1
କୋକୁଆ, କୋକୁଆ,
କୋକୁଆକୁ ମାରିବ କିଏ କେଉଁଠାରେ!
ବାହାରିଲେ ଯେ ଯାହାର ଧରି ଅସ୍ତ୍ରଶସ୍ତ୍ର,
କଲେ ପ୍ରତିଜ୍ଞା ମାରିବା କୋକୁଆ କାଲି ପ୍ରଭାତରେ।
କୋକୁଆ କଣ, କୋଉଠି, କେମିତି
ରୂପରେଖ ନାହିଁ ଜଣା କାହାକୁ।
ବଡ ମାୟାବୀ କୋକୁଆ,
ଷଡଗୋଟି ପକ୍ଷ, ନବଗୋଟି ନେତ୍ର,
ଷଡଗୋଟି ଗୋଡ, ଭୟଙ୍କର ଗାତ୍ର,
ଯିଏ ପାରିଲା ଯେମିତି ଭାଷିଲା ଗିର।
କୋକୁଆ କୋକୁଆ କୋକୁଆ,
ୟାକୁ ଖାଇଲା, ତାକୁ ମାରିଲା, ଏଇଠି ରହିଲା,
ସେଇଠିକି ଗଲା କୋକୁଆ।
ବାହାରିଲେ ରଜା ମାରିବାକୁ କୋକୁଆ।
କି ମାୟା? ବଂଶ ହେବ ନାଶ,
ଶାପ ଦେଲେ ଦୁର୍ବାସା।
କୋକୁଆ କୋକୁଆ,
ରାଜ୍ୟ ଉଜୁଡା, ହଇହଲ୍ଲା,
ରାଜାକୁ ଘାରିଛି ନିଶା, ମାରିବେ କୋକୁଆ।
ନାହିଁ ଚିନ୍ତା କୋଉଠି ରହିଲା କିଏ
ଆତ୍ମୀୟ ବନ୍ଧୁ ସଖା, ନାହିଁ ଭାଷା,
ବିକଳ ମାଟି ମାଆ।
ଲୁଟିନିଅ, ଚାଟିଦିଅ, ମାରିଦିଅ,
ଘାରିଛି ରାଜ୍ୟଯାକ ମଦ୍ୟର ତୃଷା।
ଖାଅ, ପିଅ, ଶୁଅ ଆଉ କର
ଯେମିତି ଯାହାର ଇଚ୍ଛା।
କୋକୁଆ କୋକୁଆ,
ଚହଳ ଗହଳ ଅନ୍ଧାର
ସତ୍ୟ ଅହିଂସାକୁ ସରିଛି ଦିଆ ଛାଡପତ୍ର।
ନାହିଁ ଆପଣାପର, ହଣାହଣିରେ ବ୍ୟସ୍ତ
ରାଜ୍ୟଲୋକ ପରସ୍ପରକୁ ପରସ୍ପର।
2
କୋକୁଆ କୋକୁଆ କୋକୁଆ
ସାରା ରାଜ୍ୟର ଲୋକ ରଡୁଛନ୍ତି
ଭୋକ ଭୋକ ଭୋକ,
ନାହିଁ ରୋଜଗାର, ଚାଲ ଦେଶାନ୍ତର।
ଏ ରାଜ୍ଯରେ ଅସମ୍ଭବ ହେଲାଣି
ଦେବା ନିଜେ ନିଜର ପରିଚୟ।
କାହାର ଅଭିଶାପ?
ବାପ ମାରୁଛି ପୁତ୍ର,
ବାପର ନାଁ ନେଇ
ପୁଅ ସାରୁଛି ଗୋତ୍ର।
ଶୋକ ଦୁଃଖ ରୋଗ,
ଜୀବକୁ ପୁଣି ମାରୁଛି ଜୀବ,
ଧିକ ଧିକ ଏ ଜୀବନ
ଅଛଇ ଜୀବିତ।
କୋକୁଆ କୋକୁଆ କୋକୁଆ
ଅଣ୍ଟିଛୁରୀ ଭୁଷି ହେଉଛି ପେଟରେ,
ସ୍ତବଧ ଓଡିଶା।
ଓଡିଆ କଙ୍କଡା ଗୋଡଟଣା,
ଯେ ଯୋଉଠି ବାଟବଣା।
ଭାଇ ଭଉଣୀ ସାତଶତ୍ରୁ
ନାହିଁ ମୁହଁ ଚାହାଁଚୁହିଁ।
ବିପରୀତ ସବୁ ଦେଖୁଛି ଆଖି,
ବାପ ପାପ କହୁଛି ଝିଅକୁ
ଯାଉ ତୋ ବଂଶ ବୁଡି।
କୋକୁଆ କୋକୁଆ
ସାରା ରାଜ୍ୟରେ ପଡିଛି ବିପତ୍ତି
ବଂଶ ବୁଡିବାକୁ ଯେବଣ ରୀତି
ଅଜା ଥାଉ ଥାଉ ମରୁଛି ନାତି।
କୋକୁଆ କବଳରୁ
ରକ୍ଷା ପାଇବ କିଏ କେମିତି!
ଅଛି କି ସତରେ
କୋକୁଆ ଏଠି?
ଆଉ ନାଇଁ ଯଦି
ସଭିଏଁ ସେଇ ଏକା ଭୟରେ
ଏକା ଖାଲରେ କିଆଁ
ହେଉଛନ୍ତି ନାଶ?
ଉତ୍ତର ନାହିଁ,
ନୀରବ ମାଟି
ନୀରବ ଆକାଶ।
This poem has not been translated into any other language yet.
I would like to translate this poem