1.
ମେଘଖଣ୍ଡ
ମାତ୍ର ଗୋଟିଏ
ମେଘଖଣ୍ଡ ପାଇଁ ଏତେକଥା ।
ଥାଉ, କୁହ ନା ଆଉ ।
ଅଫ୍ କରିଦିଅ
ଫ୍ୟାନ୍ ର ସୁଇଚ୍ ।
ଝଡିବାର ଅଛି ଯଦି,
ଯାଉ ଝଡି ସେ ପତ୍ରଟା ।
ଆସ୍ତେ ଆସ୍ତେ ସବୁକିଛି
ହୋଇଯିବ ବୁଝି,
ଆଉ ତୁମକୁ ଉଠିବାକୁ
କହିବେ ସେମାନେ ।
କଣ?
ଉଠିଯିବ!
2.
କିଛି କରିବାର ଥିଲା ଯଦି କହୁଛ,
କର ନା ଆଉ ଡେରି ।
ଚାଲି ଆସ ସିଧା ଆଉ
କହିଦିଅ ଏମିତି ସେମିତି
ସତ୍ୟ ବୟାନ ପାଇଁ ମୁଁ ଠିଆ ।
ଆକାଶ କଥା ଅବଶ୍ୟ ନିଆରା,
ସେଠି ସବୁ ଫୁଲମାନେ ଏକତ୍ର
ଗଣିବାରେ ବ୍ୟସ୍ତ ରାତିର ଯନ୍ତ୍ରଣା ।
ସେଠି ସବୁ ପକ୍ଷୀମାନେ କହିବାରେ
ବ୍ୟସ୍ତ ମାଟି କଥା ଏଇ ଦେହରେ ।
3.
ମା କହିଲା
ଯିବ ନି ସିଏ କେବେ
ଆଧାର କେନ୍ଦ୍ରକୁ ।
କହିଲା, ମଲାପରେ
ନ ଦେବେ ଯଦି
ପ୍ରମାଣ ପତ୍ର ନ ଦିଅନ୍ତୁ ।
ପୁଣି କହିଲା,
ତାଙ୍କର ପ୍ରମାଣ ପତ୍ରରେ
ମୁଁ ବି ଚାହେଁ ନା ମରିବାକୁ ।
ମା ଏବେ ସତାନବେରେ,
ମା ଆଗରେ ଆମେ କେହି ବି
ପାରୁ ନା ଫିଟାଇ ପାଟି ।
ମୁଁ ବଡ ନା ସରକାର ବଡ,
ପଚାରିଲା ମୁଠାଇ ମାଟି ।
This poem has not been translated into any other language yet.
I would like to translate this poem