ହେବାର ନାଇଁ ବାଟବଣା
ଗଜାନନ ମିଶ୍ର
ଦେଖ, ଦେଉଛି
ଛାତି ଚିରି,
କଣ ଭିତରେ!
ଦେଖ, ଅଛ ନା ନାଇଁ
ଫୁଲର ବାସ୍ନାପରି।
ଅଛ ନା ନାଇଁ
କାଠ ଭିତରର
ନିଆଁ ପରି।
ନୁହଁ ମୁଁ ଜ୍ଞାନୀ,
ଜାଣୁ ନି ଖାଇ
କୁଶାରି।
ଜାଣୁଛି ଯଦିଓ
ଅଛ ଖିର ଭିତରେ
ଘିଅ ଯେପରି।
କି ହେବ କଣ!
ଆଲୁଅ ଅନ୍ଧାର
ସବୁ ସମାନ।
ଲୀଳାଖେଳାରେ
ବ୍ୟସ୍ତ ମେଘ ପବନ।
ନାହିଁ ନ ଥିବା
ଶଙ୍କାରେ ତପୋବନ।
ଶଙ୍କା କଣ ପାଇଁ?
ଦେହମନ ମୋର
ଅଶୁଦ୍ଧ କି?
ମାଲପା ମାଖି
ହୋଇ ନି କି
ଧୁଆଧୋଇ!
ଶବସତ୍କାର ସାରି
ଫେରିଛି କି ଅଗାଧୁଆ!
ପ୍ରିୟ ମୋର, ଦେଖ
ମାଟି ଆଉ ଆକାଶ ମଝିରେ
ମୋର ଅବସ୍ଥା ଦେଖ।
ସାଇଭାଇ ବନ୍ଧୁଙ୍କର
ଟାହିଟାପରା ଶୁଣ ।
ଅଯଥାରେ ତେଲଘଡି
କଚାଡ଼ିବା କାମରେ ବ୍ୟସ୍ତ
ମୋ ଯିବା ବାଟରେ।
ଜଣା କି ନାଇଁ
କାହାକୁ କଣ
ମତେ ନାଇଁ ଜଣା।
ଅଛ ବୋଲି ତମେ
ମୋଠାରେ, ଜାଣେ,
ହେବାର ନାଇଁ
କେବେ ବାଟବଣା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
24/6/2019
This poem has not been translated into any other language yet.
I would like to translate this poem