ଆଉଥରେ--୭
ସ୍ମୃତି ରଞ୍ଜନ ମହାନ୍ତି
ଆକାଂକ୍ଷାର ଯଜ୍ଞବେଦୀରେ
ମୋ ଆଖିରେ ଟୋପା ଟୋପା ଲୁହ,
ତଥାପି କହୁଛ ଦେଖିବାକୁ ସ୍ୱପ୍ନ।
କି ସ୍ୱପ୍ନ ଦେଖିବି ବନ୍ଧୁ
ଯେଉଁଠି ବାସ୍ତବତାର ମୁଠାଏ ଭାତ
ଆଉ ଟିକିଏ ଲୁଣ ସ୍ୱପ୍ନ ହେଇଯାଏ?
ପାରିବ ଯଦି
ଦିଅ ଟିକେ ଜାଗା
ତମ ଜୀବନ ପାନ୍ଥଶାଳାରେ,
ଦିଅ ମତେ
ଫେନିଳ ମଦ୍ୟ
ଚେଙ୍ଗିଜ ଖାଁ'ର ଲାଲ ଆଖି ଆଉ
ଅସରନ୍ତି ସ୍ବାର୍ଥର ସୀମାହୀନ ପଟୁଆର।
ପାରିବ ଯଦି
ଦିଅ ଟିକେ ନିଦ
ତମ ସହରର ନିବୁଜ ଗଳିରେ
ଦେଖିବାକୁ ସ୍ୱପ୍ନ
ଏକ ନୂତନ ସନ୍ଧ୍ୟାର।
ଯଦିପାର
ଦେଇଦିଅ ମତେ ତମ ମେଞ୍ଚାଏ ସ୍ୱାର୍ଥରୁ ଟିକିଏ
ମୁଁ ଦେଖିବି ସ୍ୱପ୍ନ
ଅସରନ୍ତି ଜୀବନ ଆଉ
ଅଖଣ୍ଡ ପୌରୁଷର
ଗଢ଼ିଦେବି ଆଶାର ତାଜ,
ଜୀଇଁଥିବା ମଣିଷର
ଶବର ମଶାଣିରେ।
ଆଉଥରେ ଭାବି ଦେଖ
ଜୀବନର ମାନେ କଣ ସ୍ୱାର୍ଥ ହିଁ କେବଳ
ଇର୍ଷା ଆଉ ଅହମିକାର ନଗ୍ନ ସମାହାର
ଅନ୍ୟକୁ ହରାଇ ନିଜେ ବଞ୍ଚିବାର ଅଖଣ୍ଡ ପ୍ରୟାସ
ଆଉ ସୀମାହୀନ ତୃଷ୍ଣାର ସାଗର
ନା ଆଉ କିଛି।
ଥରେ ଦେଖିନିଅ
ସ୍ୱର୍ଣ୍ଣପିପାସୁ ମାମୁଦର ଖାଲି ହାତ
ଆଉ ଭଗ୍ନ ଗଜନୀର ଇତିହାସ।
ସେମାନେ ସବୁ ଚାଲିଗଲେ
ଯେଉଁମାନେ ଭାବିଥିଲେ
ଏ ପୃଥିବୀଟା କେବଳ ତାଙ୍କର
ମୁଁ ଯିବି
ତମକୁ ବି ଯିବାକୁ ହେବ
ସେଇଠାକୁ
ଦେଖାହେଲେ କହିବ
କଣ ନେଇଗଲ।
ସ୍ମୃତି ରଞ୍ଜନ ମହାନ୍ତି©
This poem has not been translated into any other language yet.
I would like to translate this poem