ଧରଣୀଧର ଟାକ୍ରୀ
ଗଜାନନ ମିଶ୍ର
ଧରଣୀଧର ଟାକ୍ରୀ,
ଧରଣୀଧର ଟିକ୍ରୀ ଏବେ କରିବ କଣ?
ଯିବ କୁଆଡେ? କାହାକୁ ଗୁହାରିବ
ଆମଆଡେ ଟିକେ ଦେଖ ହେ
ଆମେ ଉଡି ଯାଉଥିବା ଶୁଖିଲା ପତର,
ହାଡଭଙ୍ଗା ଶୀତ, ଧୂଳି ଅଭିଜା ବର୍ଷା
ପାହାଡଫଟା ଖରା ଆମ ଭାଗ୍ୟ।
ଆମକୁ ପାରୁଛ ତ ରଖ,
ଆମେ ସାନତେଲେନପାଲି ଗାଁର
ଯେତେ ପୁଅଝିଅ ଯିବାକୁ ପ୍ରସ୍ତୁତ
ଯୋଉଠି ମିଳିବ ମୁଠାଏ ଭାତ।
ତୁମର କଣ କିଛି କାଣ୍ଡଜ୍ଞାନ ନାହିଁ?
ଦେଖୁଛ ନା ନାଇଁ ଆମର ପରିସ୍ଥିତି
ଘରବୁଡି ପାଣି ଆଣ୍ଠୁଏ ହେଲାଣି
ତୁମେ କଣ ହସୁଛ ଦାନ୍ତ ନେଫେଡେଇ
ତୁମ ମୁହଁରେ କଣ ଲାଜସରମ ଟିକିଏ ନାଇଁ!
ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ଗଲାବେଳେ
ବାଟରେ ଛେକି ଦେଉଛ ନିଆଁପାଣି
ପିଲାଏ ଖତେଇ ହୋଇ ଡାକିଲେ ତୁମକୁ
ଶୁଣିଲ ନି ଦିଅଣି!
ଧରଣୀ ରାଏପୁରରୁ ଫେରି ଆସିଛି,
ଜାନ ଗଲେ ଯାଉ କାହାକୁ ସେ ଖାତିର କରେ ନାଇଁ।
ଟେଲିଫୋନ ତାର ଉପରର ଲିଟି ଚଢେଇ ପରି ତ
ଚୁପ୍ ଚାପ୍ ବସି ରହି ପାରେ ନା,
କିଛି ନା କିଛି, କୋଉଠି ନା କୋଉଠି
ଗଡବଡ କରିବା ତାର ଅଭ୍ୟାସ,
ଏପଟର କଥା ସେପଟେ
ସେପଟର କଥା ଏପଟେ କଲାବେଳେ
ସେ ନିଏ ବଡ ବାହାଦୁରୀ ।
ଧରଣୀଧର ଟାକ୍ରୀ ବାହାଦୁରୀ ନେଲାବେଳେ
ଜାଣି ପାରେ ନା ଯେ ସେ ତା ଗାତରେ ହିଁ
ଗଳି ପଡିଛି, ଆଉ କିଏ ଶୁଣିବ ଯେତେ କହିଲେ ବି
ରଖ, ରଖହେ ହରି, ହରି ତ ଗୋଟେ ରାଏଫରି
ଏ ପକ୍ଷ ନାଇଁ କି ସେ ପକ୍ଷ ନାଇଁ।
ବଳବୟସ ଯାଇଥିଲେ ବି
ଧରଣୀଧର ଟାକ୍ରୀର ଫୁଟାଣି ଯାଇ ନାଇଁ,
ସାରା ଜଙ୍ଗଲ ପଦା କରେଇଲା ପରେ ବି
ସାରା ଗାଁର ଜମି ହଡପ ହେଲା ପରେ ବି
ସେ କହେ ମୁଁ ନ ଥିଲେ ଗାଆଁର ଉନ୍ନତି ହୋଇଥାନ୍ତା!
ଲଗାତାର ସରପଂଚ ଥିଲାବେଳେ ସେ କଣ ନ କରିଛି,
ରାସ୍ତା, ବିଜୁଳି, ଈନ୍ଦରାଆବାସ, ବୃଦ୍ଧବୃଦ୍ଧା
ବିକଳାଙ୍ଗ ପେନସନ, ଆଉ କଣ କରିଥାନ୍ତା?
ଏଥର ତାର ପ୍ରତିଜ୍ଞା ଗାଁର ନାଁ ବଦଳେଇବ,
ବମ୍ୱେ ମୁମ୍ୱାଇ ହେଲା ପରି, ମାଡ୍ରାସ ଚେନ୍ନେଇ ହେଲା ପରି
ଆମରି ଅର୍ଥମନ୍ତ୍ରୀ ଲଂଡନ ଯାଇ ପୁଣି ବେପାର ନାଁରେ
ଡାକିଲା ପରି ସେ ଯିବ ପୁଣି ରାଏପୁର
ସେଠୁ ଆଣିବ ସେଠ୍ ଦଲାଲ ହୀରାଲାଲକୁ
କହିବ ତୁମେ ପାଇଲ ଏ ଗାଁ
ତୁମେ ଏଠି ଯାହା କରୁଛ କର
ଆମକୁ ଭାତ ମୁଠେ ମୁଠେ ଦିଅ।
ଧରଣୀଧର ଟାକ୍ରୀକୁ ଭୋଓଟ ଦରକାର
ସେ ପୁଣି ସରପଂଚ ହେବା ଚାହି ଯେମିତି ହେଉ,
ନ ହେଲେ ଗାଁର ଉନ୍ନତି କିଏ କରିବ
କିଏ ବଦଳେଇବ ଗାଁର ନାଡିନକ୍ସା
ମରୁଡି ମହାମାରୀର ତ୍ରାଣକର୍ତା ହେବ କେମିତି
ପାଂଚ ଜାଗାରେ ପଚାଶ ଖର୍ଚ କରି
ମଦମାଂସରେ ମାତିବ କେମିତି!
ସେ କେମିତି ଆରାମଅୟସ କରିବ
କୋଟି କୋଟି ଜନତାଙ୍କ କଙ୍କାଳ ଉପରେ
କେମିତି ନାଚିବ ତାକ୍ ଧେଇ ଧେଇ।
ଧରଣୀଧର ଟାକ୍ରୀ ଚିନ୍ତା କରେ
ଭାଟିର ବାରଣ୍ଡାରେ ବକ୍ ବକ୍ କରେ।
ଆରେ ଶଳେ, କର୍ପୂର ସିନା ଉଡିଲାରେ
କନା ତ ଅଛି!
ଗୁଂଜ ଗଲା ଗଲା, ଗୁଂଜର ଲାହା ବି ଗଲା କିରେ?
ରହରେ ରହ ପାନେ ଦେବି ଯେ!
ଏଥର ଖାଲି ଜିତିଯାଏଁ ଭୋଟରେ
ଯାହା କିଛି ବି ବଳିଛି ମୋ ପାଖେ
ଲଗେଇଦେବି ବାଜିରେ
(କବିତାଟି1997ରେ ପ୍ରକାଶିତ 'ଗୋଟାପଣେ ' ବହିରୁ)
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/8/2019
This poem has not been translated into any other language yet.
I would like to translate this poem