କ୍ଷମାକର ମତେ
ଗଜାନନ ମିଶ୍ର
କ୍ଷମାକର,
କ୍ଷମାକର ମତେ।
ଜାଣି ବି
ମୁଁ ଅଜଣା।
ସତ୍ଯକୁ ଆଖିଠାର କରି
ଅସତ୍ୟର ସୌଦାଗର
ମୁଁ ମଣିଷ।
କ୍ଷମାକର,
ଜାଣି ବି
ଭଲମନ୍ଦ ହାନିଲାଭ
ମୋ ନିଜ ଅଳ୍ପ ବୁଦ୍ଧିରେ
ମୁଁ ପ୍ରଗଳ୍ଭ।
ସମୟକୁ ଭରିବି କହୁଛି
ନିଜ ମୁଣିରେ।
ମତେ କ୍ଷମାକର
ଭରି ହୋଇ ଯାଇଛି ମୁଁ
ସମୟର ଅନ୍ଧାରୁଆ ଗହ୍ୱରରେ।
ଆଉ ମାପି ଚାଲିଛି
ମୋର ମୋର କହି କହି
ମୁଁ ମତେ
ଥଳକୂଳ ପାଉ ନି ଯାହା
ଏଠାରେ।
କ୍ଷମାକର, କ୍ଷମାକର
ମାପି ଚାଲିଛି ମୁଁ ମତେ
ମୋ ହାତରେ।
ହାତପାଦ
କୋଉଠି କଣ
ଜଣା ନାଇଁ ମତେ
କ୍ଷମାକର ଆଉ ମୁଁ
ଧାଇଁ ପହଂଚୁଛି
କୋଉଠି ନା କୋଉଠି
ଉଚ୍ଚାରି ଉଚ୍ଚାରି ଅବାଗିଆ
ଶବ୍ଦ ସ୍ୱର
ଥିଲାବେଳେ ତୁମେ
ତୁମର ସ୍ୱରୂପରେ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
03/06/2020
This poem has not been translated into any other language yet.
I would like to translate this poem