Au Thare-20 Poem by Smrui Ranjan Mohanty

Au Thare-20

ଆଉ ଥରେ -20

ପାର ଯଦି
ଆଉ ଥରେ କହିଦିଅ
ତମେ ଖାଲି ମୋତେ ଭଲପାଅ, ଭଲପାଅ ବୋଲି
ମୁଁ ଭୁଲିଯାଏ ଏଇଟା ବୟସର କେଉଁ ବାର, ପ୍ରେମର କେଉଁ ଋତୁ,
ଶୀତ, ବର୍ଷା, ବସନ୍ତ ଅବା ବୈଶାଖ

ଆଉଥରେ
ଛୁଇଁଯାଅ ସର୍ବାଙ୍ଗକୁ ପହିଲି ବର୍ଷାର ବିନ୍ଦୁ ବିନ୍ଦୁ ମେଘ ହୋଇ
ବହିଯାଅ ମୋ ଜୀବନର କଙ୍କରିତ ରାସ୍ତା ଦେଇ,
ପ୍ରେମ ଆଉ ପ୍ରଣୟର ନଈଟିଏ ହୋଇ
ଭରିଦିଅ ମୋ ରିକ୍ତ ଜୀବନ ପାତ୍ରରେ ପ୍ରେମର ମୁଠାଏ ପୁଲକ
ବଂଚିବାର ମେଂଚାଏ ମହକ
ପାଖେ ପାଖେ ଥାଅ ପ୍ରିୟା,
ତମେତ ମୋ ସ୍ୱପ୍ନିଳ ଅତୀତ, ବର୍ତମାନ ଆଉ ଭବିଷ୍ୟତ

ତମେ ସବୁ ଦେଇଛ
ମୋ ପାଖରେ ଅଛି କଣ ଯେ ତମକୁ ଦେବି
ପୁଳାଏ ଅଲଣା କଥା, କେବେ ପୂରଣ ହବାକୁ ନଥିବା କିଛି ଆଶା ଆଉ ମୂଲ୍ୟହୀନ ପ୍ରତିଶୃତି ଛଡ଼ା
ଯାହାକୁ ତମେ ଏବେବି ସାଇତି ରଖିଛ, ଜଡାଇ ଧରିଛ ଅତୀତର ଅଳନ୍ଧୁ ଭିତରେ ନିଜର ସତ୍ତା ହରାଉଥିବା ସେଇ ମହାର୍ଘ ମୁହୂର୍ତ ମାନଙ୍କୁ ଯାହା କେବେ ଆମର ଥିଲା

ଜୀବନଟା ବୋଧେ କିଛି ନୁହେଁ
ଏକ ସର୍ତ୍ତହୀନ ଯାତ୍ରା, ଏକ ମୂଲ୍ୟହୀନ ବାସ୍ତବତା
କିଛି ଆଶା ପଛରେ ଧାଇଁ ଧାଇଁ ସମୟ କାଟିଦେବା
ଯାହା ମୋର ନୁହେଁ ତାକୁ ବାରମ୍ବାର ମୋର ମୋର ଭାବିବା
ଆଉ ନିଜ ଲହୁ, ଲୁହ ଆଉ ବାସ୍ନାରେ ପ୍ରଲୁବ୍ଧ ହବା

ରାସ୍ତାରେ ସେମାନେ ମିଶିଲେ,
ପୁଣି ବାଟ ଭାଙ୍ଗି ଚାଲିଗଲେ ଯିଏ ଯାହା ରାସ୍ତାରେ
ଆମେ ଦୁଇକୁ ଦୁଇ ରହିଗଲେ
ଦୁଃଖ ନାହିଁ, ପୁଣି ଆମେ ନିଜେ ନିଜକୁ ଖୋଜିବା
ପୁଣି ଚାଲିବା ହାତରେ ହାତ ରଖି, ଆଗଭଳି
ଏ ଯାତ୍ରା ନିରର୍ଥକ ହୋଇପାରେ କିନ୍ତୁ ତମେ ନୁହଁ, ମୁଁ ନୁହେଁ,
ନୁହେଁ ଆମ ପ୍ରେମ ଆଉ ସେଇ ସୁନ୍ଦର ମୁହୂର୍ତ୍ତମାନ

ଆସ!
ମୁଁ ଆଉଥରେ ତୁମକୁ ସଜେଇଦେବି
ଟୋପା ଟୋପା ଚନ୍ଦନରେ, ପଟା ପଟା ଅଳତାରେ
ଭରିଦେବି ତମ ସୀମନ୍ତରେ ପ୍ରେମ ଆଉ ପ୍ରତ୍ୟୟର ମୁଠାଏ ସିନ୍ଦୁର
ଏଇ ଦେଖ! ଆକାଶରେ ଆଲୁଅର ରୋଷଣୀ
ଜହ୍ନ ଆଉ ବାଦଲର ଲୁଚକାଳି
ଆସ! ସାଉଁଟି ନେବା ଆକାଶର କବରୀରୁ ଚିକମିକି ତାରଫୁଲ
ଯେତେଦିନ ଯାଏ ସରିନାହିଁ ଏ ଯାତ୍ରା, ଜଳିନାହିଁ ଜୁଇ,
ଲିଭିନାହିଁ ଜୀବନ ପ୍ରଦୀପ

ସ୍ମୃତି ରଞ୍ଜନ ମହାନ୍ତି©

Au Thare-20
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success