ଯାହା ବି ହୋଇଛି
ହୋଇଛି କୁହା,
ଆଉ ଯାହା ହୋଇ ନି
ହେବ କୁହା
କହିବ କିଏ
ସଭିଏଁ ତ ଏଠି
ଅଚାବୁହା ସମୟ ସହିତ ଯୁଝୁ ଯୁଝୁ।
ହୋଇଛି କୁହା ତଥାପି ଅନେକ କିଛି।
2
ହୋଇ ନି କୁହା ବହୁତ କିଛି,
ହୋଇ ନି କୁହା ଚାଉଳରୁ ହେଲା କେମିତି ଭାତ,
ଆଉ ଭାତରୁ ହେଲା କେମିତି ଚାଉଳ ପୁଣି।
କୁହା ହୋଇ ନି ବହୁତ କିଛି,
ଶବ୍ଦ ମିଶିଲେ ଶବ୍ଦରେ ହୁଏ କେମିତି ମହାଭାରତ
ଆଉ ମହାଭାରତରୁ ବଂଚେ କେମିତି ନିର୍ଦ୍ଦୋଷ ପ୍ରାଣୀ।
ବହୁତ କିଛି ହୋଇ ନି କୁହା,
ବହୁତ କିଛି।
ଦେଉଳଗାଁର ଆମ୍ୱଗଛ ସବୁ ଗଲାକେଉଁଆଡେ,
ଦେଉଳଗାଁର ଦେଉଳ ଭାଙ୍ଗିଲା କେମିତି,
ହୋଇ ନି କୁହା ବହୁତ କିଛି।
ଶବ୍ଦହୀନ ପାଟିରେ ଫୁଟିବାର ଥିଲା ଭବିଷ୍ୟତ,
ହଳଦିଆ ଆକାଶର ବିଶ୍ରାମଘରେ କହିବାର ଥିଲା
ପବନର ଚା ଆଉ ସିଗାରେଟ ପିଆ।
ମାପିବାର ଥିଲା ଛାତି ଭିତର ରାତିକୁ ପରଖି
ଧୈର୍ଯ୍ୟରଶିଡିରେ।
ବାଟରେ ରହି ରହି ଗଲାବେଳେ ପଚାରିବାର ଥିଲା
ସମୁଦ୍ରର ମଣ୍ଡାଫୁଲର ରଙ୍ଗ ବଦଳୁଛି କେମିତି।
ଆଉ ଏଣେ ବଢୁଛି ଛାତିର ଦୁକଦୁକି।
ସାଧାରଣ ଦିନ ପରି ଆଉ କଣ ହେବ ବିତାଇ
ଗାଈଗୋଠରେ ନାଇଁ ତ ବାଉଁଶବଣର ଛାଇରେ!
This poem has not been translated into any other language yet.
I would like to translate this poem