କବିତା ବୁଝୁ ବୁଝୁ ବିତିଯାଏ
ଜନ୍ମଜନ୍ମାନ୍ତର ××
କବିତାର ଶରୀରରେ
ନାରୀର ସମଗ୍ର ଲକ୍ଷଣ×× -କବି ଭାନୁଜୀ ରାଓ
1.
ତାଠି ସେ ପଡିଛି-
ମହାନଦୀ ଛେତକା।
ଖାଁ ଖାଁ-
ମାଟି ବାଲି ।
ପିଲା କୁଟୁମ୍ୱ ସହିତ-
ମାଟି ଛାଡି ବାହାରକୁ
ସମସ୍ତେ ଦାଦନ ଖଟି।
ଗାଳି, ମାଡ, ରଡାରଡି,
ଶୋଷଣ, ଧର୍ଷଣ, ମାରଣ,
ବିଜ୍ଞାପନ, ଉଦାହରଣ,
କିଛିର କମି ନାହିଁ।
ଓଡିଶା ବଂଚିଛି!
2.
ଗୋଟାଏ ଲୋକର ପାଇଁ
ହରାଇଛୁଁ ସବୁ, ପଚାରୁଛୁଁ
ପରିଚୟ ଆମ କାହିଁ?
ଗାଲୁଗପରେ କରି ବିଶ୍ୱାସ
ଭେଟୁଛୁଁ ସର୍ବନାଶ।
ଚରଣଚୁତିଆ ଦଳ ସବୁଠି ଖଳ ଖଳ।
ମଶା ମାଛି ପରି ଧାଇଁ ଆସୁଛନ୍ତି
ମରିବେ ବୋଲି ଜାଣି ବି ଅଜଣା
କୁଳାଙ୍ଗାରଗଣ ସତ୍ଯର ବଳ।
ଗୋଟାଏ ଲୋକର ପାଇଁ
ଧ୍ୱଂସଆଡକୁ ଯାଉଛୁଁ ଧାଇଁ।
ମା ମାଟି ପଡିଛି ଛେତକା
ନାହିଁ କାହାଠି ଚେତା।
କିଏ ଅଛରେ, ଅତୀତକୁ ହେତା।
3.
କବିତା ଲେଖୁଛି ବୋଲି
ଏତେ ରାଗ ଏତେ ରୋଷ
ଏତେ ମାନ ଅପମାନ
ଏତେ ଦୁଃଖ ଏତେ ଲାଂଛନା,
ସହୁଛି ସବୁ ପଦୁଟିଏ
କହି ନି ଏ ଯାଏ
କର ମତେ ନିମନ୍ତ୍ରଣ
ଦିଅ ଅଭ୍ୟର୍ଥନା।
କାହାଣୀ କହୁଛି ମୁଁ
ମୋର କବିତାରେ,
ଦେଉଛି ଦେଖାଇ
ଅଛି ଯେତେ ଝଙ୍କାର
ମୋର କବିତାରେ,
ଖଚ ମିଛ ଟାହିଟାପରା
ସବୁ ରହିଛି ପୂରି ଏଥିରେ,
ଦେଖ ମତେ, ନିର୍ଲିପ୍ତ ଏଠାରେ।
4.
ବୁଝ କଥା, ସୁଝ ଋଣ,
ବିସ୍ମୟ ନ ମଣ, ପଥିକ ଜନ।
ଖୋଜ ନା ମତେ କବିତାରେ,
ପାଇବ ନି ମତେ ଏଠାରେ।
କବିତା ଅଛି ତା ଜାଗାରେ,
ମୁଁ ଅଛି ମୋ ଠାରେ।
କବିତାକୁ ନେଇ ଯୋଡ ନା ମତେ
ତୁମ ଅସୂୟାପଣରେ।
ବୁଝ ମୂଲ୍ୟ ଶବ୍ଦର,
ବୁଝ ମୂଲ୍ୟ ଅକ୍ଷରର,
ଆସୁଛି ଭାଷା ହୃଦୟରୁ ଦେଖ,
ପଢ ତେଣୁ କବିତାରେ ବିକଳ ଅନ୍ତର।
ପରମ ମିତ୍ର ଯଦି ତୁମେ ମୋର,
ଚରମବାଣୀକୁ କବିତାର, କର ନା ଉପେକ୍ଷା,
ଡାକି ଆଣି ପାଖକୁ ସବୁ ଅନ୍ଧାର,
ବରି ନିଅ ନା ମୃତ୍ଯୁର ଡାକରା।
5.
କାହିଁରେ ନାହିଁ-
ଜୟରେ କି ପରାଜୟରେ।
କାହିଁରେ ନାହିଁ-
ମାଟିରେ କି ଆକାଶରେ।
ନାହିଁ ନାହିଁ ମୁଁ।
ଧରି ରଖିଥାନ୍ତ
କେତେ ଦିନ ମତେ ଆଉ!
ଅତିକ୍ରମି ସବୁ ଯାଉଛି,
ସଠିକ୍ ଶବ୍ଦ ପାରୁ ନି ବାଛି
କଣ କିଛି କହିବାକୁ।
ଅଛି ଜ୍ୟାମିତି,
ନାହିଁ ଗାର ସୂର୍ଯ୍ୟାଗ୍ନିର।
ଅଛି ଏଠି, ପାରି ନି ହୋଇ
ସହଜ ସୁନ୍ଦର।
ନାହିଁ ଘାଟ ନାହିଁ ବାଟ,
ଛାଡୁଛି ପରିଚୟ, ଜାଣେ
ନାହିଁ କିଛି ମୂଲ୍ୟ।
ପାରି ନି ଧରି କି
ପାରି ନି ମାପି ସମୟ
ହୋଇଛି ଯଦିଓ
ସ୍ତବ୍ଧ ଆଉ ମୁଗ୍ଧ ।
This poem has not been translated into any other language yet.
I would like to translate this poem