ମୋର ନୁହଁ
ଜାଣେ ମୁଁ ଏଠାକାର
ଏ ଶବ୍ଦସବୁ।
ଜାଣେ ଆଉ ସାଉଁଟେ
ଆଗ୍ରହ ସହିତ ଗୋଟି ଗୋଟି
ରଖିବାକୁ ପ୍ରେମରେ
ଉପଯୁକ୍ତ ସ୍ଥାନରେ।
ଘରୁ ବାହାରେ
ପୁଣି ଥାଏଁ ଘର ଭିତରେ
ଆଉ ଏ ଶବ୍ଦସବୁ
ହାଉଯାଉ ହେଉଥାନ୍ତି
ମୋ ଭିତରେ
ମୋ ବାହାରେ।
କାହାର ନୁହନ୍ତି ଏମାନେ?
ସଂକୀର୍ଣ୍ଣ ସ୍ୱାର୍ଥର
ଅବଶ୍ୟ ମାନେ ନାଇଁ।
କଷ୍ଟ କ୍ଲେଶର ଅର୍ଥ
ପଚାରନ୍ତି ନି ଏମାନେ
ଏ ଶବ୍ଦମାନେ ।
ସରି ସରି ଆସୁଥିବା ଶତ୍ରୁକୁ
ପଚାରନ୍ତି ନି ବାଟଘାଟ
ପଚାରନ୍ତି ନି ପରିଚୟ ଆଉ ଠିକଣା।
ନିଃସଙ୍ଗ ଏମାନେ ସବୁଦିନ
ମୋ ପରି ଏଠାରେ।
ଏ ଶବ୍ଦମାନଙ୍କରୁ ଝରିପଡେ
ଯୋଉ କୁମ୍ଭୀରଲୁହ
ମତେ ଜଣାଥାଏ ଯାଆନ୍ତି
କେତେଦୂର ଏମାନେ ।
କରନ୍ତି କଣ ଆଉ ମରନ୍ତି
କେମିତି ପ୍ରତ୍ୟହ ମାତୃଗର୍ଭରେ
ମାତୃଭୂମିରୈ ଛଟପଟ
ଶାସକର ଉପହାସ ସହି ସହି।
ଧାଏଁ କି ମୁଁ
ଏମାନଙ୍କର ସନ୍ଧାନରେ?
ଏମାନଙ୍କର ଦୃଷ୍ଟିଶକ୍ତି କେତେ
ପଚାରେଁ କି କାହାକୁ
କୋଉଠି ଛିଡା ହୋଇ ନିରୋଳାରେ?
ଜଙ୍ଗଲରେ ବାଟବଣା
ହୋଇଯାଏଁ ମୁଁ ନିଜେ।
ମୋ କବିତାରେ ମୁଁ ହଜେଁ।
ଏ ଶବ୍ଦମାନଙ୍କର ଟାହିଟାପରା
ମତେ ମୋର ନିୟତିରେ
ସିଝୋଉଥାଏ!
ଆଉ ମୁଁ ମାନ ଅଭିମାନରେ
ଅନ୍ୟାୟ ଅନୀତି ଅତ୍ୟାଚାରର
ଶିକାର ହେଉଥାଏଁ।
ଶବ୍ଦମାନେ ନିର୍ଲିପ୍ତ ମାଡି ଚାଲିଥାନ୍ତି
ମୋ ଉପରେ ପ୍ରତି ସେକେଣ୍ଡରେ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/10/2019
This poem has not been translated into any other language yet.
I would like to translate this poem