ଗୁପ୍ତଚର
ଗଜାନନ ମିଶ୍ର
ଲଗାଅ,
ଲଗାଇ ରଖ ଗୁପ୍ତଚର।
ଆଉ ଜାଣ
ମୋର ସବିଶେଷ ଖବର।
କାହା ସହିତ କେତେବେଳେ
ହେଉଛି କଣ ସବୁ କଥାବାର୍ତ୍ତା
ଫୋନରେ, ସାମ୍ନାସାମ୍ନି।
ଯାଉଛି କାହା ପାଖକୁ
କଣ ପାଇଁ କେବେ।
ଦେଉଛି କଣ କାହାକୁ,
କାହାଠୁ ଆଣୁଛି କଣ,
ଉଦ୍ଦେଶ୍ଯ କଣ ମୋର।
ରଖ, ସବୁ ଖବର,
ଆଉ ଯାହା ଇଚ୍ଛା
ତାହା କର।
କିନ୍ତୁ ସତର୍କ,
ଆଉ ମନେ ବି ରଖ,
ଉଣା ହେବାର ନାଇଁ କିଛି,
କି ନାଇଁ ବି
ଆସିବାର ମୋଠିକି କିଛି।
ଯାହା ହେଉଛି
ଆଉ ଯାହା ହେବାର ଅଛି
ନେଣଦେଣ ନାଇଁ ମୋର।
ୟା ତା ସହିତ ଯୋଡିଯାଡି
ତୁମ ନିଜ ସନ୍ଦେହକୁ
ହିନସ୍ତା ନ କର।
ଆଉ ଅନ୍ୟର ଆଖିରେ
ଦେବାକୁ କର ନା ଚେଷ୍ଟା
ପଟି ମାୟାର, ଅନ୍ଧାରର।
ମୁଁ ଏଠି
ନୁହଁ ମୋର,
ନୁହଁ ବି ତୁମର।
ମୁଁ ଏଠି କାହାର
ମତେ ଅଗୋଚର।
ଲଗାଅ ଗୁପ୍ତଚର,
ହେବ ଜାଣି
କାହାଠୁ କିଏ କେତେ ଦୂର।
ଲଗାଅ ଗୁପ୍ତଚର
ଆଉ ଜାଣ, ଯାଦୁ
କଳାକନାର, ରାଜରାସ୍ତାର,
ଲୋକସ୍ୱାର୍ଥର, ଆଇନ ଅଦାଲତର,
ଆଉ ନିଜେ ଇ ଜାଣ
କଣକୁ ନେଇ, କାହା ପାଇଁ
ଖେଳୁଛ ଖେଳ
ଜଣ ଜଣକରି ସଭିଙ୍କ ସହିତ
ଆଉ ବୃଥା କଳ୍ପନା କଳନାରେ
ସାରୁଛ ସମୟ ହାରଜିତର
ନିନ୍ଦାବଦନାମର, ପୋଲପଟି ଖୋଳି
ଖୋଦ ନିଜ ଘରର, ଖୋଦ ନିଜର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/5/2019
This poem has not been translated into any other language yet.
I would like to translate this poem