ବାପା
ବାପା! ତମେ ଆଉଥରେ ଆସନ୍ତନି!
ମୁଁ ତମ ଛାଇତଳେ ଟିକେ ନିଶ୍ୱାସ ମାରନ୍ତି
ମୋ ଶୁଖିଯାଇଥିବା ଲୁହ ଆଉ ହସସବୁ
ଆଉଥରେ ଜୀବନ୍ୟାସ ପାଆନ୍ତେ;
ମୁଁ ଆଉଥରେ ସ୍ବପ୍ନ ବୁଣନ୍ତି
ଏକ ଆତ୍ମୀୟତାଭରା ସୁନ୍ଦର ସକାଳ,
ଆଉ ସର୍ତ୍ତହୀନ ପରିପୂର୍ଣ୍ଣ ସନ୍ଧ୍ୟାର ।
ସତରେ ତମେ ଗଲାପରେ ବାପା
ମୁଁ ଆଉ ସ୍ବପ୍ନ ଦେଖିନାହିଁ
କାହାକୁନେଇ, କାହାପାଇଁ ଅବା ସ୍ବପ୍ନ ଦେଖିଥାନ୍ତି
ବାପା! ତମେ ଆଉଥରେ ଆସନ୍ତନି!
ମୁଁ ହାପ୍ ପାଣ୍ଟ ପିନ୍ଧି ବର୍ଷାରେ ଭିଜିଭିଜି
ଖାଲି ପାଦରେ ସ୍କୁଲ ଯାଆନ୍ତି,
ଆମ ସକାଳ ଆଉ ସନ୍ଧ୍ୟା ହୁଅନ୍ତା ତମ
ପ୍ରାର୍ଥନା ଆଉ ଶୁଭ ଶଙ୍ଖଧ୍ୱନିରେ ।
ତମେ ମତେ ଅଙ୍କ ଆଉ ବିଜ୍ଞାନ ବୁଝାନ୍ତ,
ମୁଁ ତମକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥାନ୍ତି,
ତମ ଗପ ଶୁଣୁଶୁଣୁ ମୁଁ ତମପାଖେ
ଚୁପଚାପ ଶୋଇଯାଆନ୍ତି ନିଶ୍ଚିନ୍ତ ନିଦରେ ।
ତମେ ଗଲାପରେ ମୁଁ ବୋଧେ କେବେ
ଗାଢ଼ ନିଦରେ ଶୋଇନି ଆଜିଯାଏ
ତମେ କୁହ ବାପା!
ବାପା ନଥିବା ପୁଅ କଣ କେବେ
ଶାନ୍ତିରେ ଶୋଇପାରେ?
ବାପା ତମେ ଆଉଥରେ ଆସନ୍ତନି
ତମ ପ୍ରବଚନ ଆଉ ଜୟ ରାଧେ ରାଧେ ଭିତରେ
ମୁଁ ଆଉଥରେ ଜୀବନର ସଂଜ୍ଞା ଖୋଜନ୍ତି.
ପଇସା ପାଇଁ ଚୁପଚାପ ଦୁଆର ମୁହଁ-
ପାଖରେ ଛିଡା ହୋଇ ରହନ୍ତି;
ତମେ ଖୁସିରେ ପଇସା ମାଣ୍ଡିଲପେଟି ଖୋଲି
ମୋ ହାତରେ ଦିଅନ୍ତ;
ଦାଣ୍ଡଯାଏ ମତେ ଛାଡିବାକୁ ଆସନ୍ତ,
ମୁଁ ତମ ଆଶୀର୍ବାଦ ମୁଣ୍ଡେଇ କଲେଜ ଯାଅନ୍ତି ।
ସତରେ ବାପା ତମେ ଗଲାପରେ
ମତେ ବୋଧେ କେହି କିଛି ଦେଇନାହାନ୍ତି ଆଜିଯାଏ ।
ବାପା! ତମେ ଆଉଥରେ ଆସନ୍ତନି!
ମୁଁ ଆଉଥରେ ତମ ପାଦରେ-
ମୁଣ୍ଡରଖି ମନଭରି କାନ୍ଦନ୍ତି ।
ତମେ ଗଲାପରେ ମୋର ମନେନାହିଁ
ମୁଁ ଶେଷଥର ପାଇଁ କେବେ ହସିଥିଲି ଆଉ କାନ୍ଦିଥିଲି ।
ମୋ ପିଲାମାନଙ୍କଭଳି ତମ ହାତ ଧରି ବାଟ ଚାଲନ୍ତି
ହସି ହସି ବେଦମ ହଅନ୍ତି ସେମାନଙ୍କଭଳି
ଏକଥା ଭାବି ଭାବି -
ସେମାନଙ୍କଭଳି ମୋ ମୁଣ୍ଡ ଉପରେ ବି ଗୋଟାଏ ଛାତ ଅଛି ।
ସତରେ ତମେ ଗଲାପରେ ମୁଁ କେତେ
ନିରାଶ୍ରୟ ବାପା
ବାପା! ତମେ ଆଉଥରେ ଆସନ୍ତନି!
ମୁଁ ଟିକେ ମୋତେ ଖୋଜନ୍ତି,
ଜୀବନ ସହ ସାଲିସ କରି କରି
ଗୋଟି ଗୋଟି କରି ସମସ୍ତଙ୍କ ସର୍ତ୍ତ ମାନି ମାନି
ସମସ୍ତଙ୍କୁ ଖୁସି କରିବାକୁଯାଇ
ଜୀବନ ଜିଉଁ ଜିଉଁ କେବେ ମରିଯାଇଥିବା ତମ ପୁଅକୁ
ତମ ଅଲିଅଳ ପୁଅକୁ,
ଯିଏ କେବେ ହସୁଥିଲା, କାନ୍ଦୁଥିଲା
ସ୍ବପ୍ନ ଦେଖୁଥିଲା, ଜୀବନ ଜିଉଁଥିଲା
ଠିକ ସେମାନଙ୍କ ଭଳି ।
ସତରେ ବାପାଙ୍କ ବିନା କଣ ଜୀବନ ଜିଇଁ ହୁଏ
କେତେ ଅଧା, ଅଧୁରା ସେ ଜୀବନ
ସ୍ମୃତି ରଞ୍ଜନ ମହାନ୍ତି©
/
This poem has not been translated into any other language yet.
I would like to translate this poem