ମୋ ଭାଷା, ମୋ ମାଟି
ମୋ ଜୀବନ, ମୋ ପୃଥିବୀ।
ମୁଁ ଏଠି, ଏଠାକାର
ପାଣି ପବନ ଆଲୁଅ
ସବୁ ମୋ ପାଇଁ।
ମୋ ଭାଷାରେ ଥାଏ
ମୋ ମା,
ମୋ ଭାଷାରେ ଥାଏ
ମୋ ଆକାଶର ଜହ୍ନ,
ଜହ୍ନ ଦିଏ ମତେ
ଅମୃତ, ସେ ଅମୃତ ପାଇ
ମୋ ଜୀବନ ଧନ୍ୟ।
ମୋ ଭାଷା, ମୋ ଜୀବନ,
ମୋ ପରିଚିତି, ମୋ ଅସ୍ତିତ୍ବ ।
ମୋ ଘର ମୋ ଶବ୍ଦ,
ଗୋଡେ ଗୋଡେ ଜଗିଥାଏଁ
ମୁଁ ମୋ ଚିତ୍ର,
ହାତେ ହାତେ ଖେଳେ ମୋର
ତାରା ନକ୍ଷତ୍ର।
ମୁଁ ମୋର ବଂଚେ
ମୋରି ସମୟରେ,
ଆକାଶ ଆଉ ମାଟି ସହିତ
ଘୂରେଁ ଘୂରୁଥାଏଁ ମୁଁ
ଝଲଝଲାତ୍ ଆଲୁଅରେ।
ମୋ ଭାଷା ମୋ ସମୟ
ମୋ ଜୟ ମୋ ପରାଜୟ।
ମୋ ଶରୀର ମୋ ସହର,
ମୋ ଫୁଲ ମୋ ଫଳ।
ମୋ ଭାଷାରେ ମୁଁ
କରେଁ ସବୁକୁ ଏକତ୍ରୀତ,
ବାହାରେ ଆଉ ଭିତରେ
ମୋ ଭାଷା ମତେ ରଖୁଥାଏ
ମୋରି ସ୍ଥାନରେ।
ମୋଠୁ ମୋ ସଭ୍ୟତା
ଉକୁଟି ଉଠେ,
ସବୁରି ମୂଳରେ ମୋ ଭାଷା।
ଅହର୍ନିଶ ମୋ ଭାଷା
ଦେଉଥାଏ ମତେ
ନୂତନ ସ୍ପନ୍ଦନ
ନୂତନ ଖବର
ନୂତନ ଜୀବନ,
ସବୁ ନୂତନତା ଭିତରେ
ମୁଁ ହେଉଥାଏଁ ପୂର୍ଣ
ରାତି ଆଉ ଦିନ।
ମୋ ଭାଷାର ନାହିଁ କ୍ଷୟ,
ମୋ ଭାଷାର ବୃଦ୍ଧିରେ
ଲେଖାଥାଏ ମୋର ବିଜୟ।
ମୋ ମାଟିରେ ମୁଁ ଅଜେୟ।
This poem has not been translated into any other language yet.
I would like to translate this poem