ଏ ନଈ This River Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏ ନଈ This River

Rating: 5.0

1

ଶିରାପ୍ରଶିରାରେ ମୋର
ଧାଉଁଛି ସମୟ,
ଆଉ ମୁଁ ରହୁଛି ଠିଆ
ଦେଖିବାକୁ ପରିଧି ବାହାରେ
ହେଉଛି କଣ ସବୁ।
କଣ ସବୁ ହୁଏ ଯେ
ଅର୍ଥହୀନ ପ୍ରଳାପ ଶୁଭେ,
ଭ୍ରାନ୍ତି ବଢେ,
ନିର୍ମାଣ କାର୍ଯ୍ୟସବୁ ଅଟକିଯାଏ
ଭିଡର କୋଳାହଳରେ।
ଜିଇଁବାର ଭାଷା
ଲୋଡେ ପକ୍ଷୀ,
ଗୋପ୍ୟ ହୋଇ ରହେ ସ୍ୱପ୍ନ
ଆଉ ଆଉ ଦିନ ମନ ଜୀବନ।

2.

ଯୁଗଳ ଗ୍ରହ କିଏ?
ଦେବି ତାକୁ
ମୋ ହୃଦୟର ଅଂଶଟିଏ,
ସଠିକ୍ କହି ପାରିବ ଯିଏ।
ଜନୈକ କବି କହିଲେ
ଏ ସ୍ତନ ଦୁଇଟା,
ଆଉ ଜଣେ କବି କହିଲେ
ଆମ କାଳିଆ ଚକାଡୋଳା।
ଶରୀର ଆଉ ଆତ୍ମା ଜାଆଁଳା,
ଯାହାକୁ ନେଇ ଆମେ
ଗଢି ପାରିବା ମନ-ଫରୁଆ,
କର ନା ଚିନ୍ତା, ଆମେ
ଆମର ବର୍ଷା ଆମେ
ଆମର ଖରା।
ମୁଁ ହତବାକ୍,
ପୁଣି ପୁଣି ଯିବାକୁ ଆଗକୁ
ସଦା ମୁଁ ତୟାର୍।
ଛାଡ ସବୁ ଗୋଲକଧନ୍ଦା,
କହିଲା ମୋ ଭିତରେ ଅଛି ଯିଏ
ଖେଳି ବୁଲି ଧାଇଁ ଆସି ଆଉ କୁଆଡୁ
ଆଉ ହୋଇଯାଇ ମୋ ଉପରେ
ଅକସ୍ମାତ୍ ସବାର୍।

3.

ଏ ନଈ କୁଆଡେ ଧାଏଁ?
ବାଲି କେମିତି ଗାଧାଏ ଏ ନଈରେ?
ଏ ନଈର ସ୍ୱପ୍ନ କଣ
ଖାଲି ସମୁଦ୍ର!
ସମୁଦ୍ର କଣ କି!
ଉଡନ୍ତା ଚଢେଇର ଛାଇ
କହିବ ଆସୁଛି
ରହ ଦେଖେଇବି
ଆଉ ଏକ ନୂଆ ପୃଥିବୀ।
କୋଉ ପୃଥିବୀ କାହାର?
କିଏ ଆସେ ଆଉ ଯାଏ ଚୁପଚାପ୍?
ଏ ନଈ କିନ୍ତୁ ଗାଉଥାଏ ଗୀତ ମନକୁ ମନ,
ଆଉ ଇଚ୍ଛାହେଲେ ଚାହୁଁ ଥାଏ ଥରେ ଥରେ
ପଡୋଶୀ ଆଡକୁ ଆରାମ ହାରାମ
କହିବାକୁ ବାଲି ଆଉ ପଥରକୁ ।
ଏ ନଈକୁ ଜଣା ନାଇଁ
ସଂଧ୍ୟା କଣ ଆଉ କଣ ସକାଳ।
ଏ ନଈର ଉଠେ ଯେବେ ଉର୍ଦ୍ଧ୍ୱଶ୍ୱାସ
କାନ୍ଦି ଉଠେ ସୂର୍ଯ୍ୟ
ଆଉ ଟୁପୁରୁ ଟାପୁରୁ ଛିଣ୍ଡିପଡେ ଆକାଶ।
ଏ ନଈ ମୋର ପ୍ରିୟ,
ଏ ନଈକୁ ଧରି ଯାଏଁ ମୁଁ କହିବାକୁ
ଜୀବନର ଗୋଟି ଗୋଟି ସକଳ ଅଧ୍ୟାୟ।

4.

ନାହିଁ କାହାରି ଚେତା,
ଅଛି ସମସ୍ତଙ୍କଠି
ଅଜ୍ଞାନ ଆଚାର,
ଅଛି ନିନ୍ଦିତ ବିଚାର।
ଆଖିରେ ଦେଖି ବି
ପାରୁ ନାହାନ୍ତି ଚିହ୍ନି,
କଣ ସତ୍ଯ ।
ସଭିଙ୍କଠି ମାୟାମଦ,
ସୁରଅସୁର ଖଳ ବ୍ୟସ୍ତ
ହା ହା ହାସପରିହାସରେ।
ସଚ୍ଚା ସ୍ନେହଶ୍ରଦ୍ଧାକୁ
ଭାବୁଛନ୍ତି କୌତୁକ,
ଗୁହମୁତରେ ସାନିଘାଣ୍ଟି
ହୋଇ ବି ଭାବୁଛନ୍ତି
ୟେ ସ୍ୱର୍ଗସୁଖ।
ସରଳକୁ ଜଟିଳ ଭାବି
ପାରୁ ନାହାନ୍ତି ବସିଉଠି
ତଥାପି ମନ
ମାଂସମଦ ଦାରାରେ।
ନଷ୍ଟ ଲେଖା ଭାଗ୍ଯରେ,
ଯାଉଛନ୍ତି ଭୁଲି
ଖତେଇ ହେଉଛନ୍ତି ଭଲକୁ,
ନିଜକୁ ନିଜେ ହର୍ତାକର୍ତା ଭାବି।
କର୍ମର ଫଳ ନ ଭୋଗୁଛନ୍ତି ନୁହେଁ,
ତଥାପି ଦେଖ ପରଆପଣାର
ବିଭେଦ ନ ଜାଣି,
ରହିଛନ୍ତି ଅନ୍ଧାର ଭିତରେ
ଦିନେ ପ୍ରତିଦିନେ।
ନାହିଁ ବିବେକ,
ରୋଗଶୋକରେ
ମରୁଛନ୍ତି ପ୍ରତିମୁହୂର୍ତ
ଆଉ ଆଉ କଷଣ
ପାଉଛନ୍ତି ସପ୍ରମାଣେ।
ଅମାଟିରେ ରହି,
ଅଭାଷା ଧରି,
ଅଚେତରେ ହରାଉଛନ୍ତି
ଯାହାଯେତେ ଅଛି ପାଖରେ,
ରକ୍ଷା ପାରିବ କି କରି
କିଏ କେଉଁଠାରେ!

5.

ହୃଦୟରୁ ପାଉଛି ଭଲ ଯିଏ
ତାକୁ ଦେଉଛ ଆଡେଇ ତୁମେ,
ଭିତରୁ ଘୃଣା କରୁଛି ଯିଏ
ବିଶ୍ୱାସ କରି ତାକୁ
ଦେଉଛ କହି ସବୁ ଗୁପ୍ତ ତଥ୍ୟ,
ଆଉ ଆଣି ପୂରାଉଛ ଅନ୍ଦରମହଲେ,
ପ୍ରସ୍ତୁତରହ ଚଢିବ ଶୂଳୀରେ
ବଳେ ଦିଧାଡି ଦାନ୍ତର ଖିଚିରା ହସରେ।

Thursday, May 10, 2018
Topic(s) of this poem: life
POET'S NOTES ABOUT THE POEM
This poem is written i Odia language. Odia is the official language of Odisha India. This is all about life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success