା ବିଲୁଆକୁ କହୁଛି,
କଂଚା ମଣିଷ ମାଂସ
କଂଚା ମଣିଷ ରକ୍ତ ପାଇଁ
ନ ହେଲେ ସେ ଚାଲିଯିବ ତା ବାପଘର
ଆଉ ଫେରିବ ନାହିଁ।
ବାବନାଭୂତ ବୁଲିଲାଣି ଏ ଗଳି ସେ ଗଳି
ଆଉ ରକ୍ଷା ନାହିଁ ନାହିଁ।
ଯାଅରେ ତୁମ କର୍ମଫଳ ଭୋଗ କର ଯାଅ,
ସେତେବେଳେ ଏ ବ୍ରାହ୍ମଣକୁ ଡାକିଲେ, ଦେଖୁ ଥା।
ବଡବଡୁଆଙ୍କୁ ବେଖାତିର କଲେ ଏୟା,
ଶଳା ମୂର୍ଖ କାହାଁକା ବସୁ ବସୁ ବସିଯାଇଛି
ଗାଦିଟାରେ ଦେଖୁ ନୁ,
ପରବର୍ତ୍ତୀ ପର୍ଯ୍ୟାୟକୁ ଆଉ କଣ ଭାବନା ଅଛି?
ତଳ ଉପର ଘାଣ୍ଟି ଘାଣ୍ଟି
ଶାସନ କରୁଛି ବୋଲି କହୁଛି,
ଅସଲରୂପ ପଦାକୁ ଆସିଲା ପରେ
କଣ ହେବ ତାକୁ କଣ ଜଣା ନାଇଁ!
ଦଣ୍ଡେଇମାଛ ପରି ଆଂଜୁଳେ ପାଣିରେ
ଟିଂ ଟିଂ ଟିଂ ଟିଂ ହେଉଛି ଦେଖୁ ନ, ଇୟେ କଣ
ଗହୀର ଚାଷର ଦୁଃଖ ବୁଝିବ,
ବାଂଝ ମାଈକିନା କି ବୁଝିବ ପିଲା ଜନ୍ମ କଷ୍ଟ,
ଯାତ୍ରୀ କହିବ ଉଠ ମତେ ଷ୍ଟିଅରିଂ ଦିଅ,
ମୋ ଚପଲର କଣ୍ଟା କୋଉଠି ତୁମେ କହ,
ଆଉ କହିବ ନି ହସିବାକଥା, ଲୋକ ହିନସ୍ତା।
ବୀରବର ମିଶ୍ରକୁ କି ଆଇନ ପଢଉଛୁରେ ତୁ
ଶଳା, ମା କୁ ନ ଦେଖି କହିଦେବ ମା ପେଟରେ କି ଛୁଆ!
ପୁରାଣଶାସ୍ତ୍ର ପୋଥି ଖୋଲୁଛୁ ନାଇଁ
ରହରେ ରହ, ତଣ୍ଟି ଅଠା ଅଠା ଲାଗିଲାବେଳେ
ଆପେ ଭଜିବୁ ଯେ ରାମ ଗୋବିନ୍ଦ
ଆଉ ମୁଁ କିଏ ଚିହ୍ନିବୁ ରହ ସେତେବେଳେ
ଜୁଳୁଜୁଳୁଆ ବାହାରିଗଲାବେଳେ ଆଖିବାଟେ।
(1997ରେ ପ୍ରକାଶିତ କବିତା ପୁସ୍ତକ" ଗୋଟାପଣେ"ରୁ)
This poem has not been translated into any other language yet.
I would like to translate this poem
now a days it is difficult to live in peace, everywhere always there is conflict